ହିନ୍ଦୁ କେବଳ ଏକ ଧର୍ମ ନୁହେଁ,ଏକ ସଂସ୍କୃତି,ଏକ ପରମ୍ପରା,ଏକ ଐତିହ୍ୟ,ଏକ ଭାବଧାରା,ଏକ ଆନ୍ଦୋଳନ । ଆମଦେଶ ଭାରତବର୍ଷ, ହିନ୍ଦୁସ୍ଥାନ, କୋଉ ଅନାଦି ଯୁଗରୁ ପରସ୍ପର ମଧ୍ୟରେ ଭାବପ୍ରୀତି,ସୌହାର୍ଦ୍ଦ୍ୟ,ସମ୍ପ୍ରିତିର ବାର୍ତ୍ତା ବାଣ୍ଟି ଆସୁଛି,ସନାତନ ହିନ୍ଦୁଧର୍ମର ଗୌରଵାବହ ପରମ୍ପରାର ଜୈତ୍ର ଉଡ଼ାଇ ଆସୁଛି ।ମହମ୍ମଦ ଘୋରୀଙ୍କ ୧୧୭୫ ଆକ୍ରମଣ ପରେ ଯାଇ ମୋଗଲ/ମୁସଲିମମାନେ ଭାରତକୁ ଆସିଲେ,୧୪୯୮ରେ ଭାସ୍କୋଡାଗାମା ଭାରତକୁ ଜଳପଥ ଆବିଷ୍କାର କରିବାପରେ ପର୍ତ୍ତୁଗୀଜ, ଡଚ୍, ଫରାସୀ, ଇଂରେଜମାନେ ଭାରତକୁ ଆସିଲେ ।ମୂଳ ଭାରତୀୟ ଓ ବିଦେଶୀମାନଙ୍କ ମଧ୍ୟରେ ମଝିରେ ମଝିରେ ବିବାଦ ଦେଖା ଦେଇଛି, ଗଣ୍ଡଗୋଳ ଲାଗିଛି, ଯୁଦ୍ଧ ହୋଇଛି,ତଥାପି ସେମାନେ ସୁଖ ଓ ଆନନ୍ଦର ସହିତ ସହାବସ୍ଥାନ କରିଛନ୍ତି ଏଇ ଦେଶରେ,ଏଇମାଟିରେ,ଏଇ ଦେଶର ଉନ୍ନତିରେ ସମାନ ଭାଵେ ଭାଗୀଦାର ହୋଇଛନ୍ତି । ତା’ର କିଛିଟା ଝଲକ୍ ଏଠାରେ ଉପସ୍ଥାପନ କରୁଛି ।ବିବାହ ଏକ ସ୍ବତନ୍ତ୍ର ଉତ୍ସବ, ମାତ୍ର ତା ଯଦି ଅନ୍ୟ ଧର୍ମ/ସମ୍ପ୍ରଦାୟଦ୍ଵାରା ସ୍ବେଛାରେ ଆୟୋଜିତ ହେଲା ତାହେଲେ ତ ତାହା ଆହୁରି ସ୍ବତନ୍ତ୍ର ହୋଇଯାଏ,ଏମିତି ହୋଇଥିଲା କେରଳ ଆଲାପୁଝା ଜିଲ୍ଲା କାୟାମକୁଲମର ଚେରାଭାଲି ମସଜିଦରେ,ଚେରାଭାଲି ମୁସଲିମ୍ ଜମାତ୍ କମିଟିର ପ୍ରଯୋଜନାରେ ୧୯ ଜାନୁଆରୀ ୨୦୨୦ର ଘଟଣା,କାୟାମକୁଲମର ବିଧବା ମହିଳା ବିନ୍ଦୁ ନିଜ ଝିଅ ଅଞ୍ଜୁର ବାହାଘର କ୍ରିଷ୍ଣପୁରମର ଶଶୀଧରନ ଓ ମିନିଙ୍କ ପୁତ୍ର ଶରଥଙ୍କ ସହିତ କରାଇବାକୁ ଚାହୁଁ- ଥିଲେ ମାତ୍ର ତାଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା ।ଏକଥା ବିନ୍ଦୁ,ପଡୋଶୀ ନୁଜୁମୁଦ୍ଦିନ ଆଲୁମୁଟ୍ଟି, ସ୍ଥାନୀୟ ଜମାତ୍ କମିଟିର ସମ୍ପାଦକଙ୍କୁ ଜଣାଇଲେ ସହଯୋଗ ଉଦ୍ଦେଶ୍ୟରେ । ଏଥିରେ ସ୍ଥାନୀୟ ଜମାତ୍ କମିଟିର ସମସ୍ତେ ଆନନ୍ଦରେ ରାଜି ହୋଇଗଲେ ଓ ଆୟୋଜନ ରେ ଲାଗିପଡିଲେ।ନିର୍ଦ୍ଧାରିତ ଦିନ,୧୯-୦୧-୨୦୨୦କୁ ସମଗ୍ର ମସଜିଦକୁ ଏକ ହିନ୍ଦୁ ବିବାହ ମଣ୍ଡପ ଆକାରରେ ସଜାଇ ଦିଆଗଲା,ସବୁପ୍ରକାର ହିନ୍ଦୁ ରୀତିନୀତିରେ ହିନ୍ଦୁ ପଣ୍ଡିତଙ୍କ ପୌରହିତ୍ୟରେ ମହାଆଡମ୍ବରରେ ବିବାହ ଉତ୍ସବ ଅନୁଷ୍ଠିତ ହେଲା ସମ୍ପୂର୍ଣ୍ଣଭାବେ ଜମାତ୍ କମିଟିର ଖର୍ଚ୍ଚରେ । ନବଦମ୍ପତ୍ତିଙ୍କୁ ମସଜିଦ୍ କମିଟି ପକ୍ଷରୁ ୧୦ଗ୍ରାମର ଏକ ସ୍ବର୍ଣ୍ଣାଳଙ୍କାର ସହିତ ୨ ଲକ୍ଷ ଟଙ୍କା ଉପଢୌକନ ସ୍ବରୂପ ଦିଆଯାଇଥିଲା ।କେବଳ ସେତିକି ନୁହେଁ କମିଟି ପକ୍ଷରୁ ୪,୦୦୦ ଲୋକଙ୍କ ନିମନ୍ତେ ଏକ ନିରାମିଷ ଭୋଜିର ବ୍ୟବସ୍ଥା କରାଯାଇଥିଲା, ଯୋଉଥିରେ ମସଜିଦର ଇମାମ୍ ଓ ହିନ୍ଦୁ ପୁରୋହିତ ଏକାଠି ବସି ଖାଇଲେ,ଏହା କେଡେ ସୁନ୍ଦର ଏକ ସମ୍ପ୍ରଦାୟିକ ସଦଭାବର କାହାଣୀ କହିଲେ ! ସେଇ ଜୁନ ୨୦୨୦ର କଥା,କୋଭିଡ ସମ୍ପୂର୍ଣ୍ଣ ଯାଇନଥାଏ ପୃଥିବୀଵକ୍ଷରୁ, ସେଥିପାଇଁ ପୁରୀର ଶ୍ରୀଜଗନ୍ନାଥଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଉପରେ କଟକଣା ଲଗାଇଥିଲେ ସର୍ବୋଚ୍ଚ ଅଦାଲତ।ପୂର୍ଵଵର୍ଷ ସେଇ ଏକା କାରଣରୁ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା, କଳାବଦନଙ୍କୁ ପାଖରେ ନପାଇ ଭକ୍ତ ନିରାଶ ହୋଇଥିଲେ, ଝୁରି ହେଉଥିଲେ । ତେଣୁ ଵିନା ଭକ୍ତରେ ହେଉ ସିନା,କଟକଣାର ସହିତ ମହାବାହୁଙ୍କର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଅନୁମତି ଦେବାକୁ ଅନେକ ଭକ୍ତ ସୁପ୍ରୀମକୋର୍ଟରେ ପିଟିସନ ଦାଖଲକରିଥିଲେ। ସମୁଦାୟ ୨୧ଜଣଙ୍କ ମଧ୍ୟରେ ଜଣେ ଥିଲେ, ୧୯ ଵର୍ଷିୟ ନୟାଗଡ଼ କଲେଜର ଶେଷ ଵର୍ଷ ଅର୍ଥନୀତି(ସ୍ନାତକ)ର ଛାତ୍ର,ଅଫତାବ ହୁସେନ, ତାଙ୍କୁ ଭକ୍ତବୃନ୍ଦ ୨ୟ ସାଲବେଗ (ଶ୍ରୀଜଗନ୍ନାଥଙ୍କର ଜଣେ ଅନନ୍ୟ ଭକ୍ତ ଓ କବି)ଭାବେ ଅଭିହିତ କରୁଛନ୍ତି ।ହୁସେନ କହିଛନ୍ତି ତାଙ୍କ ଜେଜେବାପା ମୁଲତାବ ଖାଁ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ଭକ୍ତଥିଲେ ଓ ସେ ଇଟାମାଟିଠାରେ ଏକ ତ୍ରିନାଥ(ବ୍ରହ୍ମା,ବିଷ୍ଣୁ, ମହେଶ୍ଵର)ମନ୍ଦିର ନିର୍ମାଣ କରାଇଥିଲେ ।ହୁସେନ୍ ଆହୁରି କହିଛନ୍ତି ସେ ଅନେକ ହିନ୍ଦୁ ଧର୍ମ ଗ୍ରନ୍ଥ ପଢ଼ିଛନ୍ତି,ମାତ୍ର ଶ୍ରୀମନ୍ଦିରରେ ଅଣହିନ୍ଦୁପ୍ରଵେଶ ନିଷିଦ୍ଧଥିବାରୁ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିନାହାନ୍ତି,ସେଥିପାଇଁ ମନରେ ଦୁଃଖ ରହିଯାଇଛି,ସେ ଘରେ ଜଗନ୍ନାଥଙ୍କ ପୂଜା କରିବାରେ କେହି କେବେ ଅସହମତି ପ୍ରକାଶ କରିନାହାନ୍ତି । ୧୯ ଏପ୍ରିଲ ୨୦୧୯ର କଥା,ଦେଶରେ ସାମ୍ପ୍ରଦାୟିକ ସମ୍ପ୍ରିତିର ଅଭାବ କାରଣରୁ “କାରୱାନ୍ ଏ ମୋହଵତ୍” ଶୀର୍ଷକ ଏକ ସମ୍ବାଦଗୁଛ ପ୍ରକାଶପାଇଥିଲା,ସେଥିରେ ରାୟପୁର ଛତିଶଗଡ଼ର ଏକ ପ୍ରସଙ୍ଗଥିଲା ।ରାୟପୁରର ଏକ ପୋଷାକ ଦୋକାନୀ, ଅମାନୁଲ୍ଲା ଖାଁ ସ୍ଥାନୀୟ ପ୍ରସିଦ୍ଧ ରାମଲୀଳାରେ ଅନେକଦିନରୁ ରାବଣ ଭୂମିକାରେ ଅଭିନୟ କରି ଆସୁଛନ୍ତି ସେ ପୂର୍ବରୁ ବିଷ୍ଣୁ,ଦଶରଥ,ପର୍ଶୁରାମ,ପାଲି,ମେଘନାଦ ଆଦି ଭୂମିକା ମଧ୍ୟ ନିଭାଇଛନ୍ତି । ଅମାନୁଲ୍ଲା କହନ୍ତି ୧୯୩୫ରୁ ଏ ରାମଲୀଳା ଉତ୍ସଵ ତାଙ୍କ ଜେଜେବାପା ନିୟାମତୁଲ୍ଲା ଖାଁଙ୍କ ଦ୍ଵାରା ଆରମ୍ଭହୋଇଥିଲା,ରିହରସାଲ ସମୟରେ ଶୀଘ୍ର ଦୋକାନ ବନ୍ଦ କରି ରିହରସାଲରେ ଯୋଗଦେବାକୁ ପତ୍ନୀ ଜହିଦା ଖାଁ ତାଙ୍କୁ ପ୍ରୋତ୍ସାହିତ କରନ୍ତି ବୋଲି ହୁସେନ କହନ୍ତି । ତାଙ୍କ ଗାଁଟି ସାମ୍ପ୍ରଦୟିକ ସମ୍ପ୍ରିତିର ଏକ ଉଜ୍ଜ୍ୱଳ ନମୁନା ଓ ସେଠାର ଅଧିବାସୀ ହୋଇଥିବାରୁ ସେ ଗର୍ଵ ଅନୁଭବ କରନ୍ତି । ସେଠାରେ ମସଜିଦ୍ ଓ ମନ୍ଦିର ଗୋଟିଏ କାନ୍ଥର ଦୁଇପଟେ,ଏହା ଏକ ସାମ୍ପ୍ରଦାୟିକ ସଦଭାବର ଲକ୍ଷଣ ନୁହେଁ ? ଚଳିତଵର୍ଷ,୨୦୨୩ ଦଶହରାର ଭାଇଚାରା କଥା ଜାଣନ୍ତି,ଭାଇଚାରାର ସହର, ୧,୦୦୦ ଵର୍ଷର କଟକ ସହର,’ଧବଳ ଟଗର’ର କଥା ।କଟକର ସୂତାହାଟ ଏକ ଛୋଟ ବଜାର,ମହାଆଡମ୍ବରରେ ମା’ଙ୍କର ପୂଜା କରିବାକୁ ଇଛାଥିଲେ ମଧ୍ୟ ସମ୍ବଳ ଅଭାବ, ଯାହା ଯେମିତି ପ୍ରତ୍ୟେକ ପରିବାରରୁ ସଂଗ୍ରହ ଅର୍ଥରେ ପୂଜାକାର୍ଯ୍ୟ ଯଥାରୀତି ସମାପନ ହୁଏ । ତା ଭିତରେ ପ୍ରତିବର୍ଷ କିଛି କିଛି ନୂଆ ଯୋଡାଯାଏ, ତଥାପି ଛୋଟିଆ ପଣତ, କୁଆଡେ ଭିଡ଼ି ହେବ? ପୂଜାର ସାଜସଜ୍ଜା, ଦେବୀଘରର ଉନ୍ନୟନ ନିମନ୍ତେ ମା’ଙ୍କର ଗହଣା ଗାଣ୍ଠି ବନ୍ଧକରଖି ବ୍ୟାଙ୍କରୁ କିଛି ଋଣ ଆଣିଥିଲେ ପୂଜାକମିଟି,ଚଳିତଵର୍ଷ ଦଶହରାରେ ମା’ଙ୍କ ସକାଶେ ସେ ଗହଣା ସବୁ ମୁକୁଳାଇବା ନିମନ୍ତେ ଅର୍ଥାଭାବ ଦେଖାଦେଲା,ଏକଥା କିଛି ସଭ୍ୟଙ୍କ ମଧ୍ୟରେ ସୀମିତ ଥିଲା କୌଣସି ସୂତ୍ରରୁ ଏକଥା ଜାଣିବାପରେ ସ୍ଥାନୀୟ ବାସିନ୍ଦା ଶ୍ରୀ ଲିଆକୁଦ୍ଦିନ୍ ଅହମ୍ମଦ ୫୦ହଜାର ଟଙ୍କାଦେଇ ସେ ଗହଣାତକ ମୁକୁଳାଇ ଆଣିଛନ୍ତି ମା’ଙ୍କ ସକାଶେ । ନିଜର ମହାନତା ଦେଖାଇବାକୁ ଯାଇ ଲିଆକୁଦ୍ଦିନ୍ କହିଛନ୍ତି, ଅନେକ ବର୍ଷହେଲା ସେ ସୂତାହାଟ ପୂଜାକମିଟି ସହିତ ସମ୍ପୃକ୍ତ ଅଛନ୍ତି ଓ ମା’ଙ୍କର ଗହଣା ମୁକୁଳାଇବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସୂଚନା ଯୋଗ୍ୟ ସୂତାହାଟରେ ଅନେକ ମୁସଲିମ ଵାସକରନ୍ତି,କଟକ ସହର ଭାଇଚାରା ନିମନ୍ତେ ବିଶ୍ଵପ୍ରସିଦ୍ଧ ! କଟକ ବାଙ୍କା ବଜାର ଦୁର୍ଗାପୂଜା, ସ୍ଥାନୀୟ କିଛି ମୁସଲିମ୍ ପରିବାର ଯଥା:-ଅସଲମ୍ଅଲି ଓ ରହମତ ଖାଁ ଇତ୍ୟାଦିଙ୍କ ପରିବାରକୁ ବାଦ ଦେଇ ଚିନ୍ତା କରାଯାଇ ନପାରେ ବା ଏତେ ସହଜ ନୁହେଁ।ତାଙ୍କ ପରିବାର କୋଉ ୪ ପୁରୁଷହେଲା ମା’ ଦୁର୍ଗାଙ୍କର ପୂଜା ସକାଶେ ଜରି, ଜମ୍ବୁରା, ପଲିଥିନ୍, ଥର୍ମୋକୁଲ, ସୂତା, ଦଉଡି,ବାଉଁଶ ଇତ୍ୟାଦି ସାହାଯ୍ୟରେ ମେଢ଼, ଗହଣା,ମୁକୁଟ ସବୁ ପ୍ରସ୍ତୁତ କରିଆସୁଛନ୍ତି।କେବଳ ଦଶହରା ନୁହେଁ ଆଉ ସବୁ ପୂଜା,କାଳୀ ପୂଜା,ଗଣେଶପୂଜା,ସରସ୍ବତୀପୂଜା,କାର୍ତ୍ତକେଶ୍ଵର ପୂଜାପାଇଁ ମଧ୍ୟ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ଏମିତିକି ସୁଦୂର ହାଇଦ୍ରାବାଦରୁ ମଧ୍ୟ ଏହି ପରିବାର ଅର୍ଡର ପାଉଛନ୍ତି । ସମ୍ପ୍ରଦାୟ ନିର୍ବିଶେଷରେ ଅନ୍ୟମାନଙ୍କର ସେବାର ସୁଯୋଗ ପାଇପାରୁ ଥିବାରୁ ସେମାନେ ବହୁତ ଖୁସି।ଖୋର୍ଦ୍ଧା ଜିଲ୍ଲାର କାଇପଦର ପୀର, ପୁରୀଜିଲ୍ଲାର ଅସ୍ତରଙ୍ଗ ସନ୍ନିକଟଜାହାନିଆଁ ପୀର,ବାଲେଶ୍ଵରର ଭୁଜାଖିଆପୀର ଦରଘା ଆଦି ସାମ୍ପ୍ରଦାୟିକ ସଦଭାଵନାର ଏକ ଏକ ଅମଳିନ ଦୃଷ୍ଟାନ୍ତ।ଆମଦେଶର କୋଣ ଅନୁକୋଣରେ ଏଇଭଳି ସାମ୍ପ୍ରଦାୟିକସଦଭାଵନାର ରାଶି ରାଶି ଉଦାହରଣ ଭରପୁର।ଯଦିଵା କୋଉଠି କେମିତି ଟିକିଏ ପାଉଁଶ ତଳର ନିଆଁ ଭଳି ଥାଏ,ତାକୁ ହାୱା ଦେଇ ତେଜାଇଥାନ୍ତି କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ରାଜନୈତିକଲୋକ ନିଜର ରାଜନୈତିକ ରୁଟି ସେକିବାକୁ ସେଇ ନିଆଁରେ ! ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିକଟସ୍ଥ ମାଣିକାଗୋଡା ଗ୍ରାମ ସାମ୍ପ୍ରଦାୟିକ ସମ୍ପ୍ରିତିର ଏକ ଉଜ୍ଜ୍ୱଳ ଉଦାହରଣ ।କାହିଁ କୋଉକାଳରୁ ସେ ଗ୍ରାମର ମୁଖିଆ,ଦଳବେହେରା ହେଲେ ଜଣେ ମୁସଲିମ୍ ଭଦ୍ରବ୍ୟକ୍ତି ଯିଏ ସ୍ଥାନୀୟ ଦଶହରାରେ ମା’ ଦୁର୍ଗାଙ୍କ ପୂଜାରେ ପୁରୋଧା ଆସନ ଗ୍ରହଣ କରନ୍ତି ।ସମସ୍ତପ୍ରକାର ହିନ୍ଦୁ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୁଏ, ପୂଜକ ବ୍ରାହ୍ମଣଙ୍କଠାରୁ କୁଶବଟୁ ଗ୍ରହଣପୂର୍ବକ ଦଳବେହେରା ପୂଜା,”ଅପରାଜିତା ହୋମ” ସମାପ୍ତି ପର୍ଯ୍ୟନ୍ତ ବ୍ରାହ୍ମଣଙ୍କ ନିର୍ଦ୍ଦେଶରେ ସବୁ କରନ୍ତି,ଶେଷରେ ପ୍ରସାଦ ବଣ୍ଟନ ହୁଏ। ଅଧୁନା ସେକ ମୁଜିବୁର ରହମନ ଦଳବେହେରା ଅଛନ୍ତି।ସମସ୍ତେ ଏକାଠି ମିଳିମିଶିପ୍ରସାଦ ସେବନ କରନ୍ତି ।ମାଣିକାଗୋଡା ଏ ପରିପ୍ରେକ୍ଷୀରେ ବିଶ୍ଵପ୍ରସିଦ୍ଧ,ଏକ ଅନନ୍ୟ ଉଦାହରଣ ।ଏସବୁ ଜାଣିବାପରେ ଭାରତରେ ସାମ୍ପ୍ରଦାୟିକ ସଦଭାବର ଅଭାବ ଅଛି ବୋଲି କିଏ କହିପାରିବ ?ମେରା ଭାରତ ମହାନ୍ !
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯