ମାସେ ବଢିଲା ଜନସମ୍ପର୍କ ପଦଯାତ୍ରା ଅବଧି

ଭୁବନେଶ୍ୱର (ଆକାଶ ମିଶ୍ର) – ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଜନସଂପର୍କ ପଦଯାତ୍ରା ଅବଧିକୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ମାସେ ବ୍ୟାପୀ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ସାରା ରାଜ୍ୟରେ ଚାଲୁ ରହିଥିବାବେଳେ ‘ତିତ୍‍ଲି’ ବାତ୍ୟାଜନିତ ଅସୁବିଧା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ ଯୋଗୁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରାଣରେ ସବୁ ସ୍ଥାନରେ ପାଳନ କରାଯାଇ ପାରିନାହିଁ ।ପଦଯାତ୍ରା ମାଧ୍ୟମରେ ପ୍ରତି ପରିବାରରେ ପହଞ୍ଚିବାର ଇପ୍‍ସିତ ଲକ୍ଷ୍ୟ ପୂର୍ଣ୍ଣମାତ୍ରାରେ ହାସଲ ହୋଇପାରି ନାହିଁ । ଏଣୁ ଏହି ପଦଯାତ୍ରାରେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେଭଳି ସାମିଲ କରାଯାଇପାରିବ ସେଥିପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ପାଇଁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏହି ମର୍ମରେ ସଭାପତି ପତ୍ର ଲେଖି ଅନୁରୋଧ କରିଛନ୍ତି ।ଏହି ପଦଯାତ୍ରାରେ ବିଜେଡି ସରକାରର ଲୋକାଭିମୁଖି କାର୍ଯ୍ୟକ୍ରମ ବିଶେଷକରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ‘ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା’ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହିତ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ପତ୍ରରେ ଅନୁରୋଧ କରାଯାଇଛି ।ଏଥିସହିତ ଓଡ଼ିଶା ପ୍ରତି ଲଗାତାର କେନ୍ଦ୍ରୀୟ ଅବହେଳା, ବିଶେଷକରି ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ଡିଜେଲ୍‍, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍‍ର ଅହେତୁକ ଦରବୃଦ୍ଧି କରି ସାଧାରଣ ଖାଉଟି ଓ ଗୃହିଣୀଙ୍କ ଉପରେ ଆର୍ôଥକ ବୋଝ ଲଦିବା, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ୍‍ ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ଏହି ପରିବର୍ଦ୍ଧିତ ପଦଯାତ୍ରାରେ ଅବଗତ କରାଇବେ ବୋଲି ମାନ୍ୟବର ସଭାପତି ଅନୁରୋଧ କରିଥିବା ବିଜୁ ଜନତାଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଜଣାଇଛନ୍ତି ।