ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ମାଟିଖାଲ ଗ୍ରାମବାସୀ ଦୀର୍ଘ ସମୟ ଧରି କାଳିଆବାଲି ଦେଇ ଆଇଆଇଇକୁ ସଂଯୋଗ କରୁଥିବା ରାସ୍ତାରେ ଭାରୀଯାନ ଚଳପ୍ରଚଳ ବନ୍ଦ କରିବା ସମେତ ଅନ୍ୟାନ୍ୟ ଦାବି ନେଇ ଦିନ ୧୦ରୁ ୨ଟା ପର୍ଯ୍ୟନ୍ତ ୪ ଘଣ୍ଟା ମାଟିଖାଲ ଗ୍ରାମବାସୀମାନେ ରାସ୍ତା ଉପରେ ବସି ରହି ରାସ୍ତାରୋକ କରିଥିଲେ । ଏହାସହ ଆଇରଆଇ ଓ ଗୋପାଳପୁର ପୋର୍ଟର ଦୈନିକ ଶହ ଶହ ଭାରୀଯାନ ଉକ୍ତ ରାସ୍ତା ଦେଇ ଯାଉଥିବାରୁ ରାସ୍ତା ଖରାପ ହେବା ସହିତ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ଗୋଟିଏ ବାଇକ ସାଇକେଲ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ବେଳେ କୌଣସି ଅଜଣାଗାଡି ଧକ୍କା ଦେଇ ଚାଲି ଯାଇଥିଲା । ଏହାର ପ୍ରତିବାଦ କରି ଗ୍ରାମବାସୀ ରାସ୍ତାରୋକ କରିଥିଲେ । ରାସ୍ତାରୋକ ଯୋଗୁଁ ଜାତୀୟ ରାଜପଥରେ ଶହ ଶହ ଟ୍ରକ ଓ ଆଇଆରଇ ରାସ୍ତାରେ ମଧ୍ୟ ଟ୍ରକ ଅଟକି ରହିଥିଲା । ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ଗ୍ରାମବାସୀ ନିଜ ଜିଦରେ ଅଟକ ରହିଥିଲେ । ପରେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇନାହିଁ ସେତେ ଦିନ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ କୌଣସି ଭାରୀଯାନ ଯିବା ଆସିବା କରିବ ନାହିଁ ବୋଲି ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀଙ୍କ ଉପସ୍ଥିତିରେ ଅତିରିକ୍ତ ତହସିଲଦାର ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ଦାବି କରାଯାଇଥିଲା । ସେ ଦାବି ଗୁଡିକ ହେଲା ଗୋପାଳପୁର ପୋର୍ଟ ଓ ଆଇଆରଇ କମ୍ପାନୀ ସିଏସଆର ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଉକ୍ତ ରାସ୍ତାରେ ୩ଟି ହାଇମାଷ୍ଟ ଲାଇଟ, ପାନୀୟ ଜଳ ବ୍ୟବସ୍ଥା କରିବା, ଆଇଆରଇ କଲୋନୀ ଭିତରେ ଥିବା ଲୋକଙ୍କୁ ମେଡିକାଲକୁ ଛାଡିବା ଏବଂ ଏହି ଦୁଇ କମ୍ପାନୀରେ ଗ୍ରାମର କିଛି ଲୋକଙ୍କୁ ନିଯୁକ୍ତି ଦେବା । ଏ ସମ୍ପର୍କରେ ଆଗାମୀ ଦିନରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା