ଭୁବନେଶ୍ୱର(ସମୃଦ୍ଧଓଡିଶା) ଗତକାଲି ସନ୍ଧ୍ୟା ଯାଏଁ ଭୁବନେଶ୍ୱର ସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକଳାପର ବିସ୍ତୃତ ସମୀକ୍ଷା କରିଥିଲେ । ଏହି ବୈଠକରେ ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ମିଶନ ଶକ୍ତି ବିଭାଗର ଗୁରତ୍ୱପୁର୍ଣ ଭୂମିକା ଉପରେ ଶ୍ରୀମତୀ ପରିଡା ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ମିଶନ ଶକ୍ତି ଜରିଆରେ ଓଡ଼ିଶାର ମହିଳା ସଶକ୍ତିକରଣ ଏବଂ ମା’ମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମିଶନ ଶକ୍ତି ବିଭାଗ ଅଧୀନରେ ଚାଲିଥିବା ଯୋଜନା ତଥା କାର୍ଯ୍ୟକଳାପର ସମୀକ୍ଷା କରି ମହିଳାଙ୍କ ଜୀବିକା ତଥା ଉଦ୍ୟୋଗ ବୃଦ୍ଧିରେ ସେମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଓଡ଼ିଶାର ନିଚ୍ଛକ ଖାଦ୍ୟ ପିଠାପଣା ତଥା କୁଟୀର ଶିଳ୍ପକୁ ତ୍ୱରାନ୍ୱିତ କରିବାକୁ ସେ ପ୍ରାଧାନ୍ୟ ଦେଇଥିଲେ । ଏହା ସହ ବ୍ୟାଙ୍କ ସଂଯୋଗ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦତ୍ତ ଋଣର ସଠିକ ବିନିଯୋଗକୁ ତଦାରଖ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଏବଂ ବଜାରସଂଯୋଗ ପଦକ୍ଷେପ ଆଦିର ମୂଲ୍ୟାଙ୍କନ କରି ଏହାର କାର୍ଯ୍ୟକାରିତାକୁ ତୃଣମୂଳ ସ୍ତରରେ ଅଧିକ ପ୍ରଭାବଶାଳୀ କରିବା ପାଇଁ ସେ ଦୃଢ ମତ ରଖିଥିଲେ । ଏହି ଆଲୋଚନାରେ ଶ୍ରୀମତୀ ପରିଡା ମିଶନ ଶକ୍ତିର ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଇ ଏକ ସମୃଦ୍ଧ ତଥା ବିକଶିତ ଓଡିଶା ଗଠନ ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶାଳିିନୀ ପଣ୍ଡିତ, ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭିନୀତ ଭରଦ୍ୱାଜ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ତନୁଜା ମହାନ୍ତି,ଲୋକସଂପର୍କ ଅଧିକାରୀ