ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ସଚିବ : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ ନେଇ ଆଲୋଚନା

Odisha Chief Minister Shri Mohan Charan Majhi is seen in a meeting with Union Steel Secretary Sri Sandeep Pondrik IAS at Lok Seva Bhawan on 29 August 2024

ଭୁବନେଶ୍ୱର(ସମୃଦ୍ଧଓଡିଶା) କେନ୍ଦ୍ର ଇସ୍ପାତ ସଚିବ ଶ୍ରୀ ସନ୍ଦିପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । ଏହା ଆଲୋଚନାରେ SAIL, NMDC ଓ ଇସ୍ପାତ ବିଭାଗ ଅଧୀନସ୍ଥ ଅନ୍ୟାନ୍ୟ ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଙ୍ଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆଲୋଚନାରେ କେନ୍ଦ୍ର ଇସ୍ପାତ ସଚିବ ସୂଚନା ଦେଇଥିଲେ ଯେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ ୪.୫ ମିଲିଅନ ଟନ୍‌ରୁ ୯ ମିଲିଅନ ଟନ୍‌କୁ ବୃଦ୍ଧି କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ସେ କାମନା କରିଥିଲେ। ରାଜ୍ୟ ସରକାର ଏଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଆଇ.ଜି.ଏଚ୍‌ ହସ୍‌ପିଟାଲ ଏବଂ ଅନ୍ୟ ଖଣି ଅଞ୍ଚଳରେ ବିଭିନ୍ନ ବିଭାଗୀୟ PSU ଦ୍ବାରା ପରିଚାଳିତ ହେଉଥିବା ହସ୍‌ପିଟାଲ ଗୁଡିକରେ ଅଧିକ ଉନ୍ନତି ଅଣାଯିବା ଆବଶ୍ୟକ। ଏହାଦ୍ବାରା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ବିଭିନ୍ନ PSU ସଂସ୍ଥା ଯଥା SAIL, OMDC ଆଦି ସଂସ୍ଥା ପକ୍ଷରୁ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ବ ପାଣ୍ଠି ସହାୟତାରେ ଓଡିଶାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ଆବଶ୍ୟକ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ ଓ ଖଣି ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ ଏବଂ ଓଡିଶା ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର