ମାଟ୍ରିକ ପରୀକ୍ଷା ଫଳ ବିଳମ୍ବକୁ ନେଇ ଚିନ୍ତାରେ ଉଭୟ ଅଭିଭାବକ ଏବଂ ଛାତ୍ରଛାତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ଦ୍ଵିତୀୟ ସପ୍ତାହ ପରେ ମଧ୍ୟ ଫଳ ପ୍ରକାଶନର କୌଣସି ସୂଚନା ନାହିଁ । ଫଳ ପ୍ରକାଶନ ନେଇ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ କହିପାରୁନାହାନ୍ତି । ଏହା ମଧ୍ୟରେ ସିବିଏସ୍ଇର ଉଭୟ ଦଶମ ଓ ଦ୍ୱାଦଶ ଫଳାଫଳ ସହିତ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି । ମାଟ୍ରିକ ପରୀକ୍ଷା ଫଳ ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଓ ଅଭି‌ଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଫେବ୍ରୁ୍ଆରି ୨୪ରୁ ଆରମ୍ଭ ‌ହୋଇଥିବା ମାଟ୍ରିକ, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା ମାର୍ଚ ୯ ତାରିଖରେ ସରିଥିଲା । ମୂଲ୍ୟାୟନ ପ୍ରକ୍ରିୟା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ଏପ୍ରିଲ ୫ରେ ଶେଷ ହୋଇଥିଲା । ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ‌ବେଳେ ଓଏମ୍‌ଆର୍‌ ମୂଲ୍ୟାୟନ ଚାଲିଥିଲା । ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ମାର୍କ ପୋଷ୍ଟିଂ ହୋଇଥିଲା । କିନ୍ତୁ ଚୂଡାନ୍ତ ପର୍ଯ୍ୟାୟରେ କିଛି ପରୀକ୍ଷାର୍ଥୀଙ୍କ ଦୀର୍ଘ ଉତ୍ତରମୂଳକ ମାର୍କ ସହିତ ଓଏମ୍ଆର୍‌ ମାର୍କ ମଧ୍ୟରେ ତାଳମେଳ ଖାଇନଥିବା ସୂଚନା ମିଳିଛି । କିଛି ପରୀକ୍ଷାର୍ଥୀ ଦୀର୍ଘ ଉତ୍ତରୂମଳକରେ ୪୦/୪୫ ନମ୍ବର ରହିଥିବା ବେଳେ ଓଏମ୍‌ଆର୍‌ରେ ୪/୫ ନମ୍ବର ରହିଛି । ବୋର୍ଡ ଭାଷାରେ ଏହାକୁ ଆବ୍‌ସର୍ଡ ନମ୍ବର କୁହାଯାଏ । ଗଲା ୩ ଦିନ ଧରି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏହି ଆବ୍‌ସର୍ଡ ନମ୍ବର ସବୁର ସଂଶୋଧନ ଚାଲିଥିଲା । କିଛି ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ସଂଶୋଧନ ହୋଇସାରିଥିବା ସୂଚନା ମିଳିଛି । ଏହି ସମାନ ଅବସ୍ଥା ମଧ୍ୟ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ କ୍ଷେତ୍ରରେ ଦେଖାଯାଇଛି । ସବୁର ସଂଶୋଧନ ପରେ ଏବେ ଚୂଡାନ୍ତ ପ୍ରକ୍ରିୟା ଚାଲିଛି । ଅନ୍ୟ ପକ୍ଷରେ ନେଟ୍‌ କାମ ନକରିବା ମଧ୍ୟ ଫଳ ପ୍ରକାଶନ ବିଳମ୍ବର କିଛି ଅଂଶରେ ଦାୟୀ ବୋଲି ବୋର୍ଡରେ ଅଧିକାରୀ କହିଛନ୍ତି । ଏଭଳି ସ୍ଥିତିରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶନ ଚଳିତ ମାସ ୨୦ ତାରିଖରେ ହୋଇପାରେ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ରିପୋର୍ଟ :> ଆକାଶ ମିଶ୍ର