ମାନବ ଅଧିକାର ସୁରକ୍ଷା ମଞ୍ଚର ୮୨ତମ ଘଣ୍ଟଯାତ୍ରା:ସିଟି ହସ୍ପିଟାଲର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସିଟି ହସ୍ପିଟାଲରେ ବରିଷ୍ଠ ନାଗରିକଙ୍କ ପାଇଁ ଅନ୍ତଃ ଚିକିତ୍ସା ବିଭାଗ କାର୍ଯ୍ୟକାରୀ, ଅଲଟ୍ରାସାଉଣ୍ଡ ମେସିନ କାର୍ଯ୍ୟକାରିତା ସହ ବିଭିନ୍ନ ସମସ୍ୟାର ସମାଧାନ କରିବା ଦାବି ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ୮୨ତମ ଘଣ୍ଟଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦାବି ହେଲା – ବ୍ରହ୍ମପୁର ମହାନଗର ଚିକିତ୍ସାଳୟ ଉପରେ ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଥିବାବେଳେ ମୌଳିକ ଆବଶ୍ୟକତାର ଅଭାବ ଯୋଗୁଁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାର ସମାଧାନ କରାଯାଉ, ଦୈନିକ ଏକ ହଜାରରୁ ଉଦ୍ଧ୍ୱ ରୋଗୀ ଏଠାକୁ ଆସୁଥିବାବେଳେ ପ୍ରାୟ ଏକ ବର୍ଷ ହେଲା ଅଲଟ୍ରାସାଉଣ୍ଡ ମେସିନ ଅଚଳ ହୋଇ ପଡ଼ିଥିବାରୁ ବହୁ ରୋଗୀ ନିରାଶ ହୋଇ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଘରୋଇ ଅନୁଷ୍ଠାନଗୁଡ଼ିକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସିଟି ହସ୍ପିଟାଲ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଅନ୍ତଃ ଚିକିତ୍ସା ବିଭାଗର କାମ ସରିଥିଲେ ସୁଦ୍ଧା କାର୍ଯ୍ୟକାରୀ କରାଯାଉ ନାହିଁ ଏହାର ସମାଧାନ କରାଯାଉ । ପ୍ରକାଶ ଯୋଗ୍ୟ ଯେ ନଗର ଚିକିତ୍ସାଳୟକୁ ଆସୁଥିବା ଯୋଗୀଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ଓ ସେମାନଙ୍କ ପାଇଁ ଜଣେ ମାତ୍ର ବରିଷ୍ଠ ଡାକ୍ତର ନିୟୋଜିତ କରାଯାଇଛି । ଫଳରେ ଘଣ୍ଟା ଘଣ୍ଟା ଧରି ବରିଷ୍ଠ ନାଗରିକମାନେ ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି । ପରିସ୍ରାଗାର ଓ ପାନୀୟ ଜଳର ଅଭାବ ଯୋଗୁଁ ଆସୁଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ପରିସ୍ରାଗାର ଓ ପାନୀୟଜଳ ବ୍ୟବସ୍ଥା କରାଯାଉ । ଏହି ଘଣ୍ଟ ଯାତ୍ରାରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନି କୁମାର ଗୟାଙ୍କ ସମେତ ଲକ୍ଷ୍ମୀନାରାୟଣ ରାଉତ, ଭାସ୍କର ଚନ୍ଦ୍ର ସାହୁ, ଶ୍ୟମସୁନ୍ଦର ଖାଡ଼ଙ୍ଗା, ଆର.ସତ୍ୟନାରାୟଣ ରାଓ, ମହେଶ୍ୱର ବାଡ଼ତ୍ୟା, ଗୁରୁଦେବ ବେହେରା, ପୂର୍ଣ୍ଣଚନ୍ଦ୍ର ମହାରଣା, ରାମେଶ୍ୱର ଶତପଥୀ, ବିଜୟ ଚନ୍ଦ୍ର ବିଷୋୟୀ, ମାନସ ରଂଜନ ପାତ୍ର, ସୁରେନ୍ଦ୍ରନାଥ ପଣ୍ଡା, ଶଙ୍କର ସାହୁ, ନୀଳାଞ୍ଚଳ ନନ୍ଦ, ମନୋଜ କୁମାର ତରାଇ, ଏସ.ଶାମ୍ବଶିବ ରାଓ, କିଶୋର ପାତ୍ର ଓ ଜଗନ୍ନାଥ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଏକ ଦାବିପତ୍ର ସିଡିଏମଓଙ୍କ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା