ମ୍ୟୁନିସିପାଲ୍ଟିରେ ନାହିଁ ବର୍ଜ୍ୟବସ୍ତୁ ପରିଚାଳନା : ଜାତୀୟ ରାଜପଥ କଡ ପାଲଟିଛି କୁଢ କୁଢ ମଇଳାର ପେଣ୍ଠ ସ୍ଥଳୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୧୯୬୪ ମସିହାରେ ଜଳେଶ୍ୱର ବିଜ୍ଞାପିତ ଅଂଚଳ ପରିଷଦ ଗଠନ ହୋଇ ୨୦୧୩ ମସିହାରେ ପୌରପରିଷଦର ମାନ୍ୟତା ପାଇଥିଲା । ଅଦ୍ୟାବଧି ୫୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର ଥିବା୧୭ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡରୁ ମଇଳା ଆବର୍ଜନା ସଫେଇ ହୋଇ ୬୦ନଂ ଜାତୀୟ ରାଜପଥ କଡରେ ଗଦା ହେଉଛି । ବର୍ଜ୍ୟବସ୍ତୁ ପରିଚାଳନାର ବ୍ୟବସ୍ଥା ନଥିବାରୁ ଏପରି ଅବ୍ୟବସ୍ଥାକୁ ଘୋର ନିନ୍ଦା କରାଯାଇ ଆସୁଛି । ପୂର୍ବରୁ ଜଳେଶ୍ୱର ବିଜ୍ଞାପିତ ଅଂଚଳ ପରିଷଦ ଅଳିଆ ସଫା କରିବା ପାଇଁ କାର୍ଯ୍ୟାଳୟ ପକ୍ଷରୁ ବ୍ୟବସ୍ଥା ହୋଇ ଆସୁଥିବା ବେଳେ ୨୦୧୪ ମସିହାରେ ଏହାକୁ ଘରୋଇକରଣ କରାଯାଇଥିଲା । ସେହିଦିନଠାରୁ ଅଦ୍ୟାବଧି ଘରୋଇଭାବେ ଏପରି ମଇଳା ଆବର୍ଜନା କୁ ପରିଷ୍କାର କରାଯାଇ ଆସୁଥିବା ବେଳେ ଅଦ୍ୟବଧି ବର୍ଜ୍ୟବସ୍ତୁ ପରିଚାଳନାର ବ୍ୟବସ୍ଥା ହୋଇନାହିଁ । ଫଳରେ ଏ ସବୁ ୬୦ନଂ ଜାତୀୟ ରାଜପଥର ଜିକେଭଟ୍ଟର ବାଇପାସରୁ ସାଇ ଫିଲିଙ୍ଗ ଷ୍ଟେସନ ମଧ୍ୟରେ ଫୋପାଡା ଯାଇ ଆସୁଛି । ଜାତୀୟ ରାଜପଥରେ ଯିବାବେଳେ ଦୁର୍ଗନ୍ଧରେ ନାକ ଫାଟିପଡିବା ସହିତ ପରିବେଶ ଦୁଷିତ ହେଉଛି । ଏକ ସର୍ବେକ୍ଷଣରୁ ପ୍ରକାଶ ବର୍ଜ୍ୟବସ୍ତୁ ସୁପରିଚାଳନା ଲାଗି ତତ୍କାଳୀନ କାଉନ୍ସିଲ ସୁପାରିଷ କରିଥିଲେ । ଫଳରେ ଜିଲାପାଳଙ୍କ ତା୭-୨-୧୫ରିଖରେ ଦେଇଥିବା ଚିଠି ଅନୁଯାୟୀ ଧାନସିମୁଳିଆ ଗାଁର ଖାତା ନଂ-୪୮୪ ଓ ପ୍ଲଟ ନଂ ୨୫୮ରେ ୬ଏକର ୨୮ ଡିସିମିଲ ସ୍ଥାନ ଚିହ୍ନଟ କରାଯାଇଛି । କିନ୍ତୁ ଅଦ୍ୟାବଧି ଏହାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏବେ ନିର୍ବାହୀ ଅଧିକାରୀ ହୃଷିକେଶ ପାଣି କାର୍ଯ୍ୟଭାର ଗ୍ରହଣ କରିବାପରେ ଚିନି ନଂ ୯୪୨ ତା ୧୦-୪-୧୯ରିଖ ରେ ଜିଲାପାଳଙ୍କ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଏ ସଂପର୍କରେ ନିର୍ବାହୀ ଅଧିକାରୀ ଶ୍ରୀ ପାଣିଙ୍କୁ ପଚାରାଯିବାରୁ ଉକ୍ତ ପ୍ରକଳ୍ପ ଆସନ୍ତା ୬ ମାସ ମଧ୍ୟରେ ଟେଣ୍ଡର ହେବା ସହିତ କାର୍ଯ୍ୟ ସମାପନ ହେବ । ଏଥିରେ ୩ ମେଟ୍ରିକଟନ୍ ବର୍ଯ୍ୟବସ୍ତୁ ପ୍ରତିଦିନ ପକାଯିବାକୁ ସୁବିଧା ଥିବା ବେଳେ ଏବେ ୨ ମେଟ୍ରିକଟନ୍ ବର୍ଜ୍ୟବସ୍ତୁ ସହରର ବିଭିନ୍ନ ୱାର୍ଡରୁ ବାହାରୁଥିବା ସେ କହିଥିଲେ । ଏହି କାର୍ଯ୍ୟକୁ ତ୍ୱରାନ୍ନିତ କରିବାପାଇଁ ଭୁପେନ୍ ଦାସ ନାମକ ଜଣେ ସେନିଟାରୀ ଅଫିସର ଯୋଗ ଦେଇଥିବା କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା