

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡା ଜିଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି । ରାସ୍ତା କାମକୁ ବିରୋଧ କରି ୩ଟି ଗାଡିକୁ ପୋଡ଼ିଦେଇଥିବା ଜଣାପଡ଼ିଛି । ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁରଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାକୁ ମାଓବାଦୀ ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ଶୁକ୍ରବାର ରାତିରେ ୨ମହିଳା ସମେତ ୧୫ରୁ ଊର୍ଦ୍ଧ୍ୱ ମାଓବାଦୀ ଟିକର ପଡ଼ାରେ ଥିବା ଠିକାଦାର କ୍ୟାମ୍ପରେ ପହଞ୍ଚି ସେଠାରେ ରଖାଯାଇଥିବା ହିଟାଚି, ଜେସିବି ଓ ରୋଲର ଗାଡିରେ ନିଆଁ ଲଗାଇଦେଇଥିଲେ । ଏଥିସହ ଘଟଣାସ୍ଥଳରେ ୩ଟି ହାତଲେଖା ପୋଷ୍ଟର ଛାଡିଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ କଟକ ଡଙ୍ଗରରେ ଥିବା ବକ୍ସାଇଟ ଖଣିକୁ କମ୍ପାନୀକୁ ଟେକିଦେବା ପାଇଁ ଏହି ରାସ୍ତା ନିର୍ମାଣ କରାଯାଉଛି ବୋଲି ମାଓବାଦୀ ଅଭିଯୋଗ କରିଛନ୍ତି । ଏହା ସହ ଲୋକଙ୍କ ଯିବା ଆସିବା ପାଇଁ ୮ଫୁଟର ରାସ୍ତା ନିର୍ମାଣ ପାଇଁ ଦାବି କରିଛି ବାଂସଧାରା ଘୁମୁସର ନାଗାବଳୀ ଡିଭିଜ୍ନାଲ କମିଟି (CPI)ର ମାଓବାଦୀ । ଏହି ଘଟଣା ଘଟିବା ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିବା ସହ ଘଟଣାର ଅନୁଧ୍ୟାନ କରୁଛି । ଅନ୍ୟପଟେ ଶରଧାପୁର,ଟିକରପଡା ଓ ଥୁଆପାଡି ଅଞ୍ଚଳରେ କୋମ୍ବିଂ ଅପରେସନ୍ କୁ ଜୋରଦାର କରାଯାଇଛି ବୋଲି ରାୟଗଡା ଏସପି ଶର୍ବଣା ବିବେକ୍.ଏମ୍. ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

