“ମାତୃଭାଷା ଦିବସ” ଉପଲକ୍ଷେ…

———–ରାଣ୍ଡି——–
କୋଟିଏ ଓଡ଼ିଆ ଗୋଟିଏ କଣ୍ଠରେ ଡାକ ତ୍ରାହି ଜଗନ୍ନାଥ ।
ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବେ ଜାତିର ଉନ୍ନତି ପଥ ।
ସୁଦର୍ଶନ ଚକ୍ର ଗରଜି ଉଠିବ ବଳିଆର ବହୁତଳେ ।
ମାତାଙ୍କ ଶୃଙ୍ଗାର ପୂର୍ଵାଵତ ହେବ ଶତ୍ରୁ ପଳେଇବେ ଡରେ ।
ଏହି ପଂକ୍ତିର ରଚୟତା ବା ସ୍ରଷ୍ଟା କିଏ ଜାଣିଛନ୍ତି ? ଏହାର ସ୍ରଷ୍ଟା ଥିଲେ କୁଳବୃଦ୍ଧ । କିଏ ଏହି କୁଳବୃଦ୍ଧ ? ଯିଏ କୁଳବୃଦ୍ଧଙ୍କୁ ଜାଣିଛନ୍ତି ତାଙ୍କୁ ଧନ୍ୟବାଦ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ କୁଳବୃଦ୍ଧ ଆଖ୍ୟା ଦିଆଯାଇଥିଲା । କୁଳର ମୁଖିଆ ବା ବୃଦ୍ଧ ବ୍ୟକ୍ତି ଯେପରି କୁଳର ମର୍ଯ୍ୟାଦା ବା ସ୍ୱତନ୍ତ୍ରତା ବଜାୟ ରଖିବାକୁ ଦୃଢ ହସ୍ତ ହୋଇଥାନ୍ତି ସେହିପରି କୁଳବୃଦ୍ଧ ଓଡିଶାର ସ୍ୱତନ୍ତ୍ର ପରିଚୟ ପାଇଁ ଓ ଓଡ଼ିଆ ଭାଷାର ସ୍ୱତନ୍ତ୍ର ମାନ୍ୟତା ପାଇଁ କମର ବାନ୍ଧିଥିଲେ ଓ ମୁଖିଆ ଭାବେ ଲଢ଼ିଥିଲେ । ଯାହାର ସ୍ୱାଦିଷ୍ଟ ଫଳ ଆମେମାନେ ଏବେ ଉପଭୋଗ କରୁଛେ ଓ ଗର୍ବରେ ଓଡ଼ିଆ ବୋଲି କହୁଛେ । ମଧୁ ବାରିଷ୍ଟରଙ୍କ ଯୋଗୁଁ ଓଡିଶାର ସମସ୍ୟା ଲଣ୍ଡନ ପହଂଚି ପାରିଥିଲା ଓ ଲଣ୍ଡନ କଚେରୀରେ ବିଜୟ ଲାଭ କରିଥିଲା, ତାଙ୍କର ଚମତ୍କାରୀ ଓକିଲାତି ଓ ଚତୁର ଉପସ୍ଥାପନା ଦ୍ୱାରା । ମଧୁବାବୁ ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ସତ୍ୟଭାମାପୁରରେ ପିତା ରଘୁନାଥ ଚୌଧରୀ ଓ ମାତା ପାର୍ବତୀ ଦେବୀଙ୍କ କୋଳ ଦ୍ୱାରା ଓଡିଶା ମାଟିରେ ପଦାର୍ପଣ କରି ଧନ୍ୟ କରାଇଥିଲେ । ସେ ଏକ ଜମିଦାର ପରିବାରରେ ଜନ୍ମିତ ହୋଇଥିଲେ, ଗୋବିନ୍ଦବଲ୍ଲଭ ନାମରେ । ୧୮୬୪ରେ ମଧୁବାବୁ ରେଭେନ୍ସା କଲିଜିଏଟ ସ୍କୁଲରୁ ମାଟ୍ରିକ ପାସ ପରେ ଉଚ୍ଚଶିକ୍ଷା ନିମନ୍ତେ କଲିକତା ଚାଲିଗଲେ । ୧୮୬୪ ମସିହାରେ ସେ ଆଇଏ ପାସ କଲେ । ୧୮୬୬ରେ ଓଡିଶା ନଅଙ୍କ ଦୁର୍ଭିକ୍ଷର ସାମ୍ନା କରିଥିଲା । ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ମରିଥିଲେ । ଓଡିଶାର ଆର୍ଥିକ ସ୍ତିତି ଦୋହଲି ଯାଇଥିଲା । ମଧୁବାବୁଙ୍କ ପିତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଏତେ ଖରାପ ହୋଇ ଯାଇଥିଲା ଯେ ସେ ତାଙ୍କୁ କଲିକତାରେ ବି.ଏ. ପଢିବା ପାଇଁ ଟଙ୍କା ଦେଇ ପାରିଲେ ନାହିଁ । ସେତେବେଳେ ଖ୍ରୀଷ୍ଟିଆନ ମିଶନରି ହିନ୍ଦୁ ମାନଙ୍କୁ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ ଆର୍ଥିକ ସହାୟତା ଦେଉଥିଲେ । ତେଣୁ ମଧୁବାବୁ ନିଜ ହୃଦୟର ଇଚ୍ଛା ପୂରଣ ନିମନ୍ତେ ଅମ୍ବିକା ପ୍ରସାଦ ହାଜିରାଙ୍କ ଦ୍ୱାରା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନେଇଥିଲେ ଓ ନିଜ ନାମ ମଧୁସୂଦନ ଦାସକୁ ପରିବର୍ତନ କରି ନେଇଥିଲେ । ନିଜର ବି.ଏ. ପଢିବା ନିମନ୍ତେ ଅର୍ଥର ଯୋଗାଡ କରି ନେଇଥିଲେ । ସେପଟେ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଯୋଗୁଁ ତାଙ୍କ ପିତା ତାଙ୍କୁ ଘରୁ ବାହାର କରି ଦେଇଥିଲେ । ସେ ଗାଁ ବାହାରେ ଏକ ଘରେ ରହୁଥିଲେ । ଯାହାକି ମଧୁକୋଠି ବା ବାଲିପୋଖରୀ କୋଠି ନାମରେ ନାମିତ ଥିଲା । ବର୍ତମାନ ସେଠାରେ କସ୍ତୁରବା ଜାତୀୟ ଟ୍ରଷ୍ଟ ର ଅଫିସ ଚାଲିଛି । ନିଜର ଓକିଲାତି ଶେଷ କରି ସେ ପ୍ରଥମ ଓଡ଼ିଆ ଭାବେ ଏମ. ଏ ଓ ବି.ଏଲ ଶିକ୍ଷା ଲାଭ କଲେ । ନିଜର ଅବହେଳିତ ଓ ଦୁର୍ଦଶା ଗ୍ରସ୍ତ ଭାଇ ଓ ଭଉଣୀ ମାନଙ୍କ ପାଇଁ ତାଙ୍କ ହୃଦୟ ସର୍ବଦା କାନ୍ଦୁଥିଲା । ସେଥିପାଇଁ ସେ କଟକ ଚାଲି ଆସିଲେ ଓ ଓକିଲାତି ଆରମ୍ଭ କଲେ ଏବଂ ମଧୂବାରୀଷ୍ଟର ବୋଲାଇଲେ । ସେ ସର୍ବଦା ଓଡ଼ିଶାର ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଉପଦେଶ ଦେଉଥିଲେ । ସେ ନିଜେ ୧୮୯୪ ମସିହାରେ ଉତ୍କଳ ଟ୍ୟାନେରୀ ନାମରେ ଏକ ଚମଡା କାରଖାନା ସ୍ଥାପନ କରିଥିଲେ କଟକରେ ଓ ତାରକସି କାମକୁ ପ୍ରୋତ୍ସାହନ ଦେଇଥିଲେ । ୧୮୮୪ ମସିହାରେ ମଧୁବାବୁ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ଓଡିଶା ସ୍ୱତନ୍ତ୍ର ପ୍ରଦେଶ ନିମନ୍ତେ ସରକାରଙ୍କ ନିକଟରେ ଦାବି କରିଥିଲେ । ପରିସ୍ଥିତି ଚାପରେ ଖ୍ରୀଷ୍ଟ ଧର୍ମସିନା ଗ୍ରହଣ କରିଥିଲେ କିନ୍ତୁ ଜଗନ୍ନାଥ ଓ ଓଡିଶା ତାଙ୍କ ରକ୍ତରେ ପ୍ରବାହିତ ହେଉଥିଲେ । ଧର୍ମ ମଣିଷର ସଂସ୍କୃତି ଓ ପରମ୍ପରାକୁ ତାଠୁ ଅଲଗା କରିପାରେନି । ଶ୍ରୀମନ୍ଦିର କେଶ ତାଙ୍କୁ ଓଡିଶା ଆନ୍ଦୋଳନ ଭିତରକୁ ଟାଣି ନେଇଥିଲା ଓ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିଗରେ ପ୍ରେରିତ କରିଥିଲା । ୧୮୭୮ ମସିହାରେ ପୁରୀ ଠାକୁର ରାଜା ଦିବ୍ୟସିଂହ ଦେବଙ୍କୁ ହତ୍ୟା ମାମଲାରେ ଇଂରେଜ ସରକାର ଆଣ୍ଡାମାନ ଜେଲ ଆଜୀବନ କାରାଦଣ୍ଡରେ ପଠାଇଦେଲେ । ଏହା ଦେଖି ତାଙ୍କ ମାତା ତାଙ୍କ ୫ ବର୍ଷର ନାତିର ରାଜ୍ୟାଭିଷେକ କାରରି ନିଜେ ଶ୍ରୀମନ୍ଦିର ପରିଚାଳନାର ଭରା ନେଲେ । ହେଲେ ଇଂରେଜ ସରକାର ଏହାକୁ ଖାରଜ କରି ମନ୍ଦିର ପରିଚାଳନା ଭରା ନିଜେ ନେବାକୁ ଷଡଯନ୍ତ୍ର ଆରମ୍ଭ କଲେ । ଏହା ଓଡ଼ିଶାର ସଂସ୍କୃତି ଓ ମନ୍ଦିର ପ୍ରଦୀ ପଦାଘାତ ଥିଲା କି ବିଦେଶୀ ମାନେ ମନ୍ଦିର ପରିଚାଳନା କରିବେ ଓ ମନ୍ଦିରରେ ପ୍ରବେଶ କରି ମନ୍ଦିରକୁ ନଷ୍ଟ କରିବେ । ତେଣୁ ରାଜମାତା ଇଂରେଜଙ୍କ ବିରୁଦ୍ଧରେ କଲିକତା ହାଇକୋଟରେ ପିଟିସନ ଦାୟର କଲେ । କିନ୍ତୁ କେଶ ଲଢ଼ିବାପାଇଁ ତାଙ୍କ ପାଖେ ସମ୍ବଳ କିମ୍ବା ଦସ୍ତାବିଜ ନଥିଲା । ସେ ମଧୁବାବୁଙ୍କୁ ଅନୁରୋଧ କଲେ ଏହି କେଶ ଲଢ଼ିବା ପାଇଁ । ଏହି କେଶ ନେଲେ ହାରିବା ନିଶ୍ଚିନ୍ତ ବୋଲି ସମସ୍ତେ କହିଲେ । କିନ୍ତୁ ମଧୁବାବୁ କୌଣସି କଥାକୁ କର୍ଣ୍ଣପାତ ନକରି କେଶ ଲଢ଼ିଥିଲେ । ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ କେବଳ ନିଜ ଶିକ୍ଷା ପୂରଣ କରିବା ପାଇଁ । କିନ୍ତୁ ତାଙ୍କ ମନ ଓ ହୃଦୟରୁ ଓଡିଶା ଓ ଜଗନ୍ନାଥ ସଂସୃତି କେବେ ଯାଇନଥିଲା । ସେ କେବେ ନିଜକୁ ଓଡିଶାରୁ ଅଲଗା କରିନଥିଲେ । ତେଣୁ ଓଡ଼ିଶାର ଯେଉଁ ସଂସ୍କୃତିକୁ ରକ୍ଷା କରିବାକୁ ଆମ ପୂର୍ବପୁରୁଷ ମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ ତାହା ଆଜି ବିପଦରେ ଥିଲା । ମଧୁବାବୁ ନିଜର ବଳିଷ୍ଠ ଯୁକ୍ତି ଓ ବାକ ଚାତୁରୀ ଦ୍ୱାରା ଏହି କେଶକୁ ଜିତି ଥିଲେ । କଥାରେ ଅଛି :- “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ” । ସ୍ୱୟଂ ନାରାୟଣ ମଧୁବାବୁଙ୍କ ଦ୍ଵାରା ଏକ ମହାନ କାର୍ଯ୍ୟ କରାଇବାକୁ ଯାଉଥିଲେ । ଏହି କେଶ ପରେ ମଧୁବାବୁ ଦେଖିଲେ ଓଡିଶା ବିଭାଜିତ ହୋଇଅଛି । ଯଦି ଏହାକୁ ଏକାଠି କରାନଯାଏ ତେବେ ଏହା ନିଜର ଅସ୍ତିତ୍ବ ହରାଇ ବସିବ ଓ ଓଡ଼ିଆ ଭାଷା ଅନ୍ୟ କେଉଁ ଭାଷା ସହିତ ମିଶିଯିବ । ୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ ଭାଷା ରୂପେ ମାନ୍ୟତା ଦେବାକୁ ସରକାରଙ୍କ ନିକଟକୁ ଅନୁରୋଧ ଗଲା । ଏହାଦେଖି ମଧୁବାବୁ ନିଶ୍ଚିନ୍ତ ଥିଲେ ଯଦି ଏହି ଅନୁରୋଧ ଗୃହୀତ ହୋଇଯାଏ ତେବେ ସମ୍ବଲପୁର ରେ ଓଡ଼ିଆ ଭାଷା କେବେ ଫେରିପାରିବ ନାହିଁ ଓ ବିଭାଜିତ ଓଡ଼ିଶାର ଅସ୍ତିତ୍ବ ଧୀରେ ଧୀରେ ଅନ୍ୟ ରାଜ୍ୟ ମାନଙ୍କରେ ନିଶ୍ଚିହ୍ନ ହୋଇଯିବ । ତେଣୁ ୧୧ ମେ ୧୮୯୫ ମସିହା ସାଧାରଣ ସଭାରେ ସମ୍ବଲପୁରରେ ହିନ୍ଦୀ ଭାଷା ସରକାରୀ ଭାଷା ବିରୋଧରେ ଭାଷଣ ଦେଲେ ଓ ଉତ୍କଳ ଦୀପିକା ରେ ଏକାଧିକ ଲେଖା ପ୍ରକାଶ କଲେ ଓଡ଼ିଆ ଭାଷା ନିଶ୍ଚିହ୍ନ ହେବ ଉପରେ ଲେଖାମାନ । ମଧୁବାବୁଙ୍କ ସହ ଗଙ୍ଗାଧର ମେହେର, ଶ୍ରୀପତି ମିଶ୍ର, ଧରଣୀଧର ମିଶ୍ର, ବଳଭଦ୍ର ସୂପକାର ପ୍ରମୁଖ ଏହାର ପ୍ରବଳ ବିରୋଧ କଲେ । ୧୯୦୩ ମସିହା ଜାନୁଆରୀ ୩ ତାରିଖ ଠାରୁ ସମ୍ବଲପୁରରେ ଓଡ଼ିଆ ଭାଷା ସରକାରୀ ଭାଷା ହେଲା । ସେତେବେଳେ ଓଡିଶା ବହୁ ଭାଗରେ ବିଭକ୍ତ ହୋଇ ରହିଥିଲା । ୧୫୦୦ ଶତାବ୍ଦୀ ବେଳକୁ ଓଡିଶା ବହୁତ ଶକ୍ତିଶାଳୀ ଥିଲା ଓ ବିହାର ଓଡିଶା ବେଙ୍ଗଲ ଗୋଟିଏ ରାଜ୍ୟ ଥିଲା, ଗଙ୍ଗାରୁ ଗୋଦାବରୀ ଯାଏ । ତେବେ କୌଣସି ରାଜା ଏକାଥରେ ଓଡିଶାକୁ ଏକାଥରେ ଜୟ କରିପାରିନଥିଲେ । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ରାଜା ବିଭିନ୍ନ ଛୋଟ ଛୋଟ ଅଂଚଳକୁ ଜୟ କରିବାରୁ ଓଡିଶା ବହୁ ଭାବରେ ବିଭକ୍ତ ହେଲା । ୧୮୦୩ ମସିହା ଜାନୁଆରୀ ୩ ତାରିଖ ଠାରୁ ସମ୍ବଲପୁରରେ ଓଡ଼ିଆ ଭାଷା ସରକାରୀ ଭାଷା ହେଲା । ସେତେବେଳେ ଓଡିଶା ବହୁଭାଗରେ ବିଭକ୍ତ ହୋଇ ରହିଥିଲା । ୧୫୦୦ ଶତାବ୍ଦୀ ବେଳକୁ ଓଡିଶା ବହୁତ ଶକ୍ତିଶାଳୀ ଥିଲା ଓ ବିହାର ଓଡିଶା ବେଙ୍ଗଲ ଗୋଟିଏ ରାଜ୍ୟ ଥିଲା, ଗଙ୍ଗାରୁ ଗୋଦାବରୀ ଯାଏ । ତେବେ କୌଣସି ରାଜା ଏକାଥରେ ଓଡିଶାକୁ ଏକାଥରେ ଜୟ କରି ପାରିନଥିଲେ । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ରାଜା ବିଭିନ୍ନ ଛୋଟ ଛୋଟ ଅଂଚଳକୁ ଜୟ କରିବାରୁ ଓଡିଶା ବହୁଭାବରେ ବିଭକ୍ତ ହେଲା । ୧୮୦୩ ମସିହାରେ ଇଂରେଜ ଶାସନ କାଳରେ ଓଡିଶାର ଉତ୍ତରାଞ୍ଚଳ ବଙ୍ଗ ପ୍ରଦେଶ ସହ ମିଶିଥିଲା । ପଶ୍ଚିମାଞ୍ଚଳ ଥିଲା ମଧ୍ୟପ୍ରଦେଶ ଅଧୀନରେ ଓ ଦକ୍ଷିଣାଂଚଳ ଥିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ । ତେଣୁ ଓଡ଼ିଆ ଭାଷା ପ୍ରତ୍ୟେକ ଅଂଚଳରେ ସଂଖ୍ୟା ଲଘୁ ହୋଇ ରହିଲା । ସଂଖ୍ୟାଲଘୁ ହେବ କାରଣରୁ ସେ ଅଂଚଳରେ ମାନଙ୍କରେ କୌଣସି ସରକାରୀ ସୁବିଧା ମିଳିବା କିମ୍ବା ନିଜର ସ୍ୱତନ୍ତ୍ରତା ବଜାୟ ରଖିବାରେ ଅସମର୍ଥ ହେଲା । ଧୀରେ ଧୀରେ ଓଡ଼ିଆ ଭାଷାକୁ ଅନ୍ୟ ଭାଷା ସହିତ ମିଶାଇ ଲୋପ କରିଦେବାକୁ ଉଦ୍ୟମ ଚାଲିଲା । ଓଡିଶାରେ ଓଡିଆଭାଷା ସ୍କୁଲ ନହୋଇ ବଙ୍ଗାଳି ମାଧ୍ୟମ ସ୍କୁଲ ହୋଇଥିଲା । ବେଙ୍ଗଲରେ କେତେକ ବରିଷ୍ଠ ଲୋକ ଓଡ଼ିଆ ଭାଷାକୁ ଏକ ଭାଷା ବୋଲି ମାନିବାକୁ ରାଜି ନଥିଲେ । ସେମାନଙ୍କ ମତରେ ଏହା ବଙ୍ଗଳା ଭାଷାର ଏକ ଅନ୍ୟ ରୂପ ଓ ବଙ୍ଗଳା ଭାଷା ସହିତ ପ୍ରାୟତଃ ସମାନ । ତେଣୁ ସେତେବେଳେ କବିବର ରାଧାନାଥ ରାୟ, ଓଡ଼ିଆ ସାହିତ୍ୟ ଜଗତର ସେନାପତି ଫକୀରମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ ଇତ୍ୟାଦି ଲେଖଙ୍କ ଦ୍ୱାରା ରଚିତ ଓଡ଼ିଆ ରଚନା ମାନ ଓଡ଼ିଆ ଭାଷାର ଅସ୍ତିତ୍ବ ବଞ୍ଚାଇ ରଖିଥିଲା । ୧୮୮୦ ମସିହାରେ ମଧୁବାବୁଙ୍କର ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ଆନ୍ଦୋଳନ ଆରମ୍ଭ ହୋଇସାରିଥିଲା । ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଗଠନ ହୋଇଥିଲା । ୧୮୮୬ ମସିହା ଠାରୁ ମଧୁବାବୁ ଜାତୀୟ କଂଗ୍ରେସର ସବୁ ଅଧିବେଶନରେ ଯୋଗଦେଇ ସର୍ବଦା ଆଲୋଚନାରେ ଅଂଶ ଗ୍ରହଣ କରୁଥିଲେ । ସେଠାରେ ସେ ବିଛିନ୍ନ ଓଡିଶା ଅଂଚଳର ଏକୀକରଣ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ଦାବି କରି ଆସୁଥିଲେ । ୧୯୦୨ ମସିହାରେ କଲିକତା ଅଧିବେଶନରେ ମଧୁବାବୁ ଓଡ଼ିଶାର ବିଛିନ୍ନାଂଚଳର ଏକୀକରଣ ଓ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ନିମନ୍ତେ ପ୍ରସ୍ତାବ ଦେଲେ । କିନ୍ତୁ ଏହି ପ୍ରସ୍ତାବକୁ ବଙ୍ଗ ପ୍ରଦେଶର ନେତା ସୁରେନ୍ଦ୍ରନାଥ ବାନାର୍ଜୀ ଓ ମାଡ୍ରାସ ପ୍ରେସିଡେଣ୍ଚ୍ୟର କିଛି ନେତା ପ୍ରବଳ ବିରୋଧ କରିବାରୁ କଂଗ୍ରେସ ଏହାକୁ ଗ୍ରହଣ କଲା ନାହିଁ । ମଧୁବାବୁଙ୍କ ଦାବି ପୁରଣ ଦିଗରେ କଂଗ୍ରେସ କୌଣସି ଆଗ୍ରହ ପ୍ରକାଶ ନକରିବା ଦେଖି, ସେହି ୧୯୦୨ ମସିହାରେ ମଧୁବାବୁ କଂଗ୍ରେସରୁ ଇସ୍ତଫା ଦେଲେ । ଏବଂ ୧୯୦୩ ମସିହାରେ ଜନ୍ମ ଦେଲେ ଓଡ଼ିଶାର ପ୍ରଥମ ଦଳ “ଉତ୍କଳ ସମ୍ମିଳନୀ” । ସେ ବହୁ କବିତା ଓ ଲେଖାମାନ ଲେଖିଥିଲେ ଏବଂ ଇଂଲଣ୍ଡ ଯାଇ ଓଡ଼ିଶାର ତାରକସି କାମ, ହାତୀଦାନ୍ତ କାମ ଆଦିର ପ୍ରଦର୍ଶନୀ ଆୟୋଜନ କରିଥିଲେ । ଏହାର ଉଦେଶ୍ୟ ଓଡିଶାର କଲା ଓ ଦକ୍ଷତାର ପ୍ରଦର୍ଶନ କରିବା । ପୁଣି ଓଡ଼ିଶାର ଦୁଃଖ ଦୁର୍ଦଶା ବର୍ଣନା ଥିବା ପ୍ରଚାର ପତ୍ର ବାଣ୍ଟି ସେଠାକାର ରାଜନୈତିକ ମହଲରେ ଉତ୍ତେଜନା ଆଣିବାରେ ସଫଳ ହେଲେ । ୧୯୦୩ ମସିହା ଡ଼ିସେମ୍ବର ୩ ତାରିଖରେ ଏଚ.ଏଚ.ରିସଲେଙ୍କ ଦ୍ୱାରା ରିସଲେ ସରକୁଲାର ନାମରେ ଏକ ରାୟ ପ୍ରକାଶ ପାଇଲା, ଏଥିରେ ସବୁ ବିଛିନ୍ନାଂଚଳର ଏକି କରଣ ପାଇଁ ଅନୁମୋଦନ ହୋଇଥିଲା । ଏଥିରେ ଥିଲା ଲର୍ଡକର୍ଯ୍ୟନଙ୍କର ହସ୍ତକ୍ଷେପ । ଏହା ଥିଲା ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନର ପ୍ରଥମ ସୋପାନ ବା ପଦକ୍ଷେପ । ଏହା ଭାରତରେ ଏକ ଐତିହାସିକ ରାୟ ଥିଲା, କାରଣ ଏହା ଥିଲା ଭାରତର ପ୍ରଥମ ପ୍ରଦେଶ ଯାହା ଭାଷା ଭିତ୍ତିରେ ଗଠନ ହୋଇଥିଲା । ୧୯୦୫ ମସିହା ଜୁଲାଇ ୧୯ ତାରିଖରେ ଏହି ରାୟ କାର୍ଯ୍ୟ କାରି ହୋଇଥିଲା । ସମ୍ବଲପୁର, ବଣାଇ, ଗଙ୍ଗାପୁର, ଛୋଟନାଗପୁର ଆସି ମିଶିଲା ଓଡିଶା ପ୍ରଦେଶରେ । ମାତ୍ର ଋଷୁପ୍ଲେ ସରକୁଲାରରେ ସୁପାରିଶ ଥିବା ସତ୍ୱେ ତତ୍କାଳୀନ ବଡ଼ଲାଟଙ୍କ ଯୋଗୁଁ ଗଂଜାମ ଓ ବିଶାଖାପାଟନମ ଆସି ମିଶି ପାରିଲାନାହିଁ । ଏହା ଓଡିଶା ନେତାଙ୍କୁ ଘୋର ନିରାଶକୁ ଠେଲିଦେଲା । ସେମାନେ ଏହାର ବିରୋଧ କଲେ । ଭାଗ ଭାଗ ହୋଇ ରହିଥିବା ଓଡିଶାର ଅଂଚଳ ମାନଙ୍କୁ ଏକାଠି କରିବା ସହଜ ନଥିଲା । ଏ ପାଠ ଥିଲା ବହୁତ କଣ୍ଟକିତ । କିନ୍ତୁ ମଧୁବାବୁ ହାରିନଥିଲେ କିମ୍ବା ଥକିପଡିନଥିଲେ । ସେଇ ପଥରେ ଆଗେଇଥିଲେ ଓ ଉତ୍କଳ କମିଶନର ନେତା ମାନଙ୍କୁ ନେଇ ରୟାଲ କମିଶନ ପାକେ ସାଖ୍ୟ ଦେଇଥିଲେ ଓ ଅନୁରୋଧ କରିଥିଲେ ଏକ କମିଶନ ଗଠନ କରି ଗଂଜାମ ଓ ବିଶାଖାପାଟନମ ଓଡିଶା ସହିତ ମିଶିବା ବିଷୟ ଅନୁଧ୍ୟାନ କରିବା ପାଇଁ । ଶେଷରେ ପୁନର୍ବାର ୧୯୦୭ ମସିହାରେ ମଧୁବାବୁ ପୁଣିଥରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କଲେ । ସେଠାରେ ଭାରତ ସଚିବ ମରଲେଙ୍କୁ ଭେଟି ବିଛିନ୍ନ ଓଡ଼ିଆ ଅଂଚଳର ଏକି କରଣ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନ ରେ ବିଭିନ୍ନ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ ଓ ସେଠାରେ ଅନରେଷ୍ଟ ଇଣ୍ଡିଆ ନାମରେ ଏକ ବହି ଲେଖି ବାଣ୍ଟିଥିଲେ ଏହା ଦ୍ୱାରା ମଧୁବାବୁ ସେମାନଙ୍କ ଉପରେ ନୈତିକ ଚାପ ସୃଷ୍ଟି କରିଥିଲେ, ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ଦିଗରେ ଦୃଷ୍ଟି ନିକ୍ଷେପ କରୀ କାର୍ଯ୍ୟ କରିବାକୁ । ଏଥିରେ ସେ ସମର୍ଥ ମଧ୍ୟ ହୋଇଥିଲେ । ତାଙ୍କର ଏହି ଗ୍ରସ୍ତ କାଳରେ ମଧୁବାବୁ ଅତି ଚତୁରତାର ସହିତ ଏହି ବିଷୟ ଇଂଲଣ୍ଡର ଉଭୟ ସଦନରେ ଉତ୍ଥାପନ କରିଥିଲେ । ମଧୁବାବୁଙ୍କ ଅନୁରୋଧ କ୍ରମେ ଲର୍ଡ଼ କର୍ଯ୍ୟନ ଓଡିଶା ପ୍ରସଙ୍ଗକୁ ଉତ୍ଥାପନ କରିଥିଲେ ହାଉସ ଅଫ ଲର୍ଡସରେ ଓ ହାଉସ ଅଫ କମନ୍ସରେ ମାର୍କ କୋଲର୍ଡ଼ ସ୍କଟ ଓଡିଶା ପ୍ରସଙ୍ଗ ଉତ୍ଥାପନ କରିଥିଲେ । ମଧୁବାବୁଙ୍କର ବାକ୍ଚାତୁରୀ ଓ ଉପସ୍ଥାପନା ଶୈଳୀ ଅତୁଳନୀୟ ଥିଲା । ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାକୁ ବଂଗାଳୀ ଭାଷାରୁ ଭିନ୍ନ ଦର୍ଶାଇବାକୁ ଯାଇ ସେ ଯୁକ୍ତି ରଖିଥିଲେ ଯେ, ଯଦି ଓଡ଼ିଆ ଭାଷା ବଙ୍ଗାଳି ଠାରୁ ସୃଷ୍ଟି ତେବେ ଓଡ଼ିଆରେ ଥିବା ଏହି ଶବ୍ଦକୁ ବଙ୍ଗାଳୀରେ କଣ କୁହାଯାଏ । ଏହି ଶବ୍ଦଟି ଥିଲା “ରାଣ୍ଡି” । ଓଡିଶାରେ ଯେଉଁ ବିବାହିତା ନାରୀଙ୍କ ସ୍ୱାମୀ ତାଙ୍କ ପୂର୍ବରୁ ମୃତ୍ୟୁ ବରଣ କରୁଥିଲେ ସେ ବିଧବା ହେଉଥିଲେ । ସେହି ନାରୀଙ୍କୁ ଓଡ଼ିଆରେ “ରାଣ୍ଡି” କୁହାଯାଏ । ମଧୁବାବୁ ପ୍ରଶ୍ନ କରିଥିଲେ ବଙ୍ଗାଳୀରେ ରାଣ୍ଡିକୁ କଣ କୁହାଯାଏ ? ଉତ୍ତର କାହା ପାଖେ ନଥିଲା । ଏହିପରି ଅନେକ ଯୁକ୍ତି ଦ୍ୱାରା ମଧୁବାବୁ ପ୍ରମାଣିତ କରିଥିଲେ ଯେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା, ଏହାର ନିଜସ୍ୱ ଭାବ ଅଛି । ତେଣେ ଇଂଲଣ୍ଡ ପାର୍ଲିଆମେଣ୍ଟରେ ଓଡିଶା ପ୍ରଦେଶ ଗଠନ ଦିଗରେ ସକାରାତ୍ମକ ମନୋଭାବ ପ୍ରକାଶ ପାଇଲା । ଫଳ ସ୍ୱରୂପ ୧୯୧୨ ମସିହାରେ ଓଡିଶା ବଙ୍ଗଳାରୁ ଅଲଗା ହୋଇ ବିହାର-ଓଡିଶା ପ୍ରୋଭିନ୍ସି ଗଠନ ହେଲା । ଓଡିଶା ନିଜର ନାମ ପାଇଲା କିନ୍ତୁ ବିଛିନ୍ନ ଓଡ଼ିଆ ଅଂଚଳକୁ ଓଡିଶା ଡିଭିଜନରେ ମିଶାଇବା ପାଇଁ ସରକାର କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ । ଲର୍ଡ଼ କାର୍ଯ୍ୟନଙ୍କ ପରେ ଯେତେ ବଡ଼ଲାଟ ଆସିଲେ ସେମାଙ୍କର ମଧ୍ୟ ଏଥିପ୍ରତି ଆନ୍ତରିକତା ନଥିଲା । ଏହା ଦେଖି ମଧୁବାବୁ ଚେତାବନୀ ଦେଲେ ଯଦି ଗଂଜାମ, ମେଦିନାପୁର, ବିଶାଖାପାଟନମକୁ ଓଡିଶା ସହିତ ନମିସାଯାଏ ତେବେ ଓଡ଼ିଆ ମାନେ ତୀବ୍ର ଆନ୍ଦୋଳନ କରିବେ ।୧୯୧୭ ମସିହାରେ ମଧୁବାବୁ ଯାଇ ଭାରତ ସଚିବ ମଣ୍ଟେଗୁଏଙ୍କୁ ଦାବିପତ୍ର ଦେଇଥିଲେ । କିନ୍ତୁ ମଣ୍ଟେଗୁଏ ଏଥିପ୍ରତି କିଛି ଆଗ୍ରହ ପ୍ରକାଶ କଲେ ନାହିଁ କି କର୍ଣପାତ କଲେନାହିଁ । ଏହାକୁ ଓଡିଶା ସମ୍ମିଳନୀ ତରଫରୁ ବିରୋଧ କରାଗଲା । ଏହାର ପ୍ରତିବାଦ କରି ମଧୁବାବୁ ୧୯୧୯ ମସିହା ରେ ବିହାର ଓଡିଶା ଲେଜିସଲେଟିଭ କାଉନ୍ସିଲରୁ ଇସ୍ତଫା ଦେଲେ । ତା ସତ୍ୱେ ବି କୌଣସି ସୁଫଳ ମିଳିନଥିଲା । କିନ୍ତୁ ମଧୁବାବୁ ହତୋତ୍ସାହିତ ହୋଇନଥିଲେ । ଏତେବେଳକୁ ମଧୁବାବୁଙ୍କ ବୟସାଧିକ ଯୋଗୁଁ ଅସୁସ୍ଥ ହେଉଥିଲେ । ୧୯୨୦ରେ ସଚ୍ଚିଦାନନ୍ଦ ସିଂନ୍ହା ଇମ୍ପେରିୱାଲ କାଉନ୍ସିଲରେ ଏହି ପ୍ରସ୍ତାବ ରଖିଲେ । ରାଜେନ୍ଦ୍ର ନାରାୟଣ ସିଂଦେଓ ଏହାକୁ ସମର୍ଥନ କଲେ, କିନ୍ତୁ ମାଡ୍ରାସ ପ୍ରେସିଡେନ୍ସି, ବଙ୍ଗ ଓ ମଧ୍ୟପ୍ରଦେଶ ପ୍ରେସିଡେନ୍ସିର ନେତା ମାନେ ଏହାର ଆବଶ୍ୟକତା ନାହିଁ ବୋଲି କହି ଏହାକୁ କାର୍ଯ୍ୟକାରୀ କରାଇଦେଲେନି । ୧୯୨୩ରେ ମାଡ୍ରାସରେ ବିଶ୍ୱନାଥ କର ଓ ବିହାର ଲେଜିସଲେଟିଭ ଓଡିଶା ପ୍ରସଙ୍ଗ ଉଠାପଣା କଲେ ଶଶିଭୂଷଣ ରଥ । ସେତେବେଳକୁ ମଧୁବାବୁଙ୍କ ୭୫ ବର୍ଷ ହୋଇସାରିଥିଲା । ୧୯୨୮ ମସିହାରେ ସାଇମନ କମିଶନକୁ ଭାରତରେ ବିରୋଧ କରାଗଲା । ଗୋ ବ୍ୟାକ ସାଇମନ କମିଶନ ବୋଲି ସ୍ଲୋଗାନ ଦିଆଗଲା । ଏହାର ସୁଯୋଗ ନେବାକୁ ମଧୁବାବୁ ଚାହିଁଲେ । ସେ ଜାଣିଥିଲେ ଭାରତରେ ସବୁଯାଗାରେ ବିରୋଧର ସମ୍ମୁଖୀନ ହେଉଥିବା ସାଇମନ କମିଶନ୍କୁ ଯଦି ଓଡ଼ିଶାରେ ଉଚ୍ଚଶିତ ସମ୍ବର୍ଧନା ଦେଇ ସ୍ୱାଗତ କରାଯିବ ତେବେ ଏହା ହୁଏତ ଉତ୍କଳର ଦାବିକୁ ମାନି ନେଇପାରେ । ଅସୁସ୍ଥତା ସତ୍ୱେ ମଧୁବାବୁଙ୍କ ନେତୃତ୍ୱରେ ସାଇମନ କମିଶନକୁ ସ୍ୱାଗତ କରାଗଲା । ୧୯୩୦ ମସିହା ମେ ୨୭ ତାରିଖରେ ପ୍ରକାଶିତ ସାଇମନ କମିଶନ ରିପୋର୍ଟରେ ଓଡିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ଅନୁମୋଦନ ମିଳିଗଲା । ଏହା ଥିଲା କୁଳବୃଦ୍ଧଙ୍କର ଦୂରଦର୍ଶିତା ବା ବିଚକ୍ଷଣ ବୁଦ୍ଧିମତାର ପରିଚୟ । ସେ ଜାମସେଦପୁରର ଟାଟା କମ୍ପାନୀ ଓଡ଼ିଶାର ଉନ୍ନତିରେ ସହାୟକ ହେବ ବୋଲି ଜାଣିଥିଲେ । ତେଣୁ ଏହାକୁ ଓଡିଶା ସହିତ ମିସାଇବାକୁ ଉଦ୍ୟମ ଜାରି ରଖିଥିଲେ । ୧୯୩୧ ମସିହାରେ ଓ’ଡେନେଲ କମିଟି ସୀମା ନିର୍ଧାରଣ ନିମନ୍ତେ ଆସିଥିଲା । ଭାଷା, ଭୌଗଳିକ ଆଦିର ନିରୀକ୍ଷଣ କରାଗଲା । ଶେଷରେ ୧୯୩୧ ରେ ଓ ‘ଦେନେଲ କମିଶନ ଓଡିଶାକୁ ଏକ ରାଜ୍ୟ ହେବ ବୋଲି ଘୋଷଣା କଲେ । ସେଦିନ ମଧୁବାବୁଙ୍କ ଅସୁସ୍ଥ ଶରୀରରେ ଖୁସି ଓ ବିଜୟର ଶିହରଣ ଖେଳିଯାଇଥିଲା । କଟକରେ ଏକ ବିରାଟ ସଭାର ଆୟୋଜନ କରାଯାଇ ଓଡିଶାର ମୁରବି ବା କୁଳବୃଦ୍ଧଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କିନ୍ତୁ ଏହା ଅନୁମୋଦନଟି କାର୍ଯ୍ୟରେ ହେବା ଏତେ ସହଜ ନଥିଲା । ମଧୁବାବୁ ସେହି ପରିଣତ ବୟସରେ ଏହି କଣ୍ଟକିତ ପଥରେ ଆଗେଇ ଚାଲିଲେ । ତାଙ୍କ ପରେ ଅନ୍ୟ ବରିଷ୍ଠ ନେତା ମାନେ ଏହାକୁ ଆଗେଇ ନେଇଥିଲେ । ବହୁ କଷ୍ଟ ଓ ବହୁ ପରିଶ୍ରମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା । କିନ୍ତୁ ଏହା ଦେଖିବାକୁ ମଧୁବାବୁ ଜୀବିତ ନଥିଲେ । ମଧୁବାବୁ କଲିକତାର ଏକ ଘରୋଇ ନର୍ସିଂହୋମରେ ୮୫ ବର୍ଷ ବୟସରେ ଫେବୃଆରୀ ୪ ତାରିଖ ଦିନ ରାତି ୧.୩୫ ସମୟରେ ଶେଷ ନିସ୍ୱାଶ ତ୍ୟାଗ କରିଥିଲେ । ଓଡିଶାର ମହାତ୍ମା, ଓଡିଶାର ମୁରବି, କୁଳବୃଦ୍ଧ କୁଳ ରକ୍ଷା କରି ଓଡିଶାକୁ କୁଳହୀନ ଅନାଥ କରି ଚାଲିଗଲେ ।

ବ୍ରତତୀ ପ୍ରିୟଦର୍ଶିନୀ,
କୁଆଲା ଲମ୍ପୁର, ମାଲେସିଆ