ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ଖରିଫ ଋତୁରେ ଜଳେଶ୍ୱର ବ୍ଲକ ଅଂଚଳରେ ଆବଶ୍ୟକ ବର୍ଷାର ଏକଚତୁର୍ଥାଂଶ ହୋଇଥିବାରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ପଥୁରିଆ ଅଂଚଳ ରାଇବଣିଆର ୧୪ଟି ପଂଚାୟତରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ସେ ଅଂଚଳରେ ଥିବା ୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶୁଖିଲା ପଡିଥିବାରୁ ଚାଷକାର୍ଯ୍ୟ ଆଦୌ ହୋଇ ପାରିନଥିବାର ନେତୃସ୍ଥାନୀୟ ବ୍ୟକ୍ତି ଓ ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି ।
ଚଳିତବର୍ଷ ମେ, ଜୁନ୍, ଜୁଲାଇ ମାସରେ ହେବାକୁଥିବା ବର୍ଷା ହୋଇନଥିବାରୁ ଚାଷକାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । କେବଳ ଜୁନ ମାସରେ ୨୨୫ ମିମି ବର୍ଷା ହେବାକୁ ଥିବା ବେଳେ ୯୦ ମିମି ଓ ଜୁଲାଇରେ ୩୨୫ ମିମି ବର୍ଷା ହେବାକୁ ଥିବା ବେଳେ ୨୨୦ ମିମି ବର୍ଷା ହୋଇଥିବାରୁ ପରିସ୍ଥିତି ସମ୍ଗୀନ ହୋଇଛି । ରାଇବଣିଆ ଅଂଚଳରେ ଥିବା ୧୪ଟି ପଂଚାୟତ ମଧ୍ୟରୁ ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଖୁଆର୍ଡ, ବରଡିହା, କଳମା, ରାଇବଣିଆ, ମାକିଡିଆ, ଓଡମରା ପଂଚାୟତ ଉଚ୍ଚ, ପଥୁରିଆ ଓ ନଦୀପାଖ ଅଂଚଳ ହୋଇଥିବାରୁ ଜମିରେ ପାଣି ନ ଥିବାରୁ ଖରିଫ ଧାନଚାଷ ରୁଆପୋତା ହୋଇ ପାରିନାହିଁ । ସେ ଅଂଚଳରେ ଥିବା ରଜାବଂଧ ଓ ଗୋହିରାଖାଳ ଖୁଦ୍ର ଜଳସେଚନ ପ୍ରକଳ୍ପ ବର୍ଷା ଅଭାବରୁ ଶୁଖିଲା ପଡିଥିବାରୁ ଏହି ୨ଟି ପ୍ରକଳ୍ପ ଦ୍ୱାରା ୧୨୦୦ ହେକ୍ଟର ଜମି ଜଳସେଚିତ ହୋଇ ପାରୁଥିବା ବେଳେ ଚଳିତ ବର୍ଷ ତାହା ହୋଇପାରିନାହିଁ । ଏହି ୨ଟି ଜଳ ପ୍ରକଳ୍ପ ଦ୍ୱାରା ସର୍ଦ୍ଦାରବନ୍ଧ, ଶ୍ୟାମନଗର, ବରଡିହା, କଳମା, ଖୁଆଡ ପଂଚାୟତ ଚଳସେଚିତ ହେଉଥିବା ବେଳେ ଚଳିତବର୍ଷ ପରିସ୍ଥିତି ଜଟିଳ ହୋଇଛି । ଉପରୋକ୍ତ ପଂଚାୟତ ଗୁଡିକ ଆଦିବାସୀ ଅଧ୍ୟୁସୀତ ହୋଇଥିବାରୁ ସେମାନଙ୍କ ଆର୍ଥୀକ ସ୍ଥିତି ସ୍ୱର୍ଚ୍ଛଳ ଥିବାରୁ ତଥା କାମଧନ୍ଦା ଆରମ୍ଭ ହୋଇନଥିବାରୁ ସେମାନେ ବହୁ ଦୁଃଖ କଣ୍ଟରେ ଚଳୁଛନ୍ତି ବୋଲି ସର୍ଦ୍ଦାରବନ୍ଧର ସରପଂଚ ଦିଲ୍ଲୀପ ସାମଲ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସଂପର୍କରେ ଜିଲା ପ୍ରଶାସନ ଓ କୃଷି ବିଭାଗ ଗୁରୁତ୍ୱ ଦେଇ ଆବଶ୍ୟକ କିଟ୍ସ୍ ଜରିଆରେ ସ୍ୱଳ୍ପ ବୃଷ୍ଟିପାତରେ ହୋଇ ପାରୁଥିବା ଚାଷ ପ୍ରତି ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମଧ୍ୟ କୃଷି ବିଭାଗ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା