ମହିଳାଙ୍କୁ ନ୍ୟାୟ ପାଇଁ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍ପିଙ୍କ ଜଳେଶ୍ୱର ଥାନାରେ ତଦନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ରାଜ୍ୟର ପୋଲିସ୍ ବିଭାଗ ଏବେ ସକ୍ରିୟ ହୋଇ ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରୟାସ ଜାରି ରଖିଛି । ସେହି ମର୍ମରେ ଜଳେଶ୍ୱର ଥାନା ଅନ୍ତର୍ଗତ ଜନୈକ ବିବାହିତା ମହିଳା ବାରମ୍ବାର ଲାଞ୍ଛିତ ହେଉଥିବାରୁ ନ୍ୟାୟ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କୁ ଭେଟିବାପରେ ଗତକାଲି ରାତିରେ ଏସ୍ପି ଜଳେଶ୍ୱର ଥାନାରେ ପହଞ୍ଚି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତଦନ୍ତ କରିଥିଲେ । ଘଟଣାରୁ ପ୍ରକାଶ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବାପଘରେ ଆଶ୍ରିତ ସିଂଲା ଥାନା ଅନ୍ତର୍ଗତ ନାବରା ଗାଁର ହରିପଦ ଦେଙ୍କ ପତ୍ନୀ ଶୁଭସ୍ମିତା ଶାଶୁଘର ଲୋକଙ୍କ ଦ୍ୱାରା ବିଭିନ୍ନ ନିର୍ଯ୍ୟାଚନାର ଶୀକାର ହୋଇ ଆସୁଥିଲେ । ବାପଘରେ ନିଜ ନାବାଳକ ପୁତ୍ର ସହିତ ଶୁଭସ୍ମିତା ରହୁଥିବା ବେଳେ ଗତ ଅଗଷ୍ଟ ମାସରେ ତାଙ୍କ ଦେଢସୁର ଗୌରାଙ୍ଗ ଦେ ଓ ତାଙ୍କ ସହଯୋଗୀ ଶୁଭସ୍ମିତାର ପୁଅକୁ ବଳପୂର୍ବକ ନେଇଯିବାର ଉଦ୍ୟମ କରୁଥିବା ବେଳେ ଶୁଭସ୍ମିତା ବାରଣ କରିବାରୁ ତାଙ୍କୁ ଓ ତାଙ୍କ ମାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରୁ ଗୌରାଙ୍ଗ ଖସିଯାଇଥିବା ବେଳେ ସହଯୋଗୀ ରବିନ୍ଦ୍ରକୁ ଗାଁ ଲୋକେ ଧରି ପୋଲିସକୁ ଜିମା ଦେଇଥିଲେ । ଏଥିନେଇ ଜଳେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ୧୦ ଦିନ ପରେ ସୁଭସ୍ମିତା ଜଳେଶ୍ୱର କୋର୍ଟ ପରିସରରେ ଛିଡା ହୋଇଥିବା ବେଳେ ତାଙ୍କ ଦେଢସୁର ତାଙ୍କୁ ଚପଲ ଦେଖାଇବାରୁ ନ୍ୟାୟ ପାଇଁ ସେ ଓ ତାଙ୍କ ମା ରାତିତମାମ ଥାନା ପିଣ୍ଡାରେ ବସିରହିଥିଲେ । ସେତେବେଳେ ଏସ୍ଡିପିଓ ସୁଦର୍ଶନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ଏକ ଲିଖିତ ଅଭିଯୋଗ ଶୁଭସ୍ମିତା କରିଥିଲେ । ଜଳେଶ୍ୱର ପୋଲିସ୍ ଶୁଭସ୍ମିତାକୁ ନ୍ୟାୟ ଦେବାରେ ଟାଳଟୁଳ ନିତୀ ଅବଲମ୍ବନ କରୁଥିବାରୁ ସେ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକଙ୍କ ଠାରେ ଅଭିଯୋଗ କରିଥିଲେ । ଆଜିଙ୍କ ନିର୍ଦ୍ଦେଶକ୍ରମେ ଏସ୍ପି ବି ଯୁଗଳକିଶୋର ଗତ ଗୁରୁବାର ରାତିରେ ଆସି ଜଳେଶ୍ୱର ଥାନାରେ ପହଞ୍ଚିଥିଲେ ଓ ଅଭିଯୋଗକାରିଣୀଙ୍କ ଠାରୁ ସବିଶେଷ ତଥ୍ୟ ବୁଝିଥିଲେ । ଉକ୍ତ ତଦନ୍ତ ବେଳେ ଜଳେଶ୍ୱର ଏସ୍ଡିପିଓ ସୁଦର୍ଶନ ଦାଶ, ଆଇଆଇସି ପ୍ରଦୀପ କୁମାର ମାଝୀ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା