ଓଡିଶାର ଗଣପର୍ବ ରଜ । ମାଆ ବସୁଧା ଏହିଦିନ ରଜସ୍ୱଳା ହୋଇଥାନ୍ତି ବୋଲି ଓଡିଶାର କୃଷକଙ୍କର ବିଜ୍ଞାନୀମାନସିକତା ପ୍ରମାଣ କରିଛି । ବୈଶାଖ ଜ୍ୟେଷ୍ଠ ମାସର ପ୍ରଚଣ୍ଡ ରୌଦ୍ର ତାପରେ ବସୁଧାର ମୃତ୍ତିକା ତନୁ ଉତ୍ତପ୍ତ ଥିଲା । ଜ୍ୟେଷ୍ଠର ଶେଷ ଦିନ ସୁଦ୍ଧା ମୌସୁମୀ ଓଡିଶାର ଜଳବାୟୁରେ ପ୍ରବେଶ କରିଥାଏ ଓ ତତଜନୀତ ପହିଲି ବର୍ଷା ବସୁଧା ମାଟିରେ ଅଵପାତନ କରିବା ଫଳରେ ବସୁଧାର ଅନ୍ତରୀଣ ନିକାଶ ହୋଇଥାଏ । ବସୁଧାର ଏହି ଶାରୀରିକ ଅବସ୍ଥା ଉତ୍ପାଦନ କ୍ଷମ ବୋଲି ବିବେଚନା କରି ଓଡିଶାର କୃଷକ ଯଥାର୍ଥରେ ବସୁଧା ରଜସ୍ୱଳା ବୋଲି ମତପ୍ରକାଶ କରିଛି ଏବଂ ଉତ୍ପାଦନକୁ ଏକ ଆନନ୍ଦମୟ ଚିନ୍ତନ ରଖି ରଜସ୍ୱଳା ଓଡିଶା ମାଟିର କୃଷକ ଏକ ପର୍ବର ବିବେଚନା କରିଛି ଓ ତା’ର ନାମ ଦେଇଛି ରଜପର୍ବ । ଓଡିଶାର ଏହି ରଜପର୍ବ ମିଥୁନ ସଂକ୍ରାନ୍ତି ଦିନ ପାଳନ କରାଯାଏ । ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ, ଆଷାଢ଼ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତି ଓ ଦ୍ଵିତୀୟ ଦିନକୁ ଭୂମିଦଗ୍ଧ ଭାବେ ନିଆଯାଇଛି । ବସୁଧା ମାଆ ରଜସ୍ୱଳା ବୋଲି ମନେକରି କୃଷକ ଭାଇ ଭୂମି ଖନନ କରି ନଥାଏ । ପଲ୍ଲୀଭୂମିର ବାଳିକା ବସୁଧାକୁ ସ୍ପର୍ଶ ନ କରିବାକୁ କଦଳୀ ପଟୁଆ ଗୋଡ଼ରେ ବାନ୍ଧି ଚାଲିଥାନ୍ତି । ଏହି ପର୍ବ ପଲ୍ଲୀଭୂମିର ପର୍ବ ଓ କୃଷି ସମ୍ପର୍କିତ ପର୍ବ ହୋଇଥିବାରୁ କୃଷକ ପରିବାରରେ ଏହା ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ । ଓଡିଶାର ପରମ୍ପରା କହିଲେ କେବଳ କୃଷି ଓ କୃଷକ ତଥା କୃଷକର ବିଶ୍ୱାସକୁ ବୁଝାଇଥାଏ । ତେଣୁ ରଜପର୍ବ କି ତାର୍କିକ କ୍ଷେତ୍ରରେ ଦେଖିବାକୁ ଗଲେ ଏହି ପର୍ବ ସମ୍ପୂର୍ଣ କୃଷି ଓ କୃଷକ ସମ୍ପର୍କିତ । ଓଡିଶାର କୃଷିର ଅୟମାରମ୍ଭ ଯେବେ ହୋଇଥିଲା ରଜପର୍ବ ସେହି ସମୟ ଠାରୁ ପ୍ରଚଳିତ । ତେଣୁ କେବେ ଓ କେଉଁ ଐତିହାସିକ ସମୟ ଠାରୁ ପ୍ରଚଳିତ କହିବା ଅସମ୍ଭବ । ଏହା ବାଳିକା ପର୍ବ ନୁହେଁ । ଏହା କୃଷକ ପରିବାରର ବାଳିକାର ପର୍ବ, ବାଳକର ପର୍ବ, ତା ପରିବାରର ପର୍ବ । କୃଷକର କନ୍ୟା ରଜ ପୂର୍ବ ଦିନ ସଜେଇ ହୋଇ ରଜ ଦିନ ଦୋଳି ଖେଳେ । କୃଷକର ପୁତ୍ର ଗାଁ ଦାଣ୍ଡରେ ବାଗୁଡି କବାଡି ପାରମ୍ପରିକ ନୁହେଁ । ଏହା ବାଗୁଡିର ଉନ୍ନତ ଶୈଳି ଓ ବାଗୁଡିର ଅପଭ୍ରଂଶ ଖେଳେ । କୃଷକର ସ୍ତ୍ରୀ ରାଜପିଠା କରେ । କୃଷକ ପାଲି, ସତରଞ୍ଜି ଖେଳେ । ତେଣୁ ବାଗୁଡି, ପିଠା, ଦୋଳି, ପାଲି, ସତରଞ୍ଜି ଇତ୍ୟାଦି ଶବ୍ଦମାଳାରୁ ଓଡିଶାର ରଜ ପର୍ବର ଇତିହାସ ଅନୁମେୟ କରିହୁଏ । ଏହି ପର୍ବପାଳନର ଧାରା ସମୟାନୁକ୍ରମେ ନିଜସ୍ୱ ରୁଚି ଅନୁସାରେ ପରିବର୍ତ୍ତିତ ହୋଇଛି । ଉତ୍ତର ଭାରତ ତଥା ଓଡିଶାର କିଛି ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ଦୋଳିଖେଳ ଓ ଗୀତ ବୋଲିବା ଧାରା ଅଲଗା । ଦୋଳିଗୀତର ରଚୟିତା ଆଷାଢ଼ ବର୍ଷାରେ ମସଗୁଲ ହୋଇଥିବା ଜଙ୍ଗଲୀ ହାତୀର ସ୍ଵନ ଶୁଣିଥିବ । କୃଷକ ପରିବାରରେ କଠିନ ପରିଶ୍ରମ କରି ବଞ୍ଚୁଥିବା ଝିଅଟି “ବରଷକେ ଥରେ ଆସିଛି ରଜ”ର ଗୀତ ଗାଇ ମନଖୁସି ଟିଏ କରିବାକୁ ସୁଯୋଗ ପାଇଥିବ । ରଜ ଆଜି ଅଛି । ଆଗକୁ ରହିବ । ଓଡିଶାର ଏହିଗଣପର୍ବ ଓଡ଼ିଆକୁ ପ୍ରେରଣା ଦେଉ । ଜଗତର ନାଥ ଜଗନ୍ନାଥ ସହାୟ ହୁଅନ୍ତୁ । ଓଡିଶାର କୃଷି ଓ କୃଷକର ଜୟ ହେଉ । ଓଡ଼ିଆଣୀର ପାକଶାଳା ବିକଶିତ ହୋଇଉଠୁ ।
ରବୀନ୍ଦ୍ର କୁମାର ବେହେରା, ଶିଖରପୁର, କଟକ