ପୁରୀ (ସମୃଦ୍ଧ ଓଡ଼ିଶା) ଆସନ୍ତାକାଲି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ସରକାର ଗଢିବାକୁ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଆଜି ମହାପ୍ରଭୁଙ୍କ ଆଶ୍ରିବାଦ ଗ୍ରହଣ କରିଛନ୍ତି ।ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ୭ ହଜାର ନିମନ୍ତ୍ରିତ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ଗ୍ରହଣ ଉତ୍ସବରେ ବିଶିଷ୍ଟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଆଇଟିସିର ଅଧ୍ୟକ୍ଷ ସଞ୍ଜୀବ ପୁରୀ, ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ୍, ଟେକ୍ ମହିନ୍ଦ୍ରା ଏମଡି ସିପି ଗୁରନାନୀ, ମାଇଣ୍ଡଟ୍ରି ଅଧ୍ୟକ୍ଷ କେକେ ନଟରାଜନ୍, ଓସିଏଲର ପୁନୀତ୍ ଡାଲମିଆ, ଆପୋଲୋ ଗ୍ରୁପର ସଙ୍ଗୀତ ରେଡ୍ଡୀ, ରାମକୋ ଗ୍ରୁପର ପିଭି ଭେଙ୍କଟ ରାମରାଜା, ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଟିପି ଦାସ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ପ୍ରମୁଖ ଯୋଗଦେବାର ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା