ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ଓ ମି-ଠୁ ପ୍ରଚାର:ସିଟିଜେନ୍ସ ଫୋରମ୍ ର ଆଲୋଚନା ଚକ୍ର

ଭୁବନେଶ୍ୱର : ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ପ୍ରସଙ୍ଗକୁ ଆଳ କରି ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ ନିଜର ଉପସ୍ଥିତି ଓ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି। ଦେଶର ପ୍ରଗତିଶୀଳ ବ୍ୟକ୍ତି ବିଶେଷ ଏଥିପ୍ରତି ସତର୍କ ରହି ଜନସାଧାରଣଙ୍କୁ ସଚେତନ କରାଇବା ଉଚିତ ବୋଲି ‘ ସିଟିଜେନ୍ ଫୋରମ୍ ‘ର ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ୟୁନିଟ-୩ ସ୍ଥିତ ଶ୍ରମିକ ଭବନରେ ଅନୁଷ୍ଠିତ ଫୋରମ୍ ର ମାସିକ ଆଲୋଚନାଚକ୍ରରେ ‘ ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ଓ ମି- ଠୁ ପ୍ରସଙ୍ଗ ‘ ଉପରେ ବୁଦ୍ଧିଜୀବୀ ମାନେ ଆଲୋଚନା କରିଥିଲେ। ସେମାନେ କହିଥିଲେ ଯେ ଧାର୍ମିକ ପ୍ରସଙ୍ଗରେ ରାଷ୍ଟ୍ର ସମ୍ପୃକ୍ତ ହେବା ଅନୁଚିତ। ସୁପ୍ରିମକୋର୍ଟଙ୍କ ରାୟ ଅନୁପାଳନକୁ ବିରୋଧ ଆଳରେ ଜାଣିଶୁଣି ଜନ ଅସନ୍ତୋଷ ତିଆରି କରାଯାଇଛି। ଦେଶର ଅସଲ ସମସ୍ୟାଗୁଡ଼ିକର ସମାଧାନ କରିବା ଉପରେ ସରକାର ଗୁରୁତ୍ବ ଦେବା ଉଚିତ ବୋଲି ବକ୍ତାମାନେ କହିଥିଲେ। ସେହିପରି ଅସଦାଚରଣର ପ୍ରତିବାଦ କରାଯାଉ, କିନ୍ତୁ ଏହାକୁ ପ୍ରତିଶୋଧର ଅସ୍ତ୍ର କରାନଯାଉ ବୋଲି ମି-ଠୁ ପ୍ରସଙ୍ଗରେ ବକ୍ତାମାନେ କହିଥିଲେ। ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ ଏହି ଆଲୋଚନା ଚକ୍ରରେ ମୁଖ୍ୟ ପ୍ରସଙ୍ଗ ଉପସ୍ଥାପନା କରିଥିବା ବେଳେ ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ପ୍ରମୁଖ ବକ୍ତା ଭାବେ ଯୋଗଦେଇଥିଲେ। ସିଟିଜେନ ଫୋରମ୍ ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସର୍ବଶ୍ରୀ ତୁଷାରକାନ୍ତ, ବସନ୍ତ ମାଝୀ, କ୍ରୃଷ୍ଣ ନାୟକ, ବାଘାମ୍ବର ପଟ୍ଟନାୟକ, ସରଳ ଦାସ, ବାସନ୍ତୀ ଆଚାର୍ଯ୍ୟ, ଦାଶରଥି ସେନାପତି, ଅବିନାଶ ନାୟକ, ନିତ୍ୟାନନ୍ଦ ସାହୁ ଓ ରଙ୍ଗା ଚରଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସିଟିଜେନ୍ ଫୋରମ୍ ଆବାହକ ପ୍ରଦୀପ୍ତ ନାୟକ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ।