ମାଇକ୍ରୋ ଅବଜର୍ଭରଙ୍କ ତାଲିମ:ଚଳିତ ସାଧାରଣ ନିର୍ବାଚନକୁ ତ୍ରୁଟିଶୂନ୍ୟ ଭାବରେ ପରିଚାଳନା କରିବାକୁ ଗୁରୁତ୍ୱାରୋପ…

ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ସାଧାରଣ ନିର୍ବାଚନକୁ ତ୍ରୁଟିଶୂନ୍ୟ ଭାବରେ ପରିଚାଳନା କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ବାଚନ ଆୟୋଗଙ୍କ ପ୍ରଣୀତ ନିୟମାବଳୀ ଅନୁଯାୟୀ ମାଇକ୍ରୋ ପର୍ଯ୍ୟବେକ୍ଷକମାନେ କାର୍ଯ୍ୟ କରିବାକୁ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମାଇକ୍ରୋ ପର୍ଯ୍ୟବେକ୍ଷକ ମାନଙ୍କର ଆଜି ଏହା ଶେଷ ତାଲିମ । ପ୍ରତ୍ୟେକ ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କୁ ଗୋଟିଏ କିମ୍ବା ଦୁଇଟି ବୁଥ୍ ଦାୟିତ୍ୱରେ ରଖାଯିବ । ଗଞ୍ଜାମରେ ନିର୍ବାଚନ ପାଇଁ ମୋଟ ୩୦୬୩ଟି ବୁଥ୍ ମଧ୍ୟରୁ ୫୪୬ ବୁଥ୍ କୁ ଉତେଜନା ପ୍ରବଣ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହାକୁ ଅନୁଧ୍ୟାନ କରିବା ପାଇଁ ୧୨୩ ଗୋଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ନିଯୁକ୍ତି ହେବେ । ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମାଇକ୍ରୋ ପର୍ଯ୍ୟବେକ୍ଷକମାନେ ବିଭିନ୍ନ ବୁଥ୍କୁ ପ୍ରେରଣ ହେବେ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାଇକ୍ରୋ ପର୍ଯ୍ୟବେକ୍ଷକ ଅପ୍ରିଲ ୯ ତାରିଖ ପୂର୍ବାହ୍ନ ୭ ଘଂଟା ସମୟରେ ସଂପୃକ୍ତ ବ୍ଲକରେ ରିପୋର୍ଟ କରିବେ । ପ୍ରିଜାଇଡିଂ ଅଫିସରଙ୍କୁ ସହାୟତା ପୂର୍ବକ ମତଦାନ ଦିବସରେ ମକପୋଲ୍ ଠାରୁ ଆରମ୍ଭ କରି ଭୋଟିଂ ଶେଷ ପର୍ଯ୍ୟନ୍ତ ମାଇକ୍ରୋ ପର୍ଯ୍ୟବେକ୍ଷକ ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରିବେ । ଏଥିପାଇଁ ସେମାନଙ୍କୁ ୧୮ ସୂତ୍ରୀ କାର୍ଯ୍ୟ ସହିଂତା ପ୍ରଦାନ କରାଯାଇଛି । ଆସନ୍ତା ନିର୍ବାଚନରେ ଭୋଟର ସଚେତନତା କାର୍ଯ୍ୟକ୍ରମ ସୂଚାରୁ ରୂପେ ହୋଇଥିବାରୁ ମତଦାନ ହାମ ମଧ୍ୟ ବଢିବାର ସମ୍ଭାବନା ରହିଛି । ଶେଷୋକ୍ତ ବ୍ୟକ୍ତିଙ୍କୁ ମତଦାନ କରିବା ମାଇକ୍ରୋ ପର୍ଯ୍ୟବେକ୍ଷକମାନେ ସହାୟକ ହେବେ । ଭୋଟର କେନ୍ଦ୍ରରେ କିଛି ଅଘଟଣ ଘଟିଲେ ମାଇକ୍ରୋ ପର୍ଯ୍ୟବେକ୍ଷକ ସେକ୍ଟର ଅଫିସର କିମ୍ବା ଆବଶ୍ୟକ ସ୍ଥଳେ ନିର୍ବାଚନ ପର୍ଯ୍ୟବେକ୍ଷକ ଅଥବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅବିଳମ୍ବେ ଯୋଗାଯୋଗ କରିବାକୁ କୁହାଯାଇଛି । ଭୋଟିଂ ମେସିନ୍ର ପରିଚାଳନା ସମ୍ବନ୍ଧରେ ମଧ୍ୟ ମାଇକ୍ରୋ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ପାନସାରୀ, ଉତମ କୁମାର ଚକମା, କମଳେଶ ପ୍ରସାଦ ସିଂ, ବ୍ରିଜ୍ରାଜ୍ ରାଏ ଓ ପୁଲିସ ପର୍ଯ୍ୟବେକ୍ଷକ ସୁନୀଲ୍ କୁମାର ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ.ବିଜୟା ନନ୍ଦ ସେଠୀ, ପର୍ଯ୍ୟବେକ୍ଷକ ନୋଡଲା ଅଫିସର ସୌମେନ୍ଦ୍ର ରାଉତରାୟ ଓ ଅନ୍ୟାନ୍ୟ ବିଭାଗୀୟ  ଅଧିକାରୀମାନେ ଯୋଗଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା