ମୁଁ ଓଡ଼ିଆ ମୋ ଭାଷା ବଢିଆ, ୨୦୧୪ ଫେବୃଆରୀରୁ ମିଳିଗଲା ଶାସ୍ତ୍ରୀୟ ମାନିଆ, ନବ୍ୟ ସଭ୍ୟ ଶିକ୍ଷିତଙ୍କୁ ଲାଗେ, ଏହି ଭାଷା ଅଡ଼ୁଆ । କୁଲି ମୂଲିଆଠୁ ରିକ୍ସାବାଲାଙ୍କ ପିଲେ ହେଲେ ଇନଗ୍ରେଜ ପଢୁଆ । ମୁଁ ଓଡ଼ିଆ ମୋ ଭାଷା ବଢିଆ । ମା ମାଟି ମାତୃଭାଷାକୁ, ମାତୃଭୂମିରେ କରିଦେଲେ ଅଣବାଵୁଆ, ସୁଆଦ ଲାଗୁନାହିଁ ଚୂଡା ମୁଢ଼ି ନଡ଼ିଆ, ପିଲାଠୁ ବୁଢା ସବୁ ହେଲେ ମ୍ୟାଗିଖିଆ । ତୁମେ ପଞ୍ଜାଏ ରଡିକଲେ, କ’ଣ ହେବ ଓଡ଼ିଆ ଓଡ଼ିଆ । ତୃଣମୂଳ ରେ କେହି ନାହିଁ, ସବୁ ପଡ଼ିଛି ପଡିଆ । ନିଜ ମାଟିରେ କରିଦେଲେ ମୋତେ ଅଣ ଆଡିଆ, ମୁଁ ଓଡ଼ିଆ ମୋ ଭାଷା ବଢିଆ । କବିସୂର୍ଯ୍ୟ, କବିସମ୍ରାଟ, ପଞ୍ଚସଖା, ଫକୀରମୋହନ, ସୁଢଳଦେବ, କୃଷ୍ଣଚନ୍ଦ୍ର, ଗୋପବନ୍ଧୁ, ମଧୁସୂଦନ, ବ୍ରଜବନ୍ଧୁ, ରାମଚନ୍ଦ୍ର, ମଧୁ ବାରିଷ୍ଟର, ନ ଥିଲେ ମୁଁ ହୋଇଥାନ୍ତି କି ହରବର । ସେମାନଙ୍କ ଚେଷ୍ଟାରୁ ବଞ୍ଚି ହେଲି ଆଗ ଧାଡିଆ, ଭାରତୀୟ ଭାଷାରେ ପାଇଲି ଷଷ୍ଠ ପାହିଆ । ମୁଁ ଓଡ଼ିଆ ମୋ ଭାଷା ବଢିଆ । ୧୯୩୬ ଓଡ଼ିଶା ହେଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ, ଏବେ ସୁଦ୍ଧା ତିଷ୍ଠି ପାରିନାହିଁ ମୋ ସାମ୍ରାଜ୍ୟ । ଅନେକ ରାଜ୍ୟକୁ ଗଲେ, ଶୁଣିବ ନାହିଁ ଅନ୍ୟ ଭାଷା, ମାତ୍ର ମୋ ରାଜ୍ୟରେ ନାହିଁ, ମୋ ପ୍ରତି ଭରସା । ମୁଁ ଓଡ଼ିଆ ମୋ ଭାଷା ବଢିଆ । ବହୁ ପୁରାତନ ଏ ଜାତି ସଂସ୍କୃତି, ଯାହାକୁ ଧରି ସାଧବପୁଏ କରୁଥିଲେ ନୌବାଣିଜ୍ୟବୃତ୍ତି । ସେବେଠୁ ନାଁ ଡାକ କଳିଙ୍ଗା ସାହସିକା, କିନ୍ତୁ ଏ ଭାଷା ଭାଗ୍ୟରେ ଖାଲି ଧକମ ଧକ୍କା । ଅଥଚ କହନ୍ତି ମୁଁ ଓଡ଼ିଆ ମୋ ଭାଷା ବଢିଆ ।
ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯