ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକଦା ସମଗ୍ର ପୂର୍ବଭାରତର ସର୍ବବୃହତ୍ ରାଇବଣିଆ ଦୁର୍ଗ ସାମରିକ ଘାଟିର କେନ୍ଦ୍ରବିନ୍ଦୁ ହୋଇପାରିଥିବା ବେଳେ ଆଜି ସେପରି ଦୁର୍ଗ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି । ୫ ହଜାର ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ଦୁର୍ଗ ସଂପର୍କରେ ଆସନ୍ତା ୧୪ ତାରିଖରେ ବାଲେଶ୍ୱର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଆହୁତ ହେଉଥିବା ଜଣାଯାଇଛି । ସୁରକ୍ଷା ଅଭାବରୁ ରାଇବଣିଆ ଦୁର୍ଗ ଆଜି ନିଶ୍ଚିନ୍ନ ହୋଇଛି । ପୁରାଣ ଯୁଗର କିମ୍ବଦନ୍ଦି ଅନୁଯାୟୀ ଏଠାରେ ପାଣ୍ଡବମାନେ ଅଜ୍ଞାତବାସ କରିଥିବା କୁହାଯାଉଥିବା ବେଳେ ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ଏହି ଗଡ ସୁରକ୍ଷିତ ଥାଇ ବାର୍ହ୍ୟ ଆକ୍ରମଣରୁ ସୁରକ୍ଷାର ଦେଉଥିବା ସଂପର୍କରେ ଐତିହାସିକ ତଥ୍ୟରୁ ପ୍ରକାଶ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ପୂର୍ବଭାରତର ଏପରି ଏକ ସୁ-ବୃହତ୍ ଦୁର୍ଗ ନଷ୍ଟଭ୍ରଷ୍ଟ ହେଉଛି । ଗତ କିଛିବର୍ଷ ପୂର୍ବରୁ କୋଲକତା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱବିତ୍ ଡ. ଅଶୋକ ମିତ୍ର ରାଇବଣିଆ ଅଂଚଳର ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଅନୁରୋଧ କ୍ରମେ ସେଠାକୁ ଆସି ଦୁର୍ଗ ଖନନ, ମ୍ୟୁଜିୟମ ପ୍ରତିଷ୍ଠା ଓ ଗବେଷଣା ସଂପର୍କରେ କାର୍ଯ୍ୟ କରିବେ ବୋଲି ଏସିଆଟିକ୍ ସୋସାଇଟିରୁ ଅର୍ଥ ଆଣି ବାର ପ୍ରତିଶୃତି ଦେଇଥିଲେ । ସେ ମଧ୍ୟ ବାରମ୍ବାର ଆସି ପ୍ରାଚୀର ସର୍ପକରେ ନୂତନ ମତବ୍ୟକ୍ତ କରିଥିଲେ । ରାଇବଣିଆ ଦୁର୍ଗର ପାଚେରୀ ୭ଟି ସଭ୍ୟତାର ଉତ୍ଥାନ ପତନଃ ମଧ୍ୟ ଗତି କରିଛି ବୋଲି ସେ ପ୍ରମାଣ ପାଇଥିବା ସଂପର୍କରେ କହିଥିଲେ । ଦୁର୍ଗ ସଂପର୍କରେ ବିଭିନ୍ନ ସମୟରେ କେତେକ ନେତୃସ୍ଥାନୀୟ ବ୍ୟକ୍ତି ବିଭିନ୍ନ ପ୍ରତିଶୃତି ଦେଇଥିଲେ ମଧ୍ୟ ବିଶେଷ ଫଳପ୍ରଦ ହୋଇନାହିଁ । ଗତ କିଛିଦିନ ତଳେ ଗଡ ସୁରକ୍ଷା ଓ ଆଂଚଳିକ ବିକାଶ ପରିଷଦ ସଂପାଦକ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଉପସ୍ଥିତିରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ଓ ଭାଷା ସାହିତ୍ୟର ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ ସେଠାକୁ ଆଣି ବିଷଦ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିବାରୁ ଆସନ୍ତା ୧୪ ତାରିଖ ଅପରାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷକୁ ଏକ ବୈଠକ ଆହୁତ ହୋଇଛି । ଏଥିରେ ଗଡସୁରକ୍ଷା ଓ ଆଞ୍ଚଳିକ ବିକାଶ ପରିଷଦର କର୍ମକର୍ତ୍ତା, ବିଧାୟକ, ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବିଷଦ ଆଲୋଚନା ସଂପର୍କରେ ଜଣାଯାଇଛି । ଏହି ଆଲୋଚନାରେ ରାଇବଣିଆ ଦୁର୍ଗଲାଗି ଏକ ମାଷ୍ଟାରପ୍ଲନ ହେବା, ଦୁର୍ଗର ୪ଟି ଦ୍ୱାରକୁ ସଦୃଶ୍ୟ ଫାଟକ ନିର୍ମାଣ କରିବା, ବିଦ୍ୟୁତ୍ ଯୋଗାଣ, ପ୍ରତ୍ନତତ୍ୱ ଖନନ, ଅଧାପନ୍ଥରିଆ ହୋଇ ପଡିଥିବା କାର୍ଯ୍ୟସମ୍ପନ୍ନ, ଏକ ମ୍ୟୁଜିୟମ ପ୍ରତିଷ୍ଠା, ସ୍ଥାୟୀ ରାସ୍ତା ନିର୍ମାଣ, ପାନୀୟ ଜଳର ସୁବିଧା ଓ ଏକ ପାନ୍ଥାଶାଳା ନିର୍ମାଣ ଜରୁରୀ ବୋଲି ପରିଷଦ ପକ୍ଷରୁ ଆଜି ଏଠାରେ ସୂଚନା ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା