ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଡାକ୍ତରଙ୍କ ଘରୋଇ ପ୍ରାକ୍ଟିସକୁ ଅଙ୍କୁଶ ଲଗାଇବା, ସୁପର ସ୍ପେସିଆଲିଟି ବିଭାଗ କାର୍ଯ୍ୟକାରୀ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଅନ୍ତଃ ଓ ବର୍ହିଃ ବିଭାଗ ଖୋଲିବା, ନିରାମୟରେ ସମସ୍ତ ଔଷଧ ଉପଲବ୍ଧ କରିବା, ଡାଇଲିସିସ ବିଭାଗକୁ ପୂର୍ଣ୍ଣ କାର୍ଯ୍ୟକାରିତା ଦାବି ନେଇ ୮୩ ତମ ଘାଣ୍ଟଯାତ୍ରା ଓ ଗଣବିକ୍ଷୋଭ କରି ଏମକେସିଜି ମେଡିକାଲ ଅଧିକ୍ଷକଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବିଗୁଡିକ ହେଲା –
1. ଏମକେସିଜି ମେଡିକାଲ ସମଗ୍ର ଦକ୍ଷିଣ ଓଡ଼ିଶାର ଏକ ମୁଖ୍ୟ ଚିକିତ୍ସାନୁଷ୍ଠାନ ହେଲେବି ସବୁବେଳେ ଏହା ରାଜ୍ୟ ସରକାରଙ୍କ ପାତର ଅନ୍ତରର ଶିକାର ହେଉଛନ୍ତି । ଏଠାରେ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଦେଖାଯାଇଥିବା ଚିକିତ୍ସାଗତ ସଙ୍କଟକୁ ସୁଧାରିବା ପରିବର୍ତ୍ତେ ବରଂ ଏହାକୁ ଜାଣିଶୁଣି ଅବହେଳା କରାଯାଇଛି । ବର୍ତ୍ତମାନ ଏଠାରେ ନିୟୋଜିତ କିଛି ଡାକ୍ତର କଟକ, ଭୁବନେଶ୍ୱରରେ ଏହି ଏଠାରୁ ଲାକ୍ଷଧିକ ଟଙ୍କା ଦରମା ନେବା, କାର୍ଯ୍ୟରେ ଅନୁପସ୍ଥିତ ରହି ପିଜି ଛାତ୍ରଙ୍କୁ ବିନିଯୋଗ କରିବା, ଆଦି ଦ୍ୱାରା ପ୍ରମାଣିତ ହେଉଛି ଯେ, ଡାକ୍ତରଙ୍କ ଘରୋଇ ପ୍ରାକ୍ଟିସ ଯୋଗୁଁ ସରକାରୀ ଡାକ୍ତରଖାନାରେ ଗୁରୁତର ଚିକିତ୍ସାଗତ ଅବହେଳା ଦେଖାଯାଉଛି । ଏଣୁ ଘରୋଇ ପ୍ରାକ୍ଟିସକୁ ଅଙ୍କୁଶ ଲଗାଇବା ନିହାତିଜରୁରୀ ।
2. ଦେଢ଼ ବର୍ଷର ଅଧିକ କାଳ ହେଲା ସୁପର ସ୍ପେସିଆଲିଟି ବିଭାଗ ଉଦଘାଟନ ସରିଥିଲେ ବି ଏହା କାର୍ଯ୍ୟକାରୀ ହେଉନାହିଁ । ରାଜସ୍ୱରୁ ୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ବନ୍ଦ ରଖି ଘରୋଇ ହସ୍ପିଟାଲ ଗୁଡିକୁ ରୋଗୀ ଚାଲାଣ ଚାଲିଛି । ଅଧିକାଂଶ ଡାକ୍ତର ନିଜ ନିଜ ଘରୋଇ କ୍ଲିନିକ, ନର୍ସିଙ୍ଗହୋମ ଭଳି ବ୍ୟବସାୟିକ ଅନୁଷ୍ଠାନ ଖୋଲି ବସିଛନ୍ତି । ଏହି ବ୍ୟବସାୟିକ ବେପରୁଆ ମନୋଭାବ ଯୋଗୁଁ ଆଜି ସୁପର ସ୍ପେସିଆଲିଟି ବ୍ଲକ ଖୋଲାଯାଇନାହିଁ ।
3. ଏଠାକୁ ଆସୁଥିବା ଅତ୍ୟଧିକ ରୋଗୀ ବରିଷ୍ଠ ନାଗରିକ ହେତୁ ସ୍ୱତନ୍ତ୍ର ବର୍ହିଃ ଓ ଅନ୍ତଃ ବିଭାଗର କାର୍ଯ୍ୟକାରୀ ହେଉନାହିଁ । ସିତିହସ୍ପିଟାଲ ଠାରେ ଏକ ଅନ୍ତଃ ବିଭାଗ ଉଦଘାଟନ ହେବାର ୧ ବର୍ଷ ପୁରିଥିବା ବେଳେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ।
4. ରାଜ୍ୟ ସରକାର ନିରମୟର ବଡ଼ବଡ଼ ପୋଷ୍ଟର, ଭାଷଣ ଦେଉଥିବାବେଳେ ପ୍ରକୃତ କାର୍ଯ୍ୟକାରିଣ ଶୂନ ହୋଇପଡିଛି ।ଅଧିକାଂଶ ଡାକ୍ତର ଘରୋଇ ଔଷଧ ପରାମର୍ଶ କରି ରୋଗୀଙ୍କୁ ଲୁଟ କରିବା ସହ ସରକାରୀ ଯୋଜନାକୁ ବାଟବଣା କରାଯାଉଛି । ଏଣୁ ନିରାମୟରେ ସମସ୍ତ ଔଷଧ ଉପଲବ୍ଧ କରିବା ସହ ଏହି ଔଷଧ ପରାମର୍ଶ ପାଇଁ ଡାକ୍ତରଙ୍କୁ କଡା ନିର୍ଦ୍ଦେଶ ଦିଆଯାଉ ।
5. ଗଞ୍ଜାମ ଜିଲ୍ଲାରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇ ଏକ ପ୍ରକାର ମହାମାରୀର ରୂପ ନେଇଛି । ଛତ୍ରପୁରର IRELର ମୋନାଜାଇଟ ପ୍ଲାଣ୍ଟ ଯୋଗୁଁ ଏହି ସମସ୍ୟା ବହୁ ଗୁଣରେ ବଢି ଯାଇଛି । ଏଣୁ ଏମକେସିଜି ମେଡିକାଲରେ ଡାଇଲିସିସ ବିଭାଗକୁ ପୂର୍ଣ୍ଣ କାର୍ଯ୍ୟକାରିତା ସହ ସିଟି ହସପିଟାଲ ଓ ଛତ୍ରପୁର ହସ୍ପିଟାଲରେ ଡାଇଲିସିସ ବିଭାଗ ଖୋଲାଯାଉ ।
ଏହି ଘଣ୍ଟଯାତ୍ରା ଓ ବିକ୍ଷୋଭରେ ଲକ୍ଷ୍ମୀନାରାୟଣ ରାଉତ, ରାମେଶ୍ୱର ଶତପଥୀ, ଅଜିତ କୁମାର ସାହୁ, ସତ୍ୟରଞ୍ଜନ ଦଳ ବେହେରା, ମାଗୁଣି ନାହାକ, ଆର. ସତ୍ୟନାରାୟଣ ରାଓ, ବିଜୟ ଚନ୍ଦ୍ର ବିଷୋୟୀ, ରଜନୀକାନ୍ତ ମଣ୍ଡଳ, ଶଙ୍କର ସାହୁ, ସଂଜିତ କୁମାର ଭୂୟାଁଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା