ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଥାନାଞ୍ଚଳ ଛଣମେରୀ ଗ୍ରାମରେ ଗତ ରବିିବାର ସକାଳେ ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଗାଁର ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଅଧା ଲଣ୍ଡା ଗାଁ କରି ଗାଁ ପରିକ୍ରମା କରାଯିବା ଘଟଣାରେ ମଙ୍ଗଳବାର ସେହି ଗ୍ରାମର ଆଉ ଦୁଇ ଜଣ ଅଭିଯୁକ୍ତ ଆତ୍ମ ସମର୍ପଣ କରିଥିବା ଆଇଆଇସି ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ସେମାନେ ହେଲେ ମନୋଜ ଡାକୁଆ ଏବଂ ବିଶୁ ପ୍ରଧାନ । ପୂର୍ବରୁ ଘଟଣାରେ ସେହି ଗ୍ରାମର ଟୁକୁନା ବିଷୋୟୀ, ଶଙ୍କର ପାତ୍ର ଓରଫ୍ ରାବଣ ଏବଂ କନ୍ଧ ବିଶ୍ୱାଳଙ୍କୁ ପୋଲିସ ଗିରଫ କରିଥିଲା । ଏନେଇ ଥାନାରେ କେସନଂ ୧୭୭ା୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଛଣମେରୀ ଗ୍ରାମ ଆଡୁଆ ସାହିର ସୁଦର୍ଶନ ଚୌଧୁରୀ ସେହି ଗ୍ରାମରେ ରହିଥିବା କପିଳେଶ୍ୱର ମନ୍ଦିରରୁ ଅଷ୍ଟଧାତୁ ନିର୍ମିତ ମାଁ ପାର୍ବତୀଙ୍କ ମୂର୍ତ୍ତିକୁ ନିଶାଶକ୍ତ ଅବସ୍ଥାରେ ଚୋରି କରି ନେଇ ତାକୁ ଏକ ଗୋବରଗଦାରେ ପୋତି ଦେଇଥିଲେ । ଉକ୍ତ ଘଟଣା ପ୍ରଘଟ ହେବା ପରେ ସୁଦର୍ଶନଙ୍କୁ ଅର୍ଦ୍ଧ ନଗ୍ନ କରାଯାଇ ଅର୍ଦ୍ଧ ଲଣ୍ଡା କରାଯାଇ ବେକରେ ଜୋତା ମାଳ ପକାଇ ଗାଁ ପରିକ୍ରମା କରାଯାଇଥିଲା । ସେହିପରି ନିସ୍ତୁକ ମାଡ ମରାଯାଇ ଏକ ଅମାନବୀୟ ଘଟଣା ଘଟାଯାଇଥିଲା । ଉକ୍ତ ଘଟଣାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ଘଟଣାକୁ ନେଇ ପୋଲିସ ସଙ୍ଗେ ସଙ୍ଗା ତପ୍ତରତା ପ୍ରକାଶ କରିଥିଲା । ଗାଁରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ଯାଇ ଗାଁରେ ସ୍ୱଭାବିକ ପରିସ୍ଥିତି ରକ୍ଷା କରିବା ସହିତ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ସୁଦର୍ଶନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା କରାଯାଇଥିଲା । ଗ୍ରାମବାସୀଙ୍କ ଠାରୁ ମୂର୍ତ୍ତି ଚୋରି ଅଭିଯୋଗରେ ଥାନାରେ କେସନଂ ୧୭୬ା୧୯ରେ ଏକ ମାମଲା ରୁଜୁ କରାଯାଇ ସୁଦର୍ଶନଙ୍କୁ ଗିରଫ କରାଯାଇଥିବା ବେଳେ ସୁଦର୍ଶନଙ୍କ ପ୍ରତି ହୋଇଥିବା ଅମାନବୀୟ କାଣ୍ଡ ଘଟଣାରେ ପୋଲିସ କେସନଂ ୧୭୭ା୧୯ରେ ଏକ ମାମଲା ରୁଜୁ କରି ସମୁଦାୟ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା