ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ୱଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ପ୍ରଥମ ଓ ଦ୍ବିତୀୟ ଦିନରେ ଅନୁଷ୍ଠିତ ହେବ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ । ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ସ୍ଲୋଗାନ ନେଇ ସାମୁହିକ ପରିସ୍କାର ଓ ପରିଚ୍ଛନ୍ନତା ସହିତ କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁର ପ୍ରଭାବଶାଳୀ ପରିଚାଳନା ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅବଗତ କରାଇଥିଲେ ଯେ, ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସାମୁହିକ ପରିଷ୍କାର ଏବଂ ଏହାର ପରିଚାଳନା ଦିଗରେ ସମସ୍ତ ନାଗରିକ ମାନଙ୍କର ଭୂମିକା ରହିଛି । ସଚେତନ କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଗଣ କ୍ଷେତ୍ର ପରିଦର୍ଶନ କରି ପରିଚାଳନା କାର୍ଯ୍ୟକୁ ବ୍ୟାପକ କରିବା ସହିତ ଲୋକ ପ୍ରତିନିଧୂ ମାନଙ୍କୁ ଏଥିରେ ସାମିଲ୍ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ବାରୋପ କରିଥିଲେ । ସଫେଇ କାର୍ଯ୍ୟକଳାପକୁ ନିୟମିତ ଅଭ୍ୟାସରେ ପରିଣତ କରିବା ତେବେ ଯାଏଁ ସମ୍ପୂର୍ଣ୍ଣ ରୂପେ ପରିମଳ ବ୍ୟବସ୍ଥାର ସୁପରିଚାଳନା ହୋଇପାରିବ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ନିଜ ନିଜ ବ୍ଳକ ଏବଂ ଗ୍ରାମ ପଞ୍ଚାୟତରେ ଜନ ଅଭିଯାନ ଆୟୋଜନ କରିବେ । ସେମାନେ ଜଳଉତ୍ସ ଗୁଡିକ ଚିହ୍ନଟ କରି ସେଗୁଡିକର ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ସମସ୍ତ ପୋଖରି ନିଶ୍ଚିତ ଭାବେ ପ୍ଲାଷ୍ଟିକ ମୁକ୍ତ, ତୃଣମୁକ୍ତ ଏବଂ ଶ୍ରବ ମୁକ୍ତ ରହିବ, ସେ ଦିଗରେ ଦୃଷ୍ଟି ଦେବେ । ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରର ଅଂଶ ଗ୍ରହଣ କାରୀଗଣ ଏହାର ଏକ ଅଂଶ ଭାବେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ନେଇ ପରାମର୍ଶ ଦେଇ ଏକ ଉତ୍ତମ ମିଶନ୍ ଅଭିଯାନରେ ଯୋଗ ଦେଇ ନିଜର ଶ୍ରମଦାନ କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସମସ୍ତ ବାୟୋ ଡିଗ୍ରେଡେବଲ ବର୍ଜବସ୍ତୁକୁ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ନିକଟତମ ବର୍ଜବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି)କୁ ପରିବହନ କରାଯିବ । ଗ୍ରାମ ପଞ୍ଚାୟତ ଦ୍ଵାରା ସଂଗୃହୀତ ଅଣ ବାୟୋ – ଡିଗ୍ରେଡେବଲ୍ ବର୍ଜବସ୍ତୁ (ପ୍ଲାଷ୍ଟିକ, ପଲିଥିନ୍ ଇତ୍ୟାଦି)କୁ ପରିବହନ କରି ବ୍ଲକର ଗୋଟିଏ ସ୍ଥାନରେ ଜମା କରାଯିବ । ସହରାଂଚଳରୁ ସଂଗୃହୀତ ପ୍ଲାଷ୍ଟିକ ଗୁଡିକୁ ପୂର୍ବରୁ ଚିହ୍ନିତ ହୋଇଥିବା ସିମେଣ୍ଟ କାରାଖାନାରେ ବିକ୍ରି ହେବ । ଓଡିଆ ଭାଷାରେ ବାର୍ତ୍ତା ବ୍ଲକ ଦ୍ବାରା ପ୍ରସ୍ତୁତ କରାଯାଇ ପ୍ରଚାର ଓ ପ୍ରସାର କରାଯିବ । ଅଭିଯାନ ସମୟରେ ସ୍ଵେଚ୍ଛାସେବୀ ମାନଙ୍କୁ ମାସ୍କ, ଗ୍ଲୋବସ୍ ଏବଂ ସାନିଟାଇଜର ଯୋଗାଇ ଦିଆଯିବ । କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଭ୍ରହ୍ମପୁର ମହାନଗର ନିଗମ କମିଶନର ଡ଼.ସିନ୍ଧେଶ୍ୱର ବଳିରାମ ବନ୍ଦୋର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏପିଡ଼ି ଜ୍ୟୋତି ଶଙ୍କର ରାୟ, ବ୍ରହ୍ମପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା