ମ୍ୟୁନିସିପାଲଟିର ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ସମୀକ୍ଷା-ବିଦ୍ୟୁତ୍ ସମସ୍ୟା ନେଇ ହଟ୍ଟଗୋଳ : ସମସ୍ୟା ସମାଧାନ ନେଇ ଏସ୍ଇଙ୍କ ପ୍ରତିଶୃତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ନିର୍ବାଚିତ ପତିନିଧି ନ ଥିବାରୁ ଅଧ୍ୟକ୍ଷଭାବେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଯାଇଛି । ବିଧାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ବିଦ୍ୟୁତ୍ ସମସ୍ୟା ନେଇ ବ୍ୟାପକ ଆଲୋଚନା ଓ ହଟ୍ଟଗୋଳ ହୋଇଥିଲା । ଆସନ୍ତା ଜୁଲାଇମାସ ସୁଦ୍ଧା ଜଳେଶ୍ୱର ମ୍ୟୁନିସିପାଲଟିର ସମସ୍ତ ବିଦ୍ୟୁତ୍ ସମସ୍ୟା ଦୂର ହେବା ଏବଂ ଆସନ୍ତା ୫ବର୍ଷକୁ ଆଖିଆଗରେ ରଖି ପ୍ରକଳ୍ପ ପ୍ରସ୍ତୁତ କରିବା ଏବଂ ବିଦ୍ୟୁତ୍ ସଂପର୍କରେ ପ୍ରତିମାସକୁ ଏକ ବୈଠକ ହେବାଲାଗି ଏସ୍ଇ ଇଂ ବ୍ରଜସୁନ୍ଦର ପରିଡା ବୈଠକରେ ପ୍ରତିଶୃତି ଦେଇଥିଲେ । ବୈଠକ ପ୍ରାରମ୍ଭରେ ବିଦ୍ୟୁତ୍ ସଂପର୍କରେ ଆଟିଡିଏସ୍ ଓ ସୌଭାଗ୍ୟ ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । ଏ ସଂପର୍କରେ କାର୍ଯ୍ୟର ମନ୍ଥରତା ହୋଗୁଁ ଉପସ୍ଥିତ ବୈଠକରେ ହୋ-ହାଲ୍ଲା ହୋଇଥିଲା । ଆଇଟିଡିଏସ୍ ଯୋଜନାରେ ମୋଟ ୭୪ଟି ଟ୍ରାନ୍ସଫରମର ପ୍ରତିଷ୍ଠା ହେବାକୁ ଥିବାବେଳେ ଅଦ୍ୟାବଧି ୨୩ଟି ସଂପୂର୍ଣ୍ଣ ହୋଇଥିବା ଆସନ୍ତା ୭ ତାରିଖ ସୁଦ୍ଧା ଅନ୍ୟ ୧୦ଟି ଓ ଜୁଲାଇ ସୁଦ୍ଧା ଅନ୍ୟ ୧୦ଟି ଟ୍ରାନ୍ସଫରମର ପ୍ରତିଷ୍ଠା ହୋଇ ଲାଇନ୍ ସଂଯୋଗ ହେବା ସଂପର୍କରେ ଶ୍ରୀ ପରିଡା ଉପସ୍ଥିତ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ସୌଭାଗ୍ୟ ଯୋଜନାରେ ମୋଟ ୧୧୦୦ ଶହ ହିତାଧିକାରୀ ବିଦ୍ୟୁତ୍ ପାଇବାକୁ ଅପେକ୍ଷା କରିଥିବା ବେଳେ ଅଦ୍ୟାବଧି ମାତ୍ର ୩୦୦ ହାତାଧିକାରୀଙ୍କୁ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ଓ ଏଥିଲାଗି ଆବଶ୍ୟକ ୨୦୦ ଖୁଣ୍ଟ ୭ ଦିନ ମଧ୍ୟରେ ପହଞ୍ଚିବା ବିକାଶ ଅପେକ୍ଷାରେ ଜଳେଶ୍ୱରର ବିଦ୍ୟୁତ୍ ଆବଶ୍ୟକତାକୁ ଲକ୍ଷ୍ୟକରି ୫ବର୍ଷର ମାଷ୍ଟରପ୍ଳାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଦୈନିକ ବଜାରର ବିଶୃଙ୍ଖଳା ଯୋଗୁଁ ଏବଂ ରାସ୍ତା ଉପରେ ଅବରୋଧ କରାଯାଉଥିବାରୁ ପ୍ରଶାସନିକ ଉଦାସୀନତାକୁ ଦାୟୀ କରାଯାଇଥିଲା । ଅତିଶ୍ରୀଘ୍ର ଦୈନିକ ବଜାରକୁ ସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତର କରିବା ଓ ଆପାତତ ଏବେ ରାସ୍ତା ଉପରୁ ହଟାଇ ଦେବାକୁ ଉପଜିଲାପାଳ ନିଲୁ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଷା ଦିନ ଆସୁଥିବାରୁ ସହରର ସମସ୍ତ ଡ୍ରେନେଜ୍ ବ୍ୟବସ୍ଥା ତ୍ୱରାନ୍ନିତ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମ୍ୟୁନିସିପାଲ୍ଟିର ୨ଟି ମୁଖ୍ୟ ରାସ୍ତାକୁ ପୁର୍ତ୍ତବିଭାଗକୁ ହସ୍ତାନ୍ତର ହୋଇଥିବା ଓ ଶାନ୍ତିଆ ରାସ୍ତାରେ କାମ ଆରମ୍ଭ ହୋଇଥିବା ତଥା ନୂଆବଜାର ରାସ୍ତାରେ କାମ କରିବାରେ କର୍ତ୍ତୃପକ୍ଷଙ୍କୁ ଉଦାସୀନତା ର ଅଭିଯୋଗ ହୋଇଥିଲା । ଅତିଶୀଘ୍ର ନୂଆବଜାରର ଅଲାଲପୁର ରାସ୍ତାରେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମାନସ ରଂଜନ ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶାନ୍ତିଆ ରାସ୍ତାରେ ନିମ୍ନ ମାନର କାମ ହେବା ଏବଂ ପ୍ଲାଏ ଓଭର ବ୍ରିଜ୍ ରାସ୍ତା ନିର୍ମାଣରେ ମଧ୍ୟ କେତେକ ପ୍ରଶାସନୀକ ଉଦାସିନତା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲେ । ମ୍ୟୁନିସିପାଲ୍ଟିର ସଫେଇ କାର୍ଯ୍ୟ ପୂର୍ବରୁ ଏବଂ ଏବେ ଠିକ୍ ଭାବେ ସଂପାଦନ ହେଉନଥିବା ସଂର୍କରେ ବହୁ ଅଭିଯୋଗ ଆସୁଥିବାର ବିଧାୟକ ଶ୍ରୀ ପାତ୍ର କ୍ଷୋଭର ସହିତ କହିଥିଲେ । ଅତିଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପାଇଖାନା ନିର୍ମାଣ କରିଥିବା ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ, ଆବାସ ଯୋଜନା ହିତାଧିକାରୀଙ୍କ ଅର୍ଥ ପୈଠ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ପୌରପରିଷଦର ପ୍ରତୀପ କୁମାର ପ୍ରଧାନ, ସତ୍ୟ ରଂଜନା ଦାସ ମହାପାତ୍ର, ଅର୍ଚ୍ଚନା ଗିରି, ସଂଜିବ ପାଳ, ଅମୂଲ୍ୟ ଦତ୍ତ, ହରିଶ ପ୍ରଧାନ, ବିଜୟ କାମିଳା, ରାଜେନ୍ଦ୍ର ପାତ୍ର, ଅନନ୍ତ ରାଉଳ, ଶଂକର ଘୋଷ, ଜହର ଦାସ, ରଣ୍ଟୁ ବ୍ରହ୍ମ, ସେକ୍ ଆବାସ ଅଲ୍ଲି, ସତ୍ୟବତୀ ଗିରି, କୁମାରକୃଷ୍ଣ କର ପ୍ରମୁଖ ବିଭିନ୍ନ ସମସ୍ୟା ସଂପର୍କରେ କହିଥିବା ବେଳେ ନେସ୍କ ନିର୍ବାହୀ ଯନ୍ତ୍ରୀ ଇଂ ହରିଶଚନ୍ଦ୍ର ପଣ୍ଡା, ଏସ୍ଡିଓ ଇଂ ଚିନ୍ମୟ ବେହେରା, ନିର୍ବାହୀ ଅଧିକାରୀ ହୃଷିକେଷ ପାଣି, ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ପୁର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମାନସ ରଂଜନ ସେଠୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା