ରଥଯାତ୍ରା ଯୋଗୁଁ କର୍ଫ୍ୟୁ ଲଗାଯାଉଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ପୁରୀ ସହର ଛାଡିବାକୁ ନିର୍ଦ୍ଦେଶ…

ପୁରୀ (ସମୃଦ୍ଧ ଓଡିଶା) ଆସନ୍ତା ସୋମବାର ଦିନ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀବିଗ୍ରହ । ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ କରାଯାଉଛି ଏବଂ ପୁରୀରେ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଏଥିପାଇଁ ରବିବାର ରାତିରୁ ମଙ୍ଗଳବାର ରାତି ଯାଏ ସହରରେ କର୍ଫ୍ୟୁ ଲାଗୁ ହେବାକୁ ଥିବା ଯୋଗୁଁ ଆଜି ଶନିବାର ଥିଲେ ମଧ୍ୟ ରଥଯାତ୍ରା ପାଇଁ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌ କୋହଳ କରାଯିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟ୍ କରିଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲେ । ଆସନ୍ତା ସୋମବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ୧୧ ତାରିଖ ରବିବାର ରାତି ୮ଟାରୁ ୧୩ ତାରିଖ ମଙ୍ଗଳବାର ରାତି ୮ଟା ଯାଏଁ କର୍ଫ୍ୟୁ ଲଗାଯିବ । ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିବେ ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ ବୋଲି କୁହାଯାଇଛି । କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଖୋଲିବା ନିମନ୍ତେ ଅନୁମତି ଦିଆଯାଇଛି । ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟର ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି ।