ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦେବୀ ମା’ତାରାତାରିଣୀଙ୍କ ପୀଠକୁ ଏଣିକି ବ୍ରହ୍ମପୁରରୁ ପ୍ରତିଦିନ ଚଳାଚଳ କରିବ ସ୍ୱତନ୍ତ୍ର ବସ । ଏହି ବସ ବ୍ରହ୍ମପୁର ରେଳ ଷ୍ଟେସନରୁ ବାହାରିବ । ଯାତ୍ରୀ ଭଡା ୪୦ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ପୁରୁଷୋତ୍ତମରପୁର ମା’ କନକେଶ୍ଵରୀ ଘରୋଇ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ମା’ କନକେଶ୍ଵରୀ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଉକ୍ତ ରୁଟରେ ଏକ ସ୍ୱତନ୍ତ୍ର ବସ ଚଳାଚଳ କରାଯିବ । ଏଥିରୁ ଯାହା ଲାଭ ହେବ ତାହା ତାରାତାରିଣୀ ମନ୍ଦିର ପାଣ୍ଠିକୁ ଦିଆଯିବ ବୋଲି ବସ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି କହିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହ ଆଲୋଚନା ହୋଇଛି । ସଭାପତି ଶ୍ରୀ ପତି ବସ କିଣିବା ପାଇଁ ଅଢେଇ ଲକ୍ଷ ଦେଇଥିବା ବେଳେ ସଂଘର ଅନ୍ୟ ସଦସ୍ୟମାନେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଗଲା ଚୈତ୍ର ପର୍ବ ୪ ପାଳିରେ ମନ୍ଦିର ବସ ଭଡା ବାବଦରେ ପ୍ରାୟ ୮ ଲକ୍ଷ ଟଙ୍କା ଆଦାୟ ହୋଇଛି । ଉକ୍ତ ବସ ଟଙ୍କାରେ ଏକ ବସ କ୍ରୟ କରି ଏହି ରୁଟରେ ଚଳାଯିବ । ବସ ଚଳାଚଳରେ ଯାହା ଲାଭ ମିଳିବ ନନ୍ଦିର ପାଣ୍ଠିକୁ ଦିଆଯିବ । ଯଦି କ୍ଷତି ହୂଏ ତେବେ ଘରୋଇ ବସ ମାଲିକ ସଂଘ ତାହା ଭରଣା କରିବା ବୋଲି ବସ ମାଲିକ ସଂଘ ସଭାପତି ଶ୍ରୀ ପତି କହିଛନ୍ତି । ପର୍ଯ୍ୟଟକ କିମ୍ବା ଭକ୍ତ ବ୍ରହ୍ମପୁର ରେଳଷ୍ଟେସନ ଠାରୁ ତାରାତାରିଣୀ ମନ୍ଦିରକୁ ଯିବାକୁ ଚାହିଁଲେ ଯାନବାହାନ ଭଡା ବାବଦରେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ପ୍ରଥମେ ରେଳ ଷ୍ଟେସନ ଠାରୁ ବସଷ୍ଟାଣ୍ଡକୁ ଆସିବା ପାଇଁ ୫୦ରୁ ଶହେ ଟଙ୍କା ଖର୍ଚ୍ଚ କରୁଛନ୍ତି . ପୁଣି ବସଷ୍ଟାଣ୍ଡରୁ ତାରାତାରିଣୀ ଛକକୁ ଯିବାକୁ ହେଲେ ବସ ଭଡା ଗଣୁଛନ୍ତି । ସେଠାରୁ ମନ୍ଦିରକୁ ଯିବା ପାଇଁ ଅଟୋ କିମ୍ବା ରିକ୍ସା ଭଡା ବାବଦରେ ଖର୍ଚ୍ଚାନ୍ତ ହେଉଛନ୍ତି । ଏଣୁ ରେଳଷ୍ଟେସନ ଠାରୁ ସିଧା ମା’ଙ୍କ ପିଠାକୁ ମାତ୍ର ୪୦ ଟଙ୍କାରେ ଜଣେ ଭକ୍ତ ସୁବିଧାରେ ଯାଇପାରିବ । ଏଣୁ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଘରୋଇ ବସ ମାଲିକ ସଂଘ ଏହି ପଦକ୍ଷେପ ନେବାକୁ ସ୍ଥିର କରିଛି ବୋଲି ଶ୍ରୀ ପତି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା