“ମୋ ସ୍ୱାମୀଙ୍କୁ ବଡ ଅଫିସର କୁକୁରକୁ ଗାଧୋଇବା ସହ ପାଇଖାନା ସଫା କରିବାକୁ ବାଧ୍ୟ କରୁଛନ୍ତି” କହିଲେ ଯବାନଙ୍କ ପତ୍ନୀ…

ରାୟଗଡା (ସମୃଦ୍ଧ ଓଡିଶା) କିଛି ମାସ ତଳେ ବିଏସଏଫ୍ ଯବାନ ତେଜ୍ ବାହାଦୁର୍ ଯାଦବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଝଡ ଭଳି ଭାଇରାଲ୍ ହୋଇଥିଲା । ବିଏସଏଫର ଖାଦ୍ୟପେୟକୁ ନେଇ ସେ ଚାଞ୍ଚଲ୍ୟ କରି ଦେଲା ଭଳି କଥା କହିଥିଲେ । ଏହାପରେ ଧିରେ ଧିରେ କିଛି ଯବାନ ସେନାର ତ୍ରୁଟିକୁ ନେଇ ମୁହଁ ଖୋଲିବା ଆରମ୍ଭ କରିଥିଲେ । ବର୍ତ୍ତମାନ ପୁଣି ଏଭଳି ଏକ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଯଜ୍ଞପ୍ରତାପ ସିଂହ ନାମକ ଜଣେ ଯବାନ୍ କିଭଳି ସିନିୟର୍ ଅଫିସରଙ୍କ ଶୋଷଣର ଶିକାର ହେଉଛନ୍ତି ଏହାକୁ ନେଇ ଏକ ଭିଡିଓ ଫେସବୁକରେ ପୋଷ୍ଟ୍ କରିଛନ୍ତି । କେବଳ ଯବାନ ନୁହଁ ତାଙ୍କ ସ୍ତ୍ରୀ ମଧ୍ୟ ଏଭଳି ଏକ ଭିଡିଓ ପୋଷ୍ଟ୍ କରିଛନ୍ତି । ସିନିୟର୍ ଅଫିସରଙ୍କ ଘରେ ଲୁଗା,ବାସନ ସଫା କରିବା,କୁକୁରକୁ ଗାଧୋଇଦେବା,ପିଲାଙ୍କୁ ସ୍କୁଲ୍ ଛାଡିବା,ପରିବା ଆଣିବା ଏବଂ ଟଏଲେଟ୍ ସଫା କରିବା ଭଳି କାମ ଯବାନଙ୍କୁ କରିବାକୁ ପଡିଥାଏ । ଏଭଳି କାମରେ ମର୍ମାହାତ ହୋଇ ଯଜ୍ଞପ୍ରତାପ ଏହି ଘଟଣାକୁ ସୋସିଆଲ୍ ମିଡିଆରେ ପ୍ରଘଟ କରି ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟର ଗୁହାରି କରିବା ପାଇଁ ଭିଡିଓ ଭାଇରାଲ୍ କରିଥିଲେ । କିନ୍ତୁ ଭିଡିଓ ବିଷୟରେ ଜାଣିବା ପରେ ଅଧିକାରୀ ତାଙ୍କ ଠାରୁ ଫୋନ୍ ଛଡାଇ ନେବା ସହ ଚାକିରୀରୁ ବହିଷ୍କାର କରିବା ପାଇଁ ମଧ୍ୟ ଧମକ ଦେଇଥିଲେ । ଏହି ଘଟଣା ପରେ ପତ୍ନୀ ରୁଚା ସିଂହ ଏନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ସ୍ୱାମୀଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ମୋଦିଜୀଙ୍କୁ ନେହୁରା ହୋଇଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ