ଜଳେଶ୍ୱର (ସମୃଦ୍ଧ ଓଡିଶା) ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଓ କର୍ତ୍ତବ୍ୟପରାୟଣତା ହୋଇ ଅଧ୍ୟୟନରେ ମନୋନିବେଶ କଲେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ପାରିବ ବୋଲି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨ୟ ବାର୍ଷିକ ଉତ୍ସବରେ ଯୋଗ ଦେଇ ବକ୍ତାମାନେ ମତପ୍ରକାଶ କରିଛନ୍ତି । ବିଦ୍ୟାଳୟ ପରିଚଳାନା କମିଟିର ସଭାପତି ଦେବବ୍ରତ ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜିଲା ସଂଯୋଜକ ରବିନାରାୟଣ ପାତ୍ର ଯୋଗଦେଇ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଭଲମଣିଷ କରି ଗଢିତୋଳିବା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ରୂପେ ବରିଷ୍ଠ ଶିକ୍ଷକ ସୁକୁମାର ପ୍ରଧାନ ଯୋଗ ଦେଇ ସରକାରୀ ବିଦ୍ୟାଳୟ ତୁଳନାରେ ବିଭିନ୍ନ ବେସରକାରୀ ଘରୋଇ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ମାନର ଶିକ୍ଷାଦାନ କରାଯାଉଥିବାରୁ ଏହି ଅନୁଷ୍ଠାନର ସୁନାମ ଧିରେ ଧିରେ ବୃଦ୍ଧି ହେବା ସହିତ ଛାତଛାତ୍ରୀମାନେ ସ୍ୱତଃପ୍ରବୃତ୍ତ ଭାବେ ଆକର୍ଷିତ ହୋଇ ଅଧ୍ୟୟନ କରୁଛନ୍ତି ବୋଲି କହିଥିଲେ । ସମ୍ମାନୀତ ଅତିଥିରୂପେ ବିଦ୍ୟାଳୟର ବରିଷ୍ଠ ସଭ୍ୟ ନାରାୟଣ ଦାସ, ବିଦ୍ୟାଳୟର ଉପଦେଷ୍ଟା ଶଶାଙ୍କ ଶେଖର ଘୋଷ ଓ ଅନୁଷ୍ଠାନର ପ୍ରତିଷ୍ଠାତା ରମାକାନ୍ତ ସି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଶିକ୍ଷକ ଯୁଧିଷ୍ଟିର ବାରିଖ ଅତିଥିମାନଙ୍କୁ ମଂଚକୁ ଆହ୍ୱାନ କରିଥିବା ବେଳେ ଶେଷରେ ଶିକ୍ଷକ ପରିମଳ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଇତିବୃତ ସଂପର୍କରେ ଛାତ୍ର ଆୟୁଷ ପରିଡା, ଆକାଶ ଦାସ, ଜୀବନ ହେମ୍ବ୍ରମ ପ୍ରମୁଖ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା