ମୁଁ ଦୁଇ ହଜାର ସାତରେ ଆମେରିକାର ସାନ୍ଫ୍ରାନସିସ୍କୋ ସହରକୁ ଯାଇଥିଲି । ମୋ ଝିଅ ଯୋଇଁ ସେଠି ରହୁଥିଲେ ସେତେବେଳେ । ଝିଅର ପିଲା ହେବାର ଥିଲା । ତେଣୁ ପିଲାର ଯତ୍ନ ପାାଇଁ ମତେ ଡାକିଥିଲା । ମୋର ଟିକେଟ ଆଗତୁରା କରି ଦେଇଥିଲା ଛଅମାସ ରହିବି ବୋଲି । ସେଠିକି ଗଲାପରେ ପ୍ରଥମେ ପ୍ରଥମେ ମାସେ ଖଣ୍ଡେ ଭଲ ଲାଗିଲା । ନୂଆ ଜାଗା ବିଷୟରେ ଜାଣିବାର ଇଛା ଥିଲା । ଉଡାଜାହାଜ ବସିବାର ସଉକ ଥିଲା । ସେ ବି ପୂରା ହେଇଗଲା । ବହୁତ ସୁନ୍ଦର ସ୍ୱଚ୍ଛ ସମୃଦ୍ଧିର ଦେଶ ଆମେରିକା ତଥାପି ମୋ ମନକୁ ବେଶିଦିନ ତା ଜାଦୁରେ ବାନ୍ଧି ରଖି ପାରିଲାନି । ମୋତେ ମୋ ଦେଶ ତାର ଖାଦ୍ୟ ପାନୀୟର ସ୍ବାଦ ମନେ ପଡିଲା । ମୋ ଗାଁ ମାଟିର ଫଳ ଫୁଲ ନଈନାଳ ସେ ସରଳ ମଣିଷ ମାନେ ମତେ ତାଙ୍କ ପାଖକୁ ଡାକିବାକୁ ଲାଗିଲେ । ମୋ ସହରର ଚାଟ୍ ଗୁପ୍ଚୁପ୍ ଝା ଲମୁଢି ବାହା ଭୋଜି ଦୁର୍ଘାପୂଜା ରଥଯାତ୍ରା ସବୁପର୍ବ ମନେ ପଡିଲା । ସେଠିକାର ସାଗ ସବ୍ଜିରେ ସ୍ବାଦ ନଥିଲା । ନିଜର ରୁଚିକର ଲାଗୁନଥିଲା । ବାସମତୀ ଚାଉଳର ଭାତ ଖାଇ ଖାଇ ଚିଟା ଲାଗୁଥାଏ । ଲାଗୁଥାଏ ବାସି ଖଟ ପଖାଳ ମୁଠେ ମିଳନ୍ତାକି ? ହେଲେ ସେଠି ପଖାଳ କଲେ ଖଟା ହେଉନଥିଲା । ତେଣୁ ଟେଷ୍ଟ ଲାଗୁନଥିଲା । ମୁଁ ଗଲାପରେ ନାତିର ଜନ୍ମହେଲା । ତାପରେ ଟିକେ ତାର ଦେଖା ଶୁଣାରେ କିଛିଦିନ କଟିଗଲା । ତଥାପି ଘରକଥା ମନେ ପଡୁଥାଏ । ମୋର ବିରସ ମନ ଲକ୍ଷ୍ୟକରି ଯାଇ ପ୍ରତିଶନିବାର ମାର୍କେଟ ଗଲାବେଳେ ଲାଇବ୍ରେରିରୁ ମୋପାଇଁ ପାଞ୍ଚଖଣ୍ଡ ଓଡିଆ ବହି ଆଣିଦିଏ । ସାତଦିନ ପାଇଁ ଆଣିଥାଏ ହେଲେ ମୁଁ ତାକୁ ତିନି ଚାରି ଦିନରେ ପଢି ସାରିଦିଏ । ଏମିତି ଭାବରେ ସେ ଲାଇବ୍ରେରିରେ ଯାହା ଓଡିଆ ଓ ହିନ୍ଦିବହି ଥିଲା ପଢି ସରିଦେଲି । ରୋଷେଇ ବହିତକ ବି ଆସି ପଢିଦେଲି । ତାପରେ ଯୋଇଁ ମହା ଭାରତ ଓ ରାମାୟଣର କେସେଟ ଆଣିଦେଲା । ତାହା ଟିଭିରେ ଦେଖି ସାରିଦେଲି ।ମଝିମଝିରେ ଅନେକ ଯାଗା ବି ବୁଲିବାକୁ ଯାଉଥିଲୁ । କିଛିଦିନ ପାଇଁ ମନ ଖୁସିହେଇଯାଏ ବୁଲିଲା ବେଳେ ପୁଣି ଘରକୁ ଫେରିଲେ ସେଇ ଅବସ୍ଥା । ଉଡାଜାହାଜ ଗୁଡାକ ଘର ଉପର ଦେଇ ଗଲାବେଳେ ମନରେ ଆସେ କାଶ୍ ମୋର ବି ଡେଣା ଥାଆନ୍ତା ତାହେଲେ ଏ ଉଡାଜାହାଜ ପରି ପ୍ରଶାନ୍ତମହାସାଗର ଡେଇଁ ମୋ ଭାରତକୁ ଚାଲି ଯାଆନ୍ତି । ଯୋଉଠି ବୁଲିବାରେ କିଛି କଟକଣା ନାହିଁ ।ଏଠି ତ ସବୁଠି ଖାଲି ଆଇନ କାନୁନ।ଗାଡି ବାହାରେ ଏଠିସେଠି ଥୋଇ ପାରିବନି ନ ହେଲେ ଟାଓ କରି ନେଇଯିବ । ଫାଇନ ଦେବାକୁ ପଡିବ । ପିଲାକୁ କୋଳରେ ଧର ପାରିବନି।ଥୁକ ଲାଗିଲେ କାଶହେଲେ ଥୁକି ପାରିବନି । କିଛି ଖାଇଲେ ତାର ଚୋପା ବା ମଞ୍ଜିକୁ ହାତରେ ଧରି ଡଷ୍ଟବିନ ଆସିଲେ ପକେଇବ । ଗାଡିରେ ଗୋଟେ ସିଟ୍ ରେ ଜଣେ ବସି ପାରିବ । ଏମିତି ଅନେକ କଟକଣାର ଜୀବନ । ହସପିଟାଲ ବି ଯାଇ ପାରିବନି ଯଦି ନିଜର ଇନ୍ସୁରେନ୍ସ ନାହିଁ । ଥରେ ଗ୍ରାଇଣ୍ଡରରେ ଚାଉଳ ପେଷିବା ବେଳେ ଆଙ୍ଗୁଠିରେ ପିଠଉକୁ ଘାଣ୍ଟିଦେଲି ଆଗରୁ ବି ଅନେକ ଥର କରିଛି ଉପରଉପର ଗୋଟାଚାଉଳ ଲଟକିଥିଲେ ଏମିତି ଆଙ୍ଗୁଳିରେ ଗୋଳେଇଦିଏ । ସେଦିନ ବୋଧହୁଏ ଭିତରକୁ ବେଶି ପଶିଗଲା ମଝି ଆଙ୍ଗୁଳିର ଅଧେ କାଟି ନେଇଗଲା । ପିଠଉ ତକ ରକ୍ତ ରକ୍ତ ହେଇଗଲା । ସେଦିନ ହସପିଟାଲ ଯାଇ ପାରିଲିନି କାରଣ ମୋର ଇନ୍ସୁରେନ୍ସ ନଥିଲା ।ଝିଅ ମଲମ ଲଗାଇ ରୁଆ ଟିକେ ଦେଇ ପଟି ବାନ୍ଧି ଦେଲା । ସେଦିନ ରାତିରେ ସପ୍ସପ୍ କରି ବହୁତ ବ୍ୟଥା ହେବାକୁ ଲାଗିଲା । ମୁଁ ଏକା ଶୋଇଥିଲି ଝିଅ ଯୋଇଁ ଭିତର ଘରେ ଥିଲେ । ସେଦିନ ଏତେ କଷ୍ଟରେ ମୋ ସ୍ବାମୀଙ୍କ କଥା ବହୁତ ମନେ ପଡିଲା । ସତରେ ସ୍ବାମୀ ସ୍ତ୍ରୀ ଅଲଗା ହେଇଗଲେ କଷ୍ଟରେ କେହି ପାଖ ପଡନ୍ତିନି।ସେ ପାଖରେ ଥିଲେ ମୋର ଅଧାକଷ୍ଟ କମି ଯାଇଥାନ୍ତା । ସେ କିଛି ଔଷଧ ଦେଇଥାନ୍ତେ । ସେଦିନ ମୁଁ ମନମନେ ବହୁ କାନ୍ଦିଲି । ସେଠି ରହିବାକୁ ଆଉ ଜମାମନ ଲାଗିଲାନି । ଏପଟେ ସ୍ବାମୀ ବିି ବଡ ଅସୁବିଧାର ଥିଲେ । ସାତ କ୍ଲାସରେ ପଢୁଥିବା ଛୋଟପୁଅକୁ ତାଙ୍କ ଜିମା ଛାଡି ଯାଇଥିଲି । ତାର ସବୁକାମ ଦେଖି ରୋଷେଇ କରି ତାକୁନେଇ ସ୍କୁଲ ଛାଡି ନିଜ ହସ୍ପିଟାଲ ଯାଉଥିଲେ । ଦୁଇଟାରେ ତାକୁ ସ୍କୁଲରୁ ଆଣି ପୁଣି ଘରକୁ ଆଣି ବଢାବଢି କରି ଖାଇବାକୁ ଦିଅନ୍ତି । ଠିକ ବେଳକୁ ଚାକରାଣୀ ବି ଆଉ ଆସିଲାନି।ତେଣୁ ତାଙ୍କୁ ସବୁକାମ ପଡିଯାଏ ।ତାସାଙ୍ଗରେ କ୍ଲିନିକରେ ବି ରୋଗି ଦେଖିବାକୁ ପଡେ । ଥରେ ତାଙ୍କୁ ରାତିରେ ଚାରିପାଞ୍ଚଟା ଝାଡା ହେଇଗଲା । ମୁଣ୍ଡ ବୁଲାଉଥାଏ । ଛୋଟ ପୁଅ ଆରାମରେ ଶୋଇଥାଏ । ଚେଇଁଲେବି କଣ କରିଥାନ୍ତା କି? ସେ ଏବେବି ନିଜ କାମ କିଛି କରୁନ ଥିଲା ଆଉ ଅନ୍ୟକାମ ଛାଡ । ସେଦିନ ସେ ମତେ ବହୁତ ମନେ କଲେ ବୋଲି ତାପରଦିନ ଫୋନରେ କହିଲେ । ମତେ ଏତେ ସବୁ ଅସୁବିଧାରେ ଅଛନ୍ତି ଜାଣି ସେଠି ରହିବାକୁ ଜମା ମନ ହେଉନଥାଏ । କେହି ଜଣେ ଚିହ୍ନା ପରିଚିତ ଆମେରିକାରୁ ଭାରତ ଫେରୁଥିଲେ ମୁଁ ତାଙ୍କ ସହ ଚାଲିଯାଆନ୍ତି ଲାଗେ । ହେଲେ ଏହା ବସ୍ କି ଟ୍ରେନ ନଥିଲା ଯେ ମୁଁ ଏକା ଚାଲିଆସିିବି ମନକଲେ । ଏହାପାଇଁ ତିନିମାସ ଆଗରୁ ଟିକେଟ କରିବାକୁ ପଡେ।ମୋର ଫେରିବାଟିକେଟ ବି ଏକାସାଙ୍ଗେ କରା ହେଇଥିଲା । ସେଥିପାଇଁ ବାଧ୍ୟବାଧକତାରେ ରହିବାକୁ ପଡୁଥିଲା ସେଠି । ଯଦିଓ ସେଠି ମୁଁ ସ୍ୱଚ୍ଛନ୍ଦ ଥିଲି ପିଲାଏ ମୋର ସବୁ ଧ୍ୟାନ ରଖୁଥିଲେ ତଥାପି ଲାଗୁଥିଲା ମୁଁ ଏଠି ବନ୍ଦୀର ଜୀବନ କାଟୁଛି । ମତେ ଆଲେକଜାଣ୍ଡାର ସେଲ୍କାର୍କ ଙ୍କନିର୍ଜନତାର ବିଳାପ କବିତା ମନେ ପଡୁଥାଏ । ଦୂରଦୂରାନ୍ତ ଯାକ ସବୁ ନିଜର ଥାଇ ବି ନିଜର କିଛିନଥିଲା । କେମିତି ନିଜ ଦେଶରେ ପହଞ୍ଚିବି ସେଇ ଗୋଟିଏ ଭାବନା । ଗୋଟିଏ ରାତି ପାହିଲେ ଖୁସି ହେଇଯାଏ ଯାହଉ ଗୋଟେ ଦିନ ସରିଲା । ଆଉ କେତେ ସପ୍ତାହ ରହିବାକୁ ପଡିବ ? କେବେ ମୋର ବନ୍ଦିତ୍ବର ମିଆଦ ପୁରିବ ସେ ହିଁ ଗୋଟିଏ ଚିନ୍ତା । ଏମିତି ଭାବରେ ମୋର ମିଆଦ ସରିଲା । ମୁ ପୁଣି ପ୍ଲାଇଟ ବସିଲି । ବହୁତ ଖୁସି ଲାଗିଲା ହେଦିନ । ଆମେରିକାକୁ ବାଏ କହି ଫେରିଲି ମୋ ଦେଶକୁ । ଆଉ ଯେତେବେଳେ ପ୍ଲେନରୁ ଓହ୍ଲାଇ କଲିକତା ମାଟିରେ ପାଦଦେଲି ମତେଏତେ ଖୁସି ଲାଗୁଥିଲା ଯେ ମୁଁ ଯୋର୍ରେ ଚିତ୍କାର କରି ମୋର ଖୁସି ଜାହିର କରନ୍ତି । ମୁଁ ନଇଁକି ମାଟିଟିକେ ଉଠେଇ ପ୍ରଥମେ ମୁଣ୍ଡରେ ଲଗାଇ ଚୁମ୍ବନ ଦେଲି ମୋ ମାଟିମାଆକୁ । ତାପରେ ସବୁ ଲଗେଜ ନେଇ ବାହାରକୁ ଆସି ଯେତେବେଳେ ପୁଅକୁ ଓ ସ୍ବାମୀଙ୍କୁ ଦେଖିଲି ଖୁସିର ଠିକଣା ନଥିଲା । ସେମାନେ ବି ତଦ୍ରୁପ ଅନୁଭବ କରୁଥିଲେ । ସେଦିନ ମୁଁ ମୁକ୍ତିର ଆନନ୍ଦ କଣ ବୁଝି ପାରିଲି । ମୁଁ ସେଠି ସ୍ୱଚ୍ଛନ୍ଦ ଥାଇବି ମତେ ବନ୍ଦୀ ପରି ଲାଗୁଥିଲା ତେବେ ଯେଉଁ ପଶୁପକ୍ଷୀଙ୍କୁ ନିଜର ଖୁସିପାଇଁତାଙ୍କ ସୁନ୍ଦରତାପାଇଁ ଆମେ ବନ୍ଦୀ କରିିରଖୁଛୁ ତାଙ୍କୁ କେତେ କଷ୍ଟ ହେଉ ନଥିବ।ନିଜ ଦେଶ ନିଜ ଜାଗା ଯେମିତି ଥାଉ ସବୁଠୁ ବଢିଆ ଲାଗେ । ମୁଁତ ସେଦିନ କସମ୍ ଖାଇଲି ଆଉ ପଶୁପକ୍ଷୀଙ୍କୁ ପୋଷିବି ନାହିଁ । ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ଦେଖି ଖୁସିହେବି ଖାଇବାକୁ ଦେବି । ଆଉ ଦିନେ ମୁ ଏ ମୁକ୍ତିର ଆନନ୍ଦ ଅନୁଭବ କରିଥିଲି । ଏହିବର୍ଷ ୨୦୨୦ ରେ କରୋନାପାଇଁ ଦୁଇମାସ ଲକ୍ଡାଉନରେ ବନ୍ଦୀ ରହିବା ପରେ ଯେଉଁଦିନ ସାବିତ୍ରୀ ଅମାବାସ୍ୟାରେ ଲକ୍ଡାଉନ ଖୋଲିଥିଲା ଓ ମୁଁ ବାହାରକୁ ପୂଜା ଜିନିଷ କିଣିବାକୁ ଗଲି ସେଦିନ ମତେ ମୁକ୍ତ ବିହଙ୍ଗର ଆନନ୍ଦ ଅନୁଭବ ହେଇଥିଲା । ଜଣେ ବନ୍ଦୀ ନ ରହିଲେ ମୁକ୍ତି ହେବାର ଆନନ୍ଦ କେତେ ସୁଖକର ଜାଣି ପାରିବ ନାହିଁ ।
ମାଧବୀ ପଟେଲ, ଝାରସୁଗୁଡା