ଆଜି ସନ୍ଧ୍ୟା ରେ ଚା ଦୋକାନ ରେ ନବ ଅଜାଙ୍କ ଶୁଖିଲା ମୁହଁ ଦେଖି ପଚାରିଦେଲି, “ଅଜା କଣ ଖବର?” । ଅଜା କହିଲେ,”କହନି ରେ ନାତି ଛୁଆ, ଆଜି କାଲି ବେଳ କାଳ ଯାହା ହେଲାଣି ମଣିଷ ଓପାସ ରେ ମରିବ”। ଚା ଗ୍ଲାସ ଟିଏ ଦୋକାନୀ ଠୁ ଆଣି ତାଙ୍କୁ ବଢ଼େଇ ଦେଉ ଦେଉ ପଚାରିଲି,” କାହିଁକି? କଣ ହେଲାକି?” । କହିଲେ, ” କାଲି ସନ୍ଧ୍ୟା ରେ ମୋ ନାତି ଟୋକା ପଡିସା ଘର ନାତି ଟୋକା ସହ ଖେଳ ଖେଳ ରେ କଣ ଟିକେ ପାଟିତୁଣ୍ଡ କଲା ଯେ, କଥା ବଢି ବଢି ତାଙ୍କ ବାପା ମାନଙ୍କ ପାଖରେ ପହଁଚିଲା। ସେଠୁ ଗଣ୍ଡଗୋଳ ଆରମ୍ଭ ହେଇଛି ଯେ ଏବେ ଯାଏଁ ଘରେ ଚୁଲି ଜଳିନି। ରୋଷେଇ ବନ୍ଦ, ଖାଇବା ବନ୍ଦ”।ମୁଁ ପୁଣି ପଚାରିଲି,” ଆଛା ତମେ ଏକା ଖାଇନ ନା ଘର ଲୋକ କେହି ବି ଖାଇ ନାହାନ୍ତି?”ଅଜାଙ୍କ ଆଖି ଛଳ ଛଳ ହେଉ ହେଉ ରହିଗଲା। କହିଲେ,” ନା, ମୁଁ ଏକା ଖାଇନି। ସେମାନେ ସମସ୍ତେ ବାହାରେ ଖାଇଲେ। ମୁଁ ତ ବାହାର ଜିନିଷ ଖାଏନି। ଘରେ ରୋଷେଇ ହେଲେ ହିଁ ଖାଏ। ତେଣୁ ମୋର ଓପାସ। ସେମାନେ ସମସ୍ତେ ବାହାରେ ଖାଇକି ଆସିଲେ। ମୁଁ ଟିକେ ରହି ଚିନ୍ତା କଲି ଓ କହିଲି, “ହଁ ଅଜା, ଆଜି କାଲି ସମସ୍ତଙ୍କ ଅବସ୍ଥା ସେଇୟା। ନିଜଘର ଖାଦ୍ୟ ବ୍ୟତୀତ ବାହାର ଖାଦ୍ୟ ଯେଉଁମାନେ ଖାଆନ୍ତି ନାହିଁ, ସେମାନଙ୍କୁ ଏମିତି ଦଶା ଭୋଗିବାକୁ ପଡେ। ଆମ ଜଗନ୍ନାଥ ଙ୍କୁ ଦେଖୁନ। ଜଣେ ପର୍ଯ୍ୟଟକ ପାଇଁ ପୋଲିସ ଆଉ ପଣ୍ଡାଙ୍କ ଭିତରେ ଝଗଡା ହେଲା ଯେ, ପଣ୍ଡା ମାନେ ସକାଳୁ ମନ୍ଦିର ବନ୍ଦ କରି ରଖିଲେ। ଜଗନ୍ନାଥ ଙ୍କୁ ନା ଖାଇବାକୁ ଦେଲେ ନା ପାଣି ମୁନ୍ଦେ ପିଇବାକୁ ଦେଲେ। ହେଲେ ଅଜା ଏମିତି କେତେଦିନ ଚାଲିବ? ଆଛା ଏ ଅବସ୍ଥା ତୁମର ଆଜି ହେଇଛି ନା ଆଗରୁ କେବେ ହେଇଛି? କହିଲେ, “ବର୍ଷ କୁ ବାରମାସ, ମାସକୁ ଥରେ ଏମିତି ଭୋଗିବାକୁ ପଡୁଛି। ଆଜି ଯାଏଁ ସହି ସହି ଆସୁଥିଲି। ଓପାସ କଲେ କୁଆଡେ ପେଟ ପାଇଁ ଭଲ ବୋଲି କୁହନ୍ତି। ସେଇୟା ଭାବି ମାସକୁ ଥରେ ଓପାସ କରି ଚଳେଇ ଦେଉଥିଲି। ତୁ ତ ଜାଣୁ ମୁଁ ଟିକେ ଖାଦ୍ୟ ରଙ୍କୁଣା। ଭୋକ ଜମା ସମ୍ଭାଳି ପାରେନି। ତଥାପି ମଝିରେ ମଝିରେ ମୋତେ ଓପାସ ରଖେଇ ବସି ପଡୁଛନ୍ତି। କିନ୍ତୁ ଆଉ ନୁହେଁ। ଘର ମୋର, ସମ୍ପତ୍ତି ମୋର, ଜମି ବାଡ଼ି ମୋର। ମୋ ପଇସା ରେ ଚଳି ମୋତେ ନାଲି ଆଖି ଦେଖାଉଛନ୍ତି? ଭୋକ ଲାଗିଲାଣି କହିଲେ କହୁଛନ୍ତି, ଆଜି ରୋଷେଇ ହେବନି, ଘର କାମ ବନ୍ଦ। କାଲି ସକାଳୁ ଯାଇ କୋର୍ଟ ରୁ ନୋଟିସ ନେଇ ଆସିବି। ମୋ କାମ ସବୁ କରିବ, ମୋ ଖାଇବା କଥା ବୁଝିବ ଯଦି ଏ ଘରେ ରୁହ, ନହେଲେ ବାହାର। ଆରେ…କଣ ବୋଲି ଭାବିଛନ୍ତି କି ମୋତେ? ମୋ ବିଲେଇ ମୋତେ ମିଆଉଁ? ଚା ପିଆ ସରି ଯାଇଥିଲା, ମୁଁ ଘରକୁ ଫେରିଲି। ଫେରିଲା ବେଳେ ଭାବୁଥିଲି, ଆମ ଜଗନ୍ନାଥ ଙ୍କ ମୁଣ୍ଡକୁ ଏମିତି ବୁଦ୍ଧି ଟିକେ ଜୁଟନ୍ତାନି? ସେ ତ ଭଗବାନ, ଯାହା ଚାହିଁବେ କରି ପାରିବେ। ପ୍ରଶାସନ ମୁଣ୍ଡରେ ବୁଦ୍ଧିଟିକେ ଦେଇ ନବ ଅଜାଙ୍କ ପରି ନିଷ୍ପତ୍ତି ଶୁଣେଇ ପାରନ୍ତେନି?ଯଦି ରାଜାଙ୍କ ହାତରୁ ସବୁ ଦାୟିତ୍ବ ପ୍ରଶାସନ ନେଲା, ତେବେ ଏ ପଣ୍ଡାଙ୍କ ଦୌରାତ୍ମ୍ୟ କିଆଁ ସହୁଛି। ଯେଉଁଦିନ ଜଗନ୍ନାଥ ଙ୍କୁ ଓପାସ ରହିବାକୁ ପଡୁଛି, ପଣ୍ଡା ମାନେ ଛାତିରେ ହାତ ରଖି କହି ପାରିବେ, ସେତିକି ସମୟ ସେମାନେ ବି ଓପାସ ଥିଲେ ବୋଲି? ସେମାନେ ନିଜ ନିଜ ଘରେ ଯାଇ ଖାଇଦେଇ ଆସିବେ, କିନ୍ତୁ ଆମ ଭଗବାନ ଓପାସ ରହିବେ। ଦୁନିଆଁ ରେ ଏମିତି କୌଣସି ମନ୍ଦିର ନାହିଁ, ଯେଉଁଠି କିଏ କାହା ଉପରେ ରାଗ ରଖି ମନ୍ଦିର ର ନୀତିକାନ୍ତି ବନ୍ଦ କରିଛି। ଯଦି କାହାର ଭୁଲ ହୁଏ ତେବେ ମନ୍ଦିର ପ୍ରଶାସନ ତା ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ଦୁନିଆଁ ର ସବୁ ମନ୍ଦିର ର ଟ୍ରଷ୍ଟ ଅଛି। ସେଠି ପୂଜାରୀ ବା ପଣ୍ଡା ଭାବେ ଯେଉଁମାନେ ନିଯୁକ୍ତି ପାଆନ୍ତି ସେମାନେ କୌଣସି ଏକ ବୈଦିକ ବିଦ୍ୟାଳୟ ରୁ ଶିକ୍ଷା ଗ୍ରହଣ କରି ରୀତିମତ ପରୀକ୍ଷା ଦେଇ ପାସ କରି ଆସିଥାନ୍ତି। ଉଚ୍ଚ ଶିକ୍ଷିତ ସେମାନେ। ଆମ ମନ୍ଦିର ପ୍ରଶାସନ ଯଦି ଏମିତି କିଛି କରନ୍ତା ତେବେ କଣ ହୁଅନ୍ତା ନାହିଁ? କାହିଁକି କେବଳ ମାତ୍ର ପୁରୀ ରେ ପିଢ଼ି ପରେ ପିଢ଼ି, ବାପା ଅଜା ସମ୍ପତ୍ତି ପରି ସେଇମାନେ ହିଁ ପଣ୍ଡା ଭାବେ ରହିବେ? କାହିଁକି ଉଚ୍ଚ ଶିକ୍ଷିତ ପୂଜାରୀ ନିଯୁକ୍ତ ହୋଇ ପାରିବେ ନାହିଁ? ଜଗନ୍ନାଥ ମନ୍ଦିର ଯିଏ ତିଆରି କରିଥିଲେ, ସେ ବି ମହାପ୍ରଭୁ ଙ୍କୁ ବର ମାଗିଥିଲେ, କହିଥିଲେ, “ହେ ପ୍ରଭୁ, ମୋତେ ଛୁଆପିଲା ଦରକାର ନାହିଁ। ମୋ ବଂଶ ରେ କେହି ନ ରୁହନ୍ତୁ। କାରଣ ଜଣେ ବି ଯଦି କିଏ ରହିଲା, ଏ ମନ୍ଦିର ମୋ ବଂଶଧର ତିଆରି କରିଛନ୍ତି ବୋଲି ଦାବି କରିପାରେ”। ତେବେ ଏ ପଣ୍ଡା ମାନେ କିଏ? କାହିଁକି ବଂଶାନୁକ୍ରମେ ସେମାନେ ମନ୍ଦିର ର ନୀତିକାନ୍ତି କରିବେ?
ପ୍ରଶାସନ କୁ ଅନୁରୋଧ, ଏ ବଂଶ ପରମ୍ପରା ବନ୍ଦ କରି ଅନ୍ୟ ମନ୍ଦିର ପରି ଉଚ୍ଚ ଶିକ୍ଷିତ ପଣ୍ଡା ମାନଙ୍କୁ ନିଯୁକ୍ତି ଦିଅନ୍ତୁ। ମନ୍ଦିର ରେ କେତେବେଳେ କଣ ହେବ, ତାହା ପ୍ରଶାସନ ନିଷ୍ପତ୍ତି ନେଉ। ଯିଏ ଅମାନ୍ୟ କଲା ତାକୁ ତୁରନ୍ତ ଚାକିରୀ ରୁ ବହିଷ୍କାର କରାଯାଉ। ଯଦି କିଏ ପ୍ରଶାସନ ର ନିଷ୍ପତ୍ତି କୁ ବିରୋଧ କରେ ତେବେ ତାକୁ ବି ବହିଷ୍କାର କରାଯାଉ।
ଆଉ ଯଦି ପ୍ରଶାସନ ଏ ସବୁ କରିବାକୁ ଅସଫଳ, ଜଗନ୍ନାଥଙ୍କ ନୀତିକାନ୍ତି ରେ ଏପଟ ସେପଟ ହେଲେ, ହାତ ରେ ହାତ ବାନ୍ଧି ବସିବା ଅପେକ୍ଷା ପ୍ରଶାସନ ର ସବୁ କର୍ମଚାରୀ ଇସ୍ତଫା ଦେଇ ମନ୍ଦିର ର ସବୁ ଦାୟିତ୍ବ ଗଜପତି ମହାରାଜା ଙ୍କୁ ହସ୍ତାନ୍ତର କରନ୍ତୁ।
ଜଗନ୍ନାଥ, ସବୁ ଓଡ଼ିଆଙ୍କ ସ୍ବାଭିମାନ। ଓଡିଶା ର ସବୁ ଲୋକ ଜଗନ୍ନାଥଙ୍କୁ ଭଲ ପାଆନ୍ତି। ଜଗନ୍ନାଥଙ୍କର କୌଣସି ନୀତିକାନ୍ତି ରେ ଖିଲାପ ହେଲେ ଓଡ଼ିଆ ପ୍ରାଣ କୁ ବାଧେ। ଜଗନ୍ନାଥ ଓପାସ ରହିଲେ ଅଧା ଓଡ଼ିଆ ଙ୍କ ଘରେ ଚୁଲି ଜଳେନି। ତେବେ ନିଜ ମନଇଚ୍ଛା ଜଗନ୍ନାଥ ଙ୍କ ନୀତିକାନ୍ତି କରିବାକୁ ପଣ୍ଡା ମାନଙ୍କୁ ଅଧିକାର ଦେଲା କିଏ?
ମନ୍ଦିର ଜଗନ୍ନାଥଙ୍କର, ସମ୍ପତ୍ତି ଜଗନ୍ନାଥଙ୍କର, ଭୋଗ ଜଗନ୍ନାଥଙ୍କର, ତାକୁ ଚଲେଇବା ପାଇଁ ତମେ କିଏ?
ଆରେ….ମୋ ବିଲେଇ ମୋତେ ମିଆଉଁ???
ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା