ମୋ ଗେହ୍ଲା ଝିଅ ଓ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ ଉତ୍ସବ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡ଼ା ଏନ୍ଏସିର ପାଞ୍ଚ ନମ୍ୱର ୱାର୍ଡରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଓ ବାଲ୍ୟ ବିବାହ ପ୍ରତିରୋଧ ଶପଥ ପାଠ କାର୍ଯ୍ୟକ୍ରମ ପାଞ୍ଚ ନମ୍ବର ୱାର୍ଡର ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ଅଙ୍ଗନୱାଡି କର୍ମୀ ପ୍ରମୋଦା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ ପାତ୍ର ଓ ତାଙ୍କ କନ୍ୟା ସନ୍ତାନଙ୍କୁ ସ୍ବାଗତ କରାଯାଇ ନୂଆ ପୋଷାକ ପ୍ରଦାନ କରାଯାଇ ବନ୍ଦାପନା କରାଯାଇଥିଲା । ଏଥିସହ କିଶୋରୀ ବାଳିକା କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡି ଶିଶୁଙ୍କ ମାଆମାନେ ଯୋଗ ଦେଇଥିଲେ । ପୁଅକୁ ୨୧ ବର୍ଷ ଓ ଝିଅକୁ ୧୮ ବର୍ଷ ପୂର୍ଣ୍ଣ ହୋଇନଥିଲେ ତାହା ବାଲ୍ୟ ବିବାହ ବୋଲି ବିବେଚନା କରାଯାଏ । ବାଲ୍ୟ ବିବାହ କରୁଥିବା ପିତାମାତା ଓ ବିବାହ କାର୍ଯ୍ୟ କରୁଥିବା ବ୍ରାହ୍ମଣ ଉଭୟେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ସଚେତନତା କରାଯିବା ସହ ବାଲ୍ୟ ବିବାହ ନ କରିବା ଓ ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କିଶୋରୀ ବାଳିକା ବାଲ୍ୟ ବିବାହ ନକରିବା ଲାଗି ମଧ୍ୟ ଶପଥ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସହାୟିକା ସଂଯୁକ୍ତା ମହାରଣା ଓ ଆଶାକର୍ମୀ ସଫଳା ପାତ୍ର ସହଯୋଗ କରିଥିଲେ ।