
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଭୁବନେଶ୍ୱରରେ ଏସ୍ପ୍ଲାନେଡ୍ ମଲ୍ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ତୁରନ୍ତ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବୀ କରାଯାଇଛି । ସୂଚନା ଅନୁଯାୟୀ ସାମ୍ବାଦିକା ସ୍ଵାତି ଜେନା ଭୁବନେଶ୍ୱରରେ ଏସ୍ପ୍ଲାନେଡ୍ ମଲ୍କୁ ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ ସ୍ଥାନୀୟ ସିକ୍ୟୁରିଟି ଗାର୍ଡ, ପାର୍କିଂ ମ୍ୟାନେଜରଙ୍କ ସମେତ କିଛି ବ୍ୟକ୍ତି ତାଙ୍କ ସହ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଜଣାଯାଇଛି । ସରକାରୀ ନିୟମ ଅନୁସାରେ ମଲ ମାନେ ଆଉ ପାର୍କିଂ ଫିଜ ଆଦାୟ କରିବା ମନା ହୋଇଥିବା ସତ୍ତ୍ୱେ ସେଠାରେ ପାର୍କିଂ ଫିଜ ଆଦାୟ କରାଯାଉଥିଲା । ଏହି ଖବରକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଠା କରୁଥିବା ବେଳେ ତାଙ୍କ ସହ ଦୁର୍ବ୍ୟବହାର ଓ ଆକ୍ରମଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ନାରୀ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରାଯାଇ ବେଟି ବଚାଓ ବେଟି ପଢ଼ାଓ, ନାରୀ ଶକ୍ତି, ମିଶନ ଶକ୍ତି ଓ ମା କୁ ସମ୍ମାନ ଭଳି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମଲରେ ମାଲିକଙ୍କ ପକ୍ଷରୁ ଏଭଳି ଆକ୍ରମଣ ଘୋର ନିନ୍ଦନୀୟ ବୋଲି ସାମ୍ବାଦିକଙ୍କ ପକ୍ଷରୁ କୁହାଯାଇଛି । ଆଜି ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମିଳିତ ହୋଇ ଏହାର ପ୍ରତିବାଦ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଉ ବୋଲି ଦାବୀ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା