

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହୁଡା ଫର୍ମାସୀ କଲେଜ ଦୁର୍ନୀତି ବିରୋଧରେ ଧାରଣାରେ ବସିଛନ୍ତି ଏବଂ ଦିଆଯାଉଥିବା ସ୍ମାରକପତ୍ରର ପୁନଃ ବିଚାର କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ସେମାନଙ୍କ ମୁଖ୍ୟ ବିଷୟ ରହିଛି ଶିକ୍ଷା ନାଁରେ କୋଟି କୋଟି ଟଙ୍କାର ହେରଫେର, GPCDA ପରିଚାଳନା କମିଟି ମଧ୍ୟରେ ଫାଟ ସୃଷ୍ଟି (ଏକାଧିକ), ଦୁଇ ଗୋଷ୍ଠୀଙ୍କ କଳହ ଯୋଗୁଁ ଓଡ଼ିଶାର ପ୍ରଥମ ଫର୍ମାସୀ କଲେଜ ବର୍ତ୍ତମାନ ଅବହେଳିତ, କଲେଜ ଅଧ୍ୟକ୍ଷଙ୍କ ହିଟଲର ଶାସନ ଇତ୍ୟାଦି ।
କଲେଜ ଅଫ ଫାର୍ମାସିୟୁଟିକାଲ ସାଇନ୍ସ (CPS) ମହୁଡ଼ାରେ ଚାଲିଥିବା ବିଭିନ୍ନ ସମସ୍ୟା, ପରିଚାଳନା କମିଟିର ଦୁର୍ନୀତି, କଲେଜ ଅଧ୍ୟକ୍ଷଙ୍କ ଅନମୁଖି ଓ ଅର୍ଥ ହେରଫେର ସହ କଲେଜ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଫଣ୍ଡକୁ ସରକାରୀ ଅଡିଟ ନ କରିବା ଇତ୍ୟାଦି ଦାବିକୁ ନେଇ ପୁନଃ ବିଚାର କରିବା ପାଇଁ ବିଭିନ୍ନ ସଙ୍ଗଠନ, ଯଥା – ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, Indian Citizens’ Action for Nation, ଭାରତ ବିକାଶ ପରିଷଦ, ସଂସ୍କାରବାଦୀ ଓ ବରିଷ୍ଠ ନାଗରିକ ମଞ୍ଚ ପ୍ରମୁଖ ପୁଣି ଥରେ ଦାବୀ ଜଣାଇଛନ୍ତି । ମହୁଡା ଫର୍ମାସୀ କଲେଜ (CPS) ମହୁଡା ଓଡ଼ିଶାର ସର୍ବ ପୁରାତନ ଫର୍ମାସୀ କଲେଜ । ୧୯୭୯ ମସିହାରେ ସ୍ୱର୍ଗତ ବୃନ୍ଦାବନ ନାୟକ, ବ୍ରହ୍ମପୁର ସହର ବୁଦ୍ଧିଜୀବୀ ଏବଂ GPCDA ର କିଛି ସଭ୍ୟଙ୍କୁ ନେଇ ପ୍ରତିଷ୍ଠିତ ଏହି ପ୍ରଥମ ଫର୍ମାସୀ କଲେଜ ବର୍ତ୍ତମାନ ଦୁର୍ନୀତିରେ ବୁଡି GPCDA କବ୍ଜାକୁ ଚାଲିଯାଇଛି । ୧୯୭୯ ମସିହାରେ ଆରମ୍ଭ ହୋଇଥିବା ଏହି କଲେଜର ଆଜି ପର୍ଯ୍ୟନ୍ତ ସରକାରୀ ଅଡିଟ ହୋଇନାହିଁ । ପରିଚାଳନା କମିଟି, GPCDA କର୍ତ୍ତୃପକ୍ଷ କଲେଜର ସମସ୍ତ ଅର୍ଥକୁ ହରିଲୁଟ କରିବାରେ ଲାଗିଛନ୍ତି । ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ଏହି ସମସ୍ୟାର ପୁନଃ ବିଚାର କରିବା ପାଇଁ ନିମ୍ଵଲିଖିତ ଦାବୀ କରାଯାଇଛି ।
୧. କଲେଜର ଆଦାୟ ହେଉଥିବା ଛାତ୍ରଛାତ୍ରୀଙ୍କ ଟିୟୁସନ ଫି ୧୯୭୯ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତର ତୁରନ୍ତ ସରକାରୀ ଅଡିଟ କରାଯାଉ ।
୨. କଲେଜ ଅଧ୍ୟକ୍ଷଙ୍କୁ ତୁରନ୍ତ ବହିଷ୍କାର କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୩. ୨୦୦୬ ମସିହାରେ କଲେଜ ରୌପ୍ୟ ଜୟନ୍ତୀ ଅବସରରେ ଆସିଥିବା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ.ପି.ଜେ. ଅବଦୁଲ କାଲାମଙ୍କ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିବା ୮୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅଡିଟ କରାଯାଉ ।
୪. ୨୦୦୬ରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ କାଲାମଙ୍କ ଦ୍ୱାରା ଉଦଘାଟିତ କେନସର କେମୋଥେରାଫି ରିସର୍ଚ୍ଚ ସେଣ୍ଟରଟି ବର୍ତ୍ତମାନ କେଉଁ ଅବସ୍ଥାରେ ରହିଛି ? ଉକ୍ତ ରିସର୍ଚ୍ଚ ସେଣ୍ଟରର ଖର୍ଚ୍ଚକୁ ମଧ୍ୟ ସରକାରୀ ଅଡିଟ କରିବା ନିହାତି ଆବଶ୍ୟକ ତେଣୁ ଏହାର କାର୍ଯ୍ୟାନୁଷ୍ଠାନ କରାଯାଉ ।
୫. ଦୁର୍ନୀତିଗ୍ରସ୍ତ ପରିଚାଳନା କମିଟି ଅଧ୍ୟକ୍ଷ, GPCDAର ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୬. ବର୍ତ୍ତମାନ ଦୁର୍ନତିରେ ବୁଡି ରହିଥିବା କଲେଜ ପରିଚାଳନା କମିଟିକୁ ତୁରନ୍ତ ଭାଙ୍ଗି ସରକାର ନିଜ ଅଧୀନକୁ ନେବା ପାଇଁ ଦାବୀ କରାଯାଇଛି, କାରଣ GPCDA ସଭ୍ୟମାନଙ୍କ ମଧ୍ୟରେ ଲାଗିଥିବା ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ତୀବ୍ର ରୂପ ନେଲାଣି । ତେଣୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି ।
୭. ମହୁଡା ଫର୍ମାସୀ କଲେଜ ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ଆଦାୟ ହୋଇଥିବା ଟିୟୁସନ ଫି ଏବଂ ୧୯୮୦ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି ଠାରୁ ମିଳିଥିବା ଦୁଇଟି କିସ୍ତିର ୪ଲକ୍ଷ ଟଙ୍କାର ଅନୁଦାନ ରାଶିକୁ ଆମ୍ବସାତ କରିଥିବା ପରିଚାଳନା କମିଟି ଅଧ୍ୟକ୍ଷ, GPCDAର ସମ୍ପାଦକ ଓ କିଛି ସଭ୍ୟ ଏବଂ ଏହି ହରିଲୁଟରେ ଜଡିତ ଥିବା ବ୍ୟକ୍ତିଙ୍କର ସମ୍ପତ୍ତିକୁ ଜବତ କରି ଭିଜିଲାନ୍ସ ତଦନ୍ତ କରାଯାଉ ।
୮. ମହୁଡା ଫର୍ମାସୀ କଲେଜ ଛାତ୍ରାବାସର ଜମିପଟା ଏବଂ କାଗଜପତ୍ର କେଉଁଠାରେ ଅଛି, ତାହା ଜଣାପଡ଼ୁନାହିଁ । ନିଜସ୍ୱ ଛାତ୍ରାବାସରେ ଛାତ୍ରଙ୍କୁ ନରଖି କଲେଜ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ନିଜସ୍ୱ ଘରକୁ ଭଡା ଆକାରରେ ରଖି ପିଲାଙ୍କ ଠାରୁ ମୋଟା ଅଙ୍କର ହଷ୍ଟେଲ ଫି ଆଦାୟ କରୁଛନ୍ତି, ଯାହାକି ତଦନ୍ତ ସାପେକ୍ଷ । ଏହାକୁ ରୋକା ଯାଉ ।
୯. କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଆଡ଼ମିସନ ସମୟରେ ପ୍ରମୋସନାଲ ଚାର୍ଜ ବାବଦରେ ଲକ୍ଷାଧିକ ଟଙ୍କା ଅନିତି ଉପାୟରେ ଆଦାୟ କରି GPCDA, ସମ୍ପାଦକ, କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଏବଂ କଲେଜ ଅଧ୍ୟକ୍ଷ ବର୍ତ୍ତମାନ ସୁଦ୍ଧା ହରିଲୁଟରେ ବ୍ୟସ୍ତ ରହିଛନ୍ତି । ତାହାର ତଦନ୍ତ ତୁରନ୍ତ କରାଯାଉ ।
୧୦. କଲେଜରେ ଡମି ଅଧ୍ୟାପକ ରଖି ତାଙ୍କ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା କମିଟି ଅଧ୍ୟକ୍ଷ, କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୧୧. କଲେଜରେ ଥିବା ୨ଟି ବସକୁ ବିକ୍ରି କରି ଭଡାରେ ୬ଟି ପ୍ରାଇଭେଟ ବସକୁ କଲେଜ ପାଇଁ ରଖି ୯ଟି ବସର ବିଲ ପ୍ରସ୍ତୁତ କରି ୩ଟି ବସର ଅଧିକା ଟଙ୍କାକୁ ମିଳିତ ଭାବେ ଚାଲୁ କରୁଛନ୍ତି । ଏହାର କାର୍ଯ୍ୟାନୁଷ୍ଠାନ କରାଯାଉ ।
ଦୀର୍ଘ ବର୍ଷ ହେଲା ମହୁଡା ଫର୍ମାସୀ କଲେଜରେ ଚାଲିଥିବା ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ସଂଗଠନ ମାନବ ଅଧିକାର ସୁରକ୍ଷା ମଞ୍ଚ, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ, Indian Citizens’ Action for Nation, ଭାରତ ବିକାଶ ପରିଷଦ, ସଂସ୍କାରବାଦୀ ଓ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ମଧ୍ୟ ଅଭିଯୋଗ କରାଯାଇଛି । ତେଣୁ ଏହାକୁ ଦୃଢତାର ସହିତ ପୁନଃ ବିଚାର କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ କଲେଜ ପରିଚାଳନା କମିଟି GPCDA ଓ ଦୁର୍ନୀତିଗ୍ରସ୍ତ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଓଡ଼ିଶାର ପ୍ରଥମ ଫର୍ମାସୀ କଲେଜକୁ ସରକାରୀ କରଣ ଓ ସରକାରୀ ଅଡିଟ କରିବା ପାଇଁ ବିଭିନ୍ନ ସଂଗଠନ ଓ ବ୍ରହ୍ମପୁରର ଜନସାଧାରଣଙ୍କ ତରଫରୁ ଦାବୀ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

