ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସୋହେଲା ଥାନା ମେଲଛାମୁଣ୍ଡାର ଜଣେ ଦଶମ ଶ୍ରେଣୀର ଛାତ୍ରୀକୁ ଅପହରଣ ଓ ଥାନା ଭିତରେ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଘଟଣା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏହିଭଳି ଏକ ସ୍ପର୍ଶକାତର ଘଟଣା ଭାରତବର୍ଷରେ ଚହଳ ସୃଷ୍ଟି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଦିନ ଶାସନରେ ରହିବାର ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଅଶୋକ ସାମଲ ଓ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀସାମଲ କହିଛନ୍ତି, ବିଜେଡି ସରକାର ମା’କୁ ସମ୍ମାନ ନାରା ଲୋକଙ୍କୁ ପ୍ରତାରଣା । ପ୍ରତିଦିନ ଛାତ୍ରୀ, ନାବାଳିକା, ମହିଳା ଅପହରଣ, ଦୁଷ୍କର୍ମ, ହତ୍ୟା ଆଦି ଭଳି ଅପରାଧିକ ଘଟଣା ଘଟିଚାଲିଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛନ୍ତି । କନ୍ୟାଶ୍ରମଗୁଡିକ ରାଜ୍ୟରେ କୁମାରୀ ମା’ କେନ୍ଦ୍ର ପାଲଟିଛି । ଏହା ପୂର୍ବରୁ ବହୁ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ରାଜନୈତିକ ଚାପରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ପ୍ରଶ୍ନ ଉଠୁଛି ମେଲଛାମୁଣ୍ଡା ଘଟଣାରେ ଅଭିଯୁକ୍ତ ରିକୁ ନାଗ କେଉଁ ଦଳର କର୍ମୀ ? ଜଣେ ସାଧାରଣ ବ୍ୟକ୍ତି କୌଣସି ରାଜନୈତିକ ଦଳର ପୃଷ୍ଠପୋଷକତା ନଥିଲେ ଥାନାବାବୁଙ୍କର ଭଡାଘର ଚାବିକୁ କିପରି ନେଲେ ଏବଂ ସଂପୃକ୍ତ ଥାନାବାବୁ ଏହା ପୂର୍ବରୁ ଏଭଳି କାର୍ଯ୍ୟ କେବେଠୁ କଲେଣି ତାହା ତଦନ୍ତ ସାପେକ୍ଷ । ଏଥିରୁ ଅନୁମେୟ ରାଜ୍ୟରେ ଆଇନ୍ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ମୁଖ୍ୟମନ୍ତ୍ରୀ ନିଦ ପଦବୀରେ ରହିବାର ନୈତିକ ଅଧିକାର ହରାଇଛନ୍ତି । ଆଗାମୀ ୧୪ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ପ୍ରଦାନ ନକଲେ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଘୋଷଣା କରିଛନ୍ତିି । ପ୍ରକାଶଥାଉକି ୨୦୧୭ ମସିହାରେ ରାଉରକେଲାର ଜଣେ ୧୬ ବର୍ଷିୟା ନାବାଳିକାକୁ ରାଜସ୍ଥାନରେ ବିକ୍ରୀ କରାଯାଇଥିଲା । ସେ ନାବାଳିକାକୁ ସେଠାକାର ପୋଲିସ ଓଡିଶାକୁ ପଠାଇଥିଲେ ମଧ୍ୟ ଓଡିଶା ପୋଲିସ ତାକୁ ସୁରକ୍ଷା ଦେଇପାରିନଥିଲେ । କିନ୍ତୁ, ନାବାଳିକାର ପିତା ଦିଲ୍ଲୀ ପୋଲିସ ପାଖରେ ଅଭିଯୋଗ କଲାପରେ ଦିଲ୍ଲୀ ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା । ରାଜ୍ୟରେ କିଭଳି ଭାବରେ ମହିଳାମାନଙ୍କୁ ସୁରକ୍ଷା ଦେବାର ସରକାର ଅବହେଳା କରୁଛି, ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଜେନା ନବୀନ ସରକାରର କଟୁ ସମାଲୋଚନା କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର