ଭୁବନେଶ୍ବର(ସମୃଦ୍ଧଓଡିଶା) ଆଜି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ଅନ୍ନ ଅଭିଯାନ ଅଧିନରେ ମାଣ୍ଡିଆ କ୍ରୟ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଚଳିତ ବର୍ଷ ଚାଷୀମାନଙ୍କୁ ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୪୨୯୦/- ଟଙ୍କା ସହ ରାଜ୍ୟ ସରକାରଙ୍କ ଅତିରିକ୍ତ ପ୍ରୋତ୍ସାହନ ରାଶି ୨୧୦ ଟଙ୍କା ମିଶି କୁଇଣ୍ଟାଲ ପିଛା ସର୍ବମୋଟ ୪୫୦୦/- ଟଙ୍କା ପ୍ରଦାନ କରାଯିବାକୁ ସରକାର ଅନୁମୋଦନ ପ୍ରାପ୍ତ କରିଛନ୍ତି । ଚାଷୀ ତଥା ଜନସାଧାରଣଙ୍କୁ ଏନେଇ ସଚେତନ କରିବା ଏବଂ ଜିଲ୍ଲା ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି | ଏହି ଅବସରରେ ମାଣ୍ଡିଆ କ୍ରୟ ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଡ଼ ପାଢ଼ୀ ପରାମର୍ଶ ଦେବା ସହ ଚାଷୀ ଭାଇ ଭଉଣୀ ଯେପରି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ପ୍ରାପ୍ୟ ପ୍ରଦାନରେ ଅନିୟମିତତା ଦୃଷ୍ଟିଗୋଚର ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ବୈଠକ ରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ଯୋଗାଣ ବିଭାଗ, ଆଦିବାସୀ ଉନ୍ନୟନ ବିଭାଗ, କୃଷି ବିଭାଗ ଏବଂ ଶ୍ରୀ ଅନ୍ନ ଅଭିଯାନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର