ନାରୀ !
ଫୁଲ ଠାରୁ ଆହୁରି କୋମଳ ,
ସ୍ବପ୍ନ ଠାରୁ ଆହୁରି ସୁନ୍ଦର ,
ନମନୀୟ, କମନୀୟ,
ଭବ୍ୟ ଚିର ବନ୍ଦନୀୟ ।।
ନାରୀ !
ଆକାଶର ନୀଳିମାରେ
ନୀଳାର୍ଣଭ,ଶାନ୍ତ ଓ ଉଦାର ,
ସାଗର ପରି ଗଭୀର ସେ,
ଧରିତ୍ରୀ ପରି ସର୍ବଂସହା ପୁଣି ,
ମନ୍ଦାକିନୀ ପରି ପବିତ୍ର ସେ
ସରସ୍ୱତୀ,ସ୍ୱାତୀ ଗୁପ୍ତ ଗଙ୍ଗା ।।
ନାରୀ !
ସେ ସ୍ନେହ ,
ସେ ପ୍ରେମ
ସେ ପୁଣି ମମତାର ମର୍ମଝର ।
ଶାନ୍ତି ଓ କରୁଣାର
ମୂର୍ତ୍ତିମନ୍ତ ପ୍ରତୀକ,ସୁନ୍ଦର ୲ ୲
ନାରୀ !
ମମତାର ପଣତରେ
ହୃଦୟକୁ କରେ ପୁଲକିତ
ପ୍ରାଣକୁ ଭିଜାଇ ପ୍ରେମରେ
କରେ ପୁଣି ପ୍ରେମ ମଧୁମୟ
ନାରାୟଣୀ ସିଏ,
କରିପାରେ ନର୍କରେ ଚହଳ
ସ୍ୱୟଂ ପ୍ରଭା ସିଏ
ହୋଇପାରେ ସ୍ୱୟଂ ସ୍ବତସିଦ୍ଧା ୲ ୲
ନାରୀ !
କନ୍ୟା ରୂପେ ସତେକି ସେ
ସୁଲକ୍ଷଣୀ ଲକ୍ଷ୍ମୀ ,
ପୁଣି ଭଗିନୀ ରୂପରେ ସେ ଯମୁନା ,
ଜନନୀରୂପରେ ପତିତପାବନୀ ଗଙ୍ଗା
ଜାୟା ଭୂମିକାରେ ଉଦ୍ଭ୍ରାନ୍ତ ଜୁଆର
ପୁଣି , ମିଳନର ମଧୁର ମହ୍ଲାର ୲ ୲
** ସଂଯୁକ୍ତା ରାଉତ **
ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା