

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରୀ ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବାଲାଗି ସରକାର ଏବେ ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ପୁରାତନ ଛାତ୍ରୀଛାତ୍ରଙ୍କୁ ସାମିଲ କରିବା ଓ ଅଭିଭାବକମାନଙ୍କୁ ସଂଶ୍ଳିଷ୍ଟ କରିବାଲାଗି ଏହା ଏକ ପ୍ରୟାସ କରାଯାଉଥିବା ଜଣାଯାଇଛି । ଆଜି ବୁଧବାର ହାତୀଗଡ ପ୍ରାଥମିକ ବିଦ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇବଣିଆ, ଖୁଆଡ ଓ ଗୋପାଳପୁର କ୍ଲଷ୍ଟରର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଉକ୍ତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ହାତୀଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ଦତ୍ତ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଅଧିକାରୀ ବିରଞ୍ଜନ ଦାସଙ୍କ ସହିତ ଏବିଇଓ ସୁଶାନ୍ତ କୁମାର ଜେନା ଏବଂ ଅଜୟ କୁମାର ଜେନା, ଏମ୍ଆଇଏସ୍ ସଂଯୋଜକ ଅନିମେଷ ସ୍ୱାଇଁ, ସିଆର୍ସିସି ନିବେଦିତା ନାୟକ, ରଂଜନ କୁମାର ବେହେରା, ଦୀନକୃଷ୍ଣ ପାତ୍ର ଓ ସଂଯୋଜକ ହରେନ୍ଦ୍ର ମହନ୍ତ ପ୍ରମୁଖ ଯୋଗ ଦେଇ ଅନ୍ଲାଇନ୍ କ୍ଲାସ, ନ୍ୟୁଟ୍ରିସନାଲ ଗାର୍ଡେନ୍ ଓ ବିଦ୍ୟାଳୟକୁ ଆକର୍ଷଣୀୟ କରିବାଲାଗି ପରାମର୍ଶ ଦେଇଥିଲେ । ଅତିଥି ପରିଚୟ ବଂଶୀଧର ବାରିକ କରିଥିବା ବେଳେ ଉମାକାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାକୁ ଦିପ୍ତିଶିଖା ବେରା, ଶଂକର ଖୁଣ୍ଟିଆ, ବିଶ୍ୱନାଥ ଘୋଷ, ଫକିର ମୋହନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।