ମୁଖ୍ୟ ଶାସନ ସଚିବଙ୍କ ମହାଖୁଲାସା, ନବୀନ ୧ ନମ୍ବର ବିଶ୍ୱାସଘାତକ : କଂଗ୍ରେସ

ଭୁବନେଶ୍ୱର (ସମୃଦ୍ଧ ଓଡିଶା): ଧରାପଡିଛି ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରମାଗତ ପ୍ରତାରଣା । ଗୋଟିଏ ପଟେ ୨୦୧୪ ନିର୍ବାଚନ ପରେ ବିଜୁ ଜନତା ଦଳ ସରକାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହେବା ପରେ ଭାବମୂର୍ତି ବଂଚାଇବା ପାଇଁ ଗତ ୫ ତାରିଖରୁ କେନ୍ଦ୍ର ସରକାର ବିରୋଧରେ ତିନି ଦିନିଆ ପ୍ରତିବାଦ ନାଟକ ଚଳାଇଛି । ଅନ୍ୟପଟେ ରାଜ୍ୟ ସରକାର ବେକାର ଯୁବକ ଯୁବତୀଙ୍କ ସହ କିଭଳି ବିଶ୍ୱାସଘାତକତା କରିଛନ୍ତି ତାକୁ ଖୋଦ୍ ମୁଖ୍ୟ ଶାସନ ସଚିବ ତା’ର ଖୁଲାସା କରିଛନ୍ତି । ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ହାଇଲେବଲ କମିଟି ବୈଠକର ରିପୋର୍ଟ ସ୍ପଷ୍ଟ ଭାବେ ଧରାଇ ଦେଇଛି ନବୀନ ବାବୁଙ୍କ ସରକାର ହିଁ ଏକ ନମ୍ବର ବିଶ୍ୱାସଘାତକ । ୨୦୧୪ ପରଠାରୁ ଦୀର୍ଘ ୪ ବର୍ଷରେ ବିଭିନ୍ନ ସରକାରୀ ବିଭାଗ ଏବଂ ହେଡ୍ସ ଅଫ ଡିପାର୍ଟମେଂଟରେ ୫୦ ହଜାର ପଦ ପଦବୀରେ ଯୋଗ୍ୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି ଦିଆନଯାଇ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ଅର୍ଥାତ୍ ୪ ବର୍ଷରେ ୫୦ ହଜାର ଓଡିଆ ପିଲା ସରକାରୀ ଚାକିରୀରୁ ବଂଚିତ ହୋଇଛନ୍ତି । ଏହି ଘଟଣା ବିଜୁ ଜନତା ଦଳ ସରକାରର ଓଡିଆ ଯୁବକ ମାରଣ ନୀତିର ସ୍ପଷ୍ଟ ପ୍ରମାଣ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।ସେପଟେ ଗତ ୫ ତାରିଖରୁ ବିଭିନ୍ନ କେନ୍ଦ୍ର ସରକାରୀ ଉଦ୍ୟୋଗ ଓ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତିନି ଦିନିଆ ବିକ୍ଷୋଭ କେବଳ ଡ୍ରାମା ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ବିଜେଡିର ପ୍ରତିବାଦ ନିଯୁକ୍ତି କ୍ଷେତ୍ରରେ ନିଜର ବିଫଳତାକୁ ଲୁଚାଇବା ଓ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ବୋଲି ସତ୍ୟପ୍ରକାଶ ନାୟକ କହିଛନ୍ତି । ଏହି ପରିପ୍ରେକ୍ଷୀରେ ୬ଟି ପ୍ରଶ୍ନର ଉତର ରଖିବା ପାଇଁ ବିଜୁ ଜନତା ଦଳକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆହ୍ୱାନ କରାଯାଇଛି ।
ପ୍ରଶ୍ନ – ୧ : ଓଡିଶା ସରକାରଙ୍କ ସହାୟତାରେ ଯେତିକି ବେସରକାରୀ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେଉଛି ସେଥିରେ ଓଡିଶାର ଯୁବକ ଯୁବତୀ କିମ୍ବା ଓଡିଆମାନଙ୍କୁ ନିଯୁକ୍ତି କେତେ ଦିଆଯାଇଛି ତା’ର ତଥ୍ୟ ସରକାର / ବିଜୁ ଜନତା ଦଳ ପ୍ରକାଶ କରିବେ କି?
ପ୍ରଶ୍ନ – ୨ : ଓଡିଶାରେ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନମାନଙ୍କରେ ଓଡିଶା ଯୁବକ ଯୁବତୀ କିମ୍ବା ଓଡିଆମାନଙ୍କୁ ନିଯୁକ୍ତି ଦେବା ପାଇଁ ସରକାର କୌଣସି ଶିଳ୍ପ ସଂସ୍ଥା ସହ ବୁଝାମଣା ପତ୍ର କିମ୍ବା ଚୁକ୍ତିପତ୍ର ସ୍ୱାକ୍ଷର କରିବା ସମୟରେ କିମ୍ବା ନିଯୁକ୍ତି ପାଇଁ କୌଣସି ନୀତି ପ୍ରଣୟନ କରିଛନ୍ତି କି?
ପ୍ରଶ୍ନ – ୩ : ଏଭଳି ସ୍ଲୋଗାନ ଦେବା ଦ୍ୱାରା ଆଂଚଳିକତାବାଦ ବୃଦ୍ଧି ପାଇ ରାଜ୍ୟବାସୀଙ୍କ ନିଯୁକ୍ତି ଦାବି ପ୍ରତ୍ୟେକ ରାଜ୍ୟରେ ଉଠିଲେ, ରାଜ୍ୟ ବାହାରେ ଥିବା ଓଡିଆମାନେ ଲାଂଛିତ ହେବେ ନାହିଁ କି?
ପ୍ରଶ୍ନ – ୪ : ଓଡିଶାର କେତେ ଯୁବ ଶକ୍ତି ଦେଶର ପ୍ରମୁଖ ସହର ଯଥା – ଚେନ୍ନାଇ, ଦିଲ୍ଲୀ, ବାଙ୍ଗାଲୋର, ଚଣ୍ଡିଗଡ, ସୁରଟ, ପାନିପତ, ବମ୍ବେ, ହାଇଦ୍ରାବାଦ, ବିଶାଖାପାଟଣା, କଲିକତା, ରାୟପୁର, ଜାମସେଦପୁର, ଲୁଧିଆନା ଇତ୍ୟାଦି ସ୍ଥାନରେ ଅଛନ୍ତି, ତା’ର ଆକଳନ ସରକାର କରିଛନ୍ତି କି?
ପ୍ରଶ୍ନ – ୫ : ନବୀନ ବାବୁ ପାରାଦ୍ୱୀପ ରିଫାଇନାରୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ଚୁକ୍ତିପତ୍ରରେ ନିଯୁକ୍ତି ନେଇ ବ୍ୟବସ୍ଥା କଲେ ନାହିଁ କାହିଁକି?
ପ୍ରଶ୍ନ – ୬ : କେନ୍ଦ୍ରୀୟ ସରକାରୀ ଉଦ୍ୟୋଗମାନଙ୍କରେ ରାଜ୍ୟ ସରକାରଙ୍କୁ ନିଯୁକ୍ତି ସୁଯୋଗ ଦେବା ଏକ କେନ୍ଦ୍ରୀୟ ବିଷୟ ହୋଇଥିବା ବେଳେ ବିଜେଡିର ୨୮ ଜଣ ସାଂସଦମାନଙ୍କ ମଧ୍ୟରୁ କେହି ଜଣେ ଏ ପ୍ରସଙ୍ଗ ନେଇ ସଂସଦରେ ଉପସ୍ଥାପିତ ଏପରିକି ତଥ୍ୟ ଜାଣିବା ପାଇଁ ପ୍ରଶ୍ନଟିଏ କରିଛନ୍ତି କି?

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ହିମାଂଶୁ ଲେଙ୍କା, ଅଶୋକ ସାମଲ, ନିକୁଞ୍ଜ ପଶାୟତ ପ୍ରମୁଖ ଉପସ୍ଥିତ ରହି ବିଜେଡିର ଓଡିଆ ଯୁବକମାରଣ ନୀତିର ସମାଲୋଚନା କରିଥିଲେ ।

ରିପୋର୍ଟ:ଆକାଶ ମିଶ୍ର