ମେଡିକାଲ ସର୍ଭିସ ଆସୋସିଏସନ କର୍ମକର୍ତ୍ତାଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ:ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିବ ମହାପ୍ରୟାଣ ଗାଡି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମସା) କର୍ମକର୍ତ୍ତାଙ୍କ ସହ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମହାପ୍ରୟାଶ ଗାଡି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଏଠାରେ ପ୍ରତିଶ୍ରୁତି ଦେଇଥିବା ଓମସା ରାଜ୍ୟ ସଭାପତି ଡାକ୍ତର ନିରାକାର ଭଟ୍ଟ ସୂଚନା ଦେଇଛନ୍ତି । ଏହି ବୈଠକରେ ଚତୁର୍ଥ ଡିଏସିପି ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ୩ଟି ସ୍ତରର ଡିଏସିପି ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାର ୪ଟି ସ୍ତର ପ୍ରଦାନ କରିଛନ୍ତି । ତେଣୁ ରାଜ୍ୟ ସରକାର ମଧ୍ୟ ଏହା ପ୍ରଦାନ କରିବାକୁ ଓମସା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅସ୍ଥାୟୀ ଡାକ୍ତରଙ୍କ ଚାକିରୀ ନିୟମିତ କରାଯିବା, ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ୟାଡ଼ର ରିଷ୍ଟ୍ରକଚରିଂ କରାଯିବା ସହ ନୂତନ ଡାକ୍ତର ନିଯୁକ୍ତି, ଡେଣ୍ଟାଲ ଡାକ୍ତରଙ୍କ କ୍ଷେତ୍ରରେ ମଧ୍ୟ କ୍ୟାଡର ରିଷ୍ଟ୍ରକଚରିଂ, ଡାକ୍ତରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଦ୍ଧାରଣ, ନିର୍ଦ୍ଦିଷ୍ଟ କବଚାର୍ଟ ସହ ସବୁ ସରକାରୀ ଛୁଟି ବଦଳରେ ଛୁଟି ପ୍ରଦାନ ସମ୍ପର୍କରେ ଏଠାରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଡାକ୍ତରଙ୍କ ଅବସର ବୟସସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରା ନ ଯିବାକୁ ଏଠାରେ ଓମସା ପକ୍ଷରୁ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଆଲସିୟୁ ସହିତ ୨୪ ଘଣ୍ଟିକା ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯିବାକୁ ଏଠାରେ ଓମସା ପକ୍ଷରୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ରାଜ୍ୟର ସ୍ୱାସ୍ଥ୍ୟନିତି ପ୍ରଣୟନରେ ଓମସାର ଭାଗିଦାରୀ ଉପରେ ଏଠାରେ ଓମସା କର୍ମକର୍ତ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ସମସ୍ତ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଏଠାରେ ଓମସା ପକ୍ଷରୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ବୈଠକରେ ୨୭ଟି ବିଭିନ୍ନ ଦଫା ନେଇ ଆଲୋଚନା ହୋଇଥିବା ପ୍ରକାଶ କରାଯାଇଛି । ଏହି ଅବସରରେ ରାଜ୍ୟ ସମ୍ପାଦକ ଡାକ୍ତର ପୁଣ୍ୟଶ୍ଳୋକ ଦାସ, କୋଷାଧ୍ୟକ୍ଷ ଡାକ୍ତର ଲଲାଟେନ୍ଦୁ ନାୟକ, ଉପସଭାପିତ ଡାକ୍ତର ପଵିତ୍ରମୋହନ ମଲ୍ଲିକ, ଡାକ୍ତର ଜ୍ୟୋତିର୍ମୟ ନାୟକ, ଡାକ୍ତର ଅଶୋକ କୁମାର କର, ଡାକ୍ତର ଶୁଭକାନ୍ତ ଦାସ, ଡାକ୍ତର ପ୍ରଦ୍ୟୁମ୍ନ କର, ଡାକ୍ତର ଜୟକାନ୍ତ ବଳିୟାରସିଂ, ସ୍ୱାସ୍ଥ୍ୟ ସ୍ୱତନ୍ତ୍ର ସଚିବ ଡାକ୍ତର ବ୍ରଜ କିଶୋର ବ୍ରହ୍ମା, ଶରତ ଚନ୍ଦ୍ର ମହାପାତ୍ର, ଶୁଭାନନ୍ଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା