ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ:ଅଲ ଇଣ୍ଡିଆ ଡି.ଏସ.ଓର ବିକ୍ଷୋଭ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବାର ପ୍ରଥମ ଦିନରେ ଓଡିଆ ପ୍ରଶ୍ନପତ୍ର ଲିକ ହୋଇ ମୋବାଇଲରେ ଘୁରି ବୁଲିବା ଘଟଣାର ଖବର ପ୍ରକାଶିତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଅଲ ଇଣ୍ଡିଆ ଡି.ଏସ.ଓ । ଅଲ ଇଣ୍ଡିଆ ଡ଼ି.ଏସ.ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ କାମାପଲ୍ଲୀ ଛକରେ ବିକ୍ଷୋଭ କରାଯିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ମ୍ୟାଟ୍ରିକ ପରୀକ୍ଷା ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡିତ ଏବଂ ଏହି ପ୍ରଶ୍ନପତ୍ର ଲିକ ଭଳି ଘଟଣା ମଧ୍ୟ କୌଣସି ନୂତନ ଘଟଣା ନୁହଁ । ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ତ୍ରୁଟି, ପ୍ରଶ୍ନପତ୍ର ଲିକ ଆଦି ଘଟଣା ବାରମ୍ବାର ଅତୀତରେ ମଧ୍ୟ ଘଟିଛି । କିନ୍ତୁ ସରକାର ଏହାକୁ ରୋକିବା ପାଇଁ ଆବଶ୍ୟକ ସତର୍କତା ତଥା ବିହିତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଏହାର ପୁନରାବୃତି ଘଟୁଛି । ବର୍ତ୍ତମାନ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ପରିବର୍ତ୍ତେ ସରକାର ଏହାକୁ କେବଳ ଅସ୍ୱୀକାର କରି ଘଟଣାକୁ ଆଡେଇ ଯିବାକୁ ଚାହୁଁଛନ୍ତି । କହିବା ବହୁଲ୍ୟ, ଏହା ସରକାରଙ୍କ ଛାତ୍ର ଓ ଶିକ୍ଷା ବିରୋଧୀ ମାନସିକତାର ପରିଚାୟକ ତଥା ପରୋକ୍ଷରେ ପରୀକ୍ଷା ବ୍ୟବସ୍ଥାକୁ ଘରୋଇକରଣ କରିବା ପାଇଁ ଅପରାଧୀ ସୁଲଭ ଉଦାସୀନତା ଓ ଘୃନ୍ୟ ଷଡ଼ଯନ୍ତ୍ରର ଅଂଶ ବିଶେଷ ବ୍ୟତୀତ ଅନ୍ୟ କିଛି ନୂହେଁ । ତେଣୁ ଏହି ପ୍ରଶ୍ନପତ୍ର ଲିକ ଘଟଣାରେ ଦୋଷୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଏହି ଘଟଣାର ପୁର୍ନରାବୃତ୍ତି ନ ହେବା ପାଇଁ ଦୃଢ ପଦକ୍ଷେପ ନିମନ୍ତେ ଅଲ ଇଣ୍ଡିଆ ଡ଼ି.ଏସ.ଓ ଦାବି କରିଛନ୍ତି । ଏହି ବିକ୍ଷୋଭରେ ଅଲ ଇଣ୍ଡିଆ ଡି.ଏସ.ଓର ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ଉପ ସଭାପତି ଉଦ୍ଧବ ମହାକୁଡ଼, ଜିଲ୍ଲା କମିଟି ସଭ୍ୟ ନାରାୟଣ ସାହୁ, ତିରୁପତି ଦୋରା, ପାପୁନ ସାହୁ, ରଞ୍ଜନ ସେଠି, ସୌମ୍ୟ ରଞ୍ଜନ ଗୌଡ଼, କିଷାନ ସାହୁ, କାମରାଜ ସାହୁ, ବିଭୁତି ଭୂଷଣ ସାହୁ, ଶୁଭସ୍ମିତା ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା