ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହିଳାଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବିରେ ବିଜେପି ମହିଳା ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇଛି । ମହାରଥୀଙ୍କ ବହିଷ୍କାର ଦାବିରେ ସେମାନେ ଅଡ଼ିବସିଛନ୍ତି । କୌଣସି ପରିସ୍ଥିତିରେ ମହାରଥୀଙ୍କୁ ସେମାନେ ଛାଡ଼ିବେ ନାହିଁ ବୋଲି କହିଛନ୍ତି । ନାରୀ ସମାଜକୁ ଅସମ୍ମାନିତ କରିଥିବାରୁ ଏହି ଘଟଣାକୁ ନେଇ ବିଜେପି ଆଗକୁ ଆନ୍ଦୋଳନ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି । ଆଜି ସେମାନେ ମହାରଥୀଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛନ୍ତି । ସେମାନେ ଦଳର ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରୀୟା ଛକ ପର୍ଯ୍ୟନ୍ତ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାରଥୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଆଜି ସେମାନଙ୍କର ଦୁଇ ଦିନିଆ ଆନ୍ଦୋଳନ ଡାକରା ଶେଷ ହୋଇଥିବାରୁ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସେମାନେ ନିଷ୍ପତ୍ତି ନେବେ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ସେମାନଙ୍କରର ଆଜି ବିକ୍ଷୋଭ କରାଯାଇଥିଲା ।ଏ ସମ୍ପର୍କରେ ମହିଳାମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ସେ ମହିଳାମାନଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ସେ ଭାବିକି କହିଥାନ୍ତୁ କି ନ ଭାବିକି କହିଥାନ୍ତୁ ସେ ମନ୍ତ୍ରିମଣ୍ଡଳରୁ ବିଦା ହେବା ଦରକାର । ଯଦି ସେ ଭାବିକି କହିଛନ୍ତି ତେବେ ମହିଳାମାନଙ୍କ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରିଥିବାରୁ ବହିଷ୍କୃତ ହେବା ଦରକାର ଏବଂ କିଛି ନ ଭାବି ଯଦି ତାଙ୍କ ପାଟିରୁ ଏଭଳି ବାହାରିଛି ତେବେ ବି ବହିଷ୍କାର ହେବା କଥା । କାରଣ ତାଙ୍କର ମାନସିକ ବିକୃତି ଘଟିଲାଣି ସେ କୌଣସି ପରିସ୍ଥିତିରେ ସେ ଆଉ ମନ୍ତ୍ରିମଣ୍ଡଳରେ ରହିବା କଥା ନୁହେଁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।ବିଜେଡି ମହିଳା ଶାଖା ଦଳୀୟମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି । ମହିଳା ଶାଖାର ସଭାପତି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀ କିଛି କହିନାହାଁନ୍ତି । ମନ୍ତ୍ରୀ କହିଛନ୍ତି ୩୦ ହଜାର ମହିଳା ଛିଡ଼ା ହୋଇଥିବେ, ୩୦ ହଜାର ମହିଳାଙ୍କର ସ୍ୱାମୀ ୩୦ ହଜାର ମିଶି ୬୦ ହଜାର ଛିଡ଼ା ହୋଇଛନ୍ତି । ଏତିକି କହିଛନ୍ତି ଆଉ କିଛି କହିନାହାଁନ୍ତି । ଏକଥାକୁ କଦର୍ଥ କରି ଏକ ମିଛ ପ୍ରସଙ୍ଗ ପାଇଁ ବିଜେପି ମହିଳା ରାଜରାସ୍ତାକୁ ଯାଇଛନ୍ତି । ଏକଥା ଜନସାଧାରଣ ବୁଝିସାରିଛନ୍ତି । ସେମାନେ ଉଚିତ ଜବାବ ଦେବେ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।