ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୋରଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ମା କନ୍ଧୁଣୀ ଦେବୀଙ୍କ ବଡ଼ ଯାତ ବଡ଼ ପୂଜା ଆଜି ସମ୍ପନ୍ନ ହୋଇଯାଇଛି । ଏହି ମନ୍ଦିରଟି ସୋରଡା ଠାରୁ ୧୫ କି.ମି ଦୂରରେ ଭଗବାନପୁର, କାଠଗଡା ଓ ପଦରାଇଶୁଣୀ ଗ୍ରାମର ନିକଟରେ ଅବସ୍ଥିତ । ଭାଦ୍ରବ ମାସର ଦ୍ୱିତିୟା ଚନ୍ଦ୍ର ଦେଖିବା ପରେ ଆସୁଥିବା ପ୍ରଥମ ମଙ୍ଗଳବାରରେ ଗୋଚ୍ଛା ଅଞ୍ଚଳର ଡାବିକି ସ୍ଥିତ କନ୍ଧୁଣୀ ଦେବୀ ମନ୍ଦିରରେ ଯାତ୍ରା ଅନୁଷ୍ଠିତ ହୋଇଥାଏ, ଏହାର ପର ଦିନ ଭଗବାନପୁର, କାଠଗଡା ଓ ପଦରାଇଶୁଣୀ ଅଞ୍ଚଳରେ ଥିବା କନ୍ଧୁଣୀ ଦେବୀ ମନ୍ଦିରରେ ବଡ଼ ପୂଜା ହୋଇଥାଏ । ଏହି ପୂଜାରେ ଭଗବାନପୁର, କାଠଗଡା, ପଦରାଇଶୁଣୀ, ରୁମାପଲ୍ଲୀ, ଅସୁରବନ୍ଧ ଆଦି ଗ୍ରାମରୁ ବାଦ୍ୟ ବାଜଣା ସହ ଯୋଗାଡ ଆସିଥାଏ । ପରମ୍ପରା ଅନୁସାରେ ଛାଗବଳୀ ମଧ୍ୟ ପଡିଥାଏ । ରସାବଳୀ, ଖିରି, କାକରା ଆଦି ଅମୁଣିଆ ଲାଗିଥାଏ । ସର୍ବପ୍ରଥମେ କାଠଗଡା ନାୟକ ଘର ଭୋଗ ଲାଗିବା ପରେ ଅନ୍ୟ ଗ୍ରାମର ଭୋଗ ହୋଇଥାଏ । ଏହି ପର୍ବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । କହିବାକୁ ଗଲେ ମା ଙ୍କ ପିଠରେ ବାରମାସି ଯାତ ଲାଗି ରହିଥାଏ । ଭଗବାନପୁର, କାଠଗଡା ଓ ପଦରାଇଶୁଣୀ ଗ୍ରାମବାସୀ ମାନେ ପାଳି କରି ମନ୍ଦିର କାର୍ଯ୍ୟ ବୁଝିଥାନ୍ତି । ଆଜି ବଡ଼ ଆଡ଼ମ୍ବରର ସହ ଏହି ପୂଜା କାର୍ଯ୍ୟ ସମାପ୍ତ ହୋଇଯାଇଛି । ବଡ ଦୁଖର କଥା ଏହି କି ଯେ ଏଠାରେ ବିଜୁଳୀ ଓ ପାଣିର ସୁବନ୍ଦୋବସ୍ଥ ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଆସୁବିଧାର ଶୀଘ୍ର ଦୂରିକରଣ କରାଗଲେ ଭକ୍ତ ଓ ଯାତ୍ରୀମାନଙ୍କ ପାଇଁ ସୁବିଧା ସହ ମନ୍ଦିରର ଆକର୍ଷଣ ଶତଗୁଣିତ ହୋଇଯିବ ଏଥିରେ ସନ୍ଦେହ ନାହିଁ । ଏହା ଏକ ବିଶେଷ ପର୍ଯ୍ୟଟନ ସ୍ଥଳି ମଧ୍ୟ । ତେଣୁ ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏହାର ସମାଧାନ କରାଯାଉ ବୋଲି ସାଧାରଣରେ ଦାବୀ କରାଯାଇଛି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ