ମହାରଥୀଙ୍କୁ ବିଜେଡି ଟିକେଟ ଦେବା ପରେ ସାଧାରଣରେ ନବୀନଙ୍କ ପ୍ରତି ଭୃକୁଞ୍ଚନ ସୃଷ୍ଟି ହୋଇଛି …

ହିଞ୍ଜିଳି (ସମୃଦ୍ଧ ଓଡିଶା) ପ୍ରଦୀପ ମହାରଥୀଙ୍କୁ ବିଜେଡି ଟିକେଟ ଦେବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, କେବଳ ଓ୍ବିନେବିଲିଟି ହିଁ ବିଜେଡି ଦଳ ପାଇଁ ଟିକେଟ ବଣ୍ଟନର କ୍ୟାଇଟେରିଆ ରହିଛି । ନୀତି ଓ ନୈତିକତା ଆଉ ଦଳ ପାଇଁ ଆଦର୍ଶ ହୋଇ ରହିନାହିଁ । ପିପିଲି ଗ୍ୟାଙ୍ଗ ରେପ୍ ଘଟଣାରେ କୋର୍ଟ ନିଷ୍ପତ୍ତିକୁ ନେଇ ପୀଡ଼ିତାଙ୍କ ପ୍ରତି ମହାରଥୀଙ୍କ ଅପମାନ ଜନକ ମନ୍ତବ୍ୟ ପରେ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଥିଲା । ମହିଳାଙ୍କ ପ୍ରତି ଅସମ୍ମାନ କରୁଥିବା ଯେ କୌଣସି ବ୍ୟକ୍ତିଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ବିଜେଡ଼ି ସୁପ୍ରିମୋ ନବୀନ ଗ୍ରହଣ କରୁଛନ୍ତି ବୋଲି ଧାରଣା ବଳବତ୍ତର ରହିଥିଲା । ଶେଷ ପର୍ଯ୍ୟନ୍ତ ମହାରଥୀଙ୍କ ଟିକେଟ ଝୁଲାଇ ରଖାଯାଇଥିଲା । ତେବେ ଚଳିତ ନିର୍ବାଚନରେ ମୁକାବିଲା ବଡ଼ କଠିନ ପରିସ୍ଥିତି ସୃଷ୍ଟି କରିଛି । ଗୋଟିଏ ଆସନ ମଧ୍ୟ ସରକାର ଗଠନ ପାଇଁ ହୁଏତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଗତ ୧୯ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ରାଜନୈତିକ ସ୍ତରରେ ସାଲିସ୍ ବିହୀନ ନିଷ୍ପତି ନେବାରେ ମାହିର ଥିଲେ । ଦୁର୍ନୀତିର ଛିଟା ପଡିବା ପୂର୍ବରୁ ବଡ ବଡ ରଥୀଙ୍କ ମୁଣ୍ଡ ଗଡାଇ ଦେଇ ଦେଶର ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ନିର୍ବାଚନ ପୂର୍ବରୁ ମହିଳାଙ୍କୁ ୩୩% ଆସନ ପାଇଁ ଦାବି କରି ଚର୍ଚ୍ଚାରେ ରହିଥିଲେ । ଯଦିଓ ନିଜ ଦଳରେ ଟିକେଟ ବଣ୍ଟନ ବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ସାହାସିକତା ଦେଖାଇଛନ୍ତି । ତଥାପି କିଛି କ୍ଷେତ୍ରରେ ନବୀନଙ୍କ ପୂର୍ବ ପରି ଦାମ୍ଭିକ ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେଇଥିବା ସ୍ପଷ୍ଟ ହୋଇଛି । ଚଳିତ ନିର୍ବାଚନରେ ପ୍ରଥମରୁ ନବୀନ ବାବୁ ନିଜର ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହିଂଜିଳି ସହ ପଶ୍ଚିମ ଓଡ଼ିଶାର ବିଜେପୁରରୁ ପ୍ରାର୍ଥୀ ହେବା ସଂଦେହ ସୃଷ୍ଟି କରିଛି । ପଶ୍ଚିମ ଓଡ଼ିଶାରେ ଦଳ ପ୍ରତି ଲୋକଙ୍କ ବିମୁଖଭାବରୁ ରକ୍ଷା ପାଇବା ପାଇଁ ଏହା ପଦକ୍ଷେପ ବୋଲି କୁହାଯାଉଛି । ତେବେ ଏଥିନେଇ ବିରୋଧୀ ଭାଜପାର ଅଭିଯୋଗ ଅତି ସଙ୍ଗୀନ । ପ୍ରାର୍ଥୀ ଚୟନରେ ଦଳର ବରିଷ୍ଠ ନେତାଙ୍କ ପରାମର୍ଶ ଅପେକ୍ଷା ପ୍ରଶାସନିକ ନିଷ୍ପତ୍ତି ଉପରେ ଅଧିକ ନିର୍ଭରଶୀଳ ଅଛନ୍ତି । ଟିକେଟ ପାଇଁ ହଟ୍ଟଗୋଳ, ନେତା ଓ କର୍ମୀ ଅସନ୍ତୋଷ ହୋଇ ଦଳ ଛାଡି ବିଦ୍ରୋହୀ ସାଜିବା ବିଜେଡିରେ ଚଳିତ ନିର୍ବାଚନରେ ରେକର୍ଡ ହୋଇଛି । ସୁପ୍ରିମୋଙ୍କ ପ୍ରତି ଭୟ ହେଉ କି ଆନୁଗତ୍ୟ ହେଉ ଟିକେଟ ନ ପାଇଲେ ମଧ୍ୟ ସୁଯୋଗକୁ ଅପେକ୍ଷା ନେତାଙ୍କ ମଧ୍ୟରେ ଆଉ ଆଗପରି ନାହିଁ । ମୂଳରୁ ଢେଙ୍କାନାଳ ସାଂସଦ ଟିକେଟ ନେଇ ଲଢ଼ିବାକୁ ମନା କରିବା ନବୀନଙ୍କ ପାଇଁ ରାଜନୈତିକ ଜୀବନରେ ପ୍ରଥମ ଘଟଣା ଓ ଦଳକୁ ବ୍ୟାକଫୁଟ୍ କୁ ଠେଲିଦେଲା । କିଛି ଯୁବନେତା କ୍ଷମତାକେନ୍ଦ୍ରଙ୍କ ପାଖ ଲୋକ ହୋଇ ମନ ଇଚ୍ଛା ନିଷ୍ପତ୍ତି ନେବାରେ ଦଳରେ ଅସନ୍ତୋଷ ସୃଷ୍ଟି କରିଛି । ଏପରିକି ମଦ ବେପାରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତ ବ୍ୟକ୍ତିମାନେ ପ୍ରଭାବିତ କରି ଟିକେଟ ହାସଲ କରିଛନ୍ତି । ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତ ବ୍ୟକ୍ତିମାନେ ନିଜ ପୁଅ ଓ ସଂପର୍କୀୟଙ୍କ ପାଇଁ ଟିକେଟ ହାସଲ କରିଛନ୍ତି । ଖଣି ପାଣି ଓ ଡାଲି ଦୁର୍ନୀତିରେ ମୁଣ୍ଡ ଗଢିଥିବା ନେତା ଟିକେଟ ହାସଲ କରିଛନ୍ତି । ପିପିଲି ପୀଡ଼ିତା ବେବିନାଙ୍କ ପ୍ରତି ଅସମ୍ମାନ କଥା କହି ମଧ୍ୟ ମହାରଥୀଙ୍କ ଟିକେଟ କାଟିବାକୁ ସାହାସ ପାଇଲେ ନାହିଁ ନବୀନ। ଦଳରେ ରଥୀ ମହାରଥୀମାନଙ୍କ ପ୍ରଭାବ ଆଗକୁ କେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ସମୟ କହିବ । କିନ୍ତୁ ଏତିକି ସ୍ପଷ୍ଟ ହୋଇଛି ଯେ ନବୀନଙ୍କ ନିଜ ଦଳରେ ହେଉ କି ଲୋକଙ୍କ ପାଖରେ ଆଉ ଆଗର ପରି କାଟତି ନାହିଁ । ପଂଚାୟତ ନିର୍ବାଚନ ଠାରୁ କ୍ରମାଗତ ଦଳର ବିପର୍ଯ୍ୟୟ, ଭାଜପାର ଶକ୍ତି ବୃଦ୍ଧି ନବୀନଙ୍କ କ୍ଷମତାର ଚୌକିକୁ ହଲାଇ ଦେଇଛି । କଂଗ୍ରେସ ଦଳର କ୍ରମାଗତ ଅଧଃପତନ ମଧ୍ୟ ପରୋକ୍ଷ ଭାବରେ ଶାସକ ବିଜେଡି ପାଇଁ କ୍ଷତି ହୋଇଛି । ନିର୍ବାଚନ ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ବିଜେଡି ଦଳ କ୍ଷମତାକୁ ଯେ ଫେରିବ ସେ ଗ୍ୟାରେଣ୍ଟି ନାହିଁ। ସବୁ ସ୍ଥାନରେ ଅବିଶ୍ବାସର ବାତାବରଣ । ରାଜ୍ୟରେ କୌଣସି ଦଳ ପ୍ରତି ସକରାତ୍ମକ ହାଓ୍ବା ହେଉ ନାହିଁ । ଛାତ୍ର, ଯୁବ ଗୋଷ୍ଠୀ ଓ ପ୍ରଭାବଶାଳୀ ଭୋଟରଙ୍କ ସାଇଲେଣ୍ଟ ଭୂମିକା ସନ୍ଦେହଜନକ । ଚାଷୀ, ବ୍ୟବସାୟୀ ଓ ଶ୍ରମିକ ଭୋଟର ନିର୍ଣ୍ଣାୟକ ହୋଇପାରେ। ତେବେ ଏହି ଗୋଷ୍ଠୀ ମଧ୍ୟ ସାଇଲେଣ୍ଟ । ସାଇଲେଣ୍ଟ ଭୋଟର କିଲର ଭୋଟର ହେବା ସମ୍ଭାବନା ରହିଛି । ଓ୍ବିନେବିଲିଟି ହିଁ ଦଳ ପାଇଁ ଟିକେଟ ବଣ୍ଟନର କ୍ରାଇଟେରିଆ । ନୀତି ନୈତିକତା ଓ ଆଦର୍ଶ ଯାହା ନବୀନଙ୍କ ପାଇଁ ବଡ଼ ଆସେଟ୍ ଥିଲା ସେଥିରେ କମ୍ପ୍ରମାଇଜ ହୋଇଛି । ଯିଏ ହେଉନା କାହିଁକି ଜୋ ଜିତା ଓ୍ବହି ସିକନ୍ଦର। ଏହା ହିଁ ନିର୍ବାଚନରେ ଦଳର ମୂଳ ମନ୍ତ୍ର ପାଲଟିଛି ।

ରିପୋର୍ଟ : ପ୍ରତାପ ପଟ୍ଟନାୟକ