ଜଳେଶ୍ଵର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରୁ ହାଇଟେକ ପଦ୍ଧତିରେ ବାଲି ଚୋରି କରୁ ଥିବା ଠିକା ସଂସ୍ଥା ବିରୋଧରେ ତଦନ୍ତ ପାଇଁ ଦାଵୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନଦୀରୁ ବାଲି ଉତ୍ତୋଳନ ପାଇଁ ରୋକ ଲାଗିଥିଲା ବେଳେ ରେଳ ବ୍ରିଜ ନିର୍ମାଣ କରୁଥିବା ଠିକା କମ୍ପାନୀ କିଭଳି ଭାବେ ନଦୀରୁ ବାଲି ଉତ୍ତୋଳନ କରି ନିର୍ମାଣ କାମ କରୁଛି, ତା ପଛରେ କାହାର ହାତ ଅଛି ? ଜନସାଧାରଣ ପ୍ରଶ୍ନ ରଖିଥିବା ବେଳେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଇତି ମଧ୍ୟରେ ବସ୍ତା ତହସିଲଦାରଙ୍କୁ ଅବଗତ କରାଇ ଥିବା ସେ ସୂଚନା ଦେଇଛନ୍ତି । ଦକ୍ଷିଣ ପୂର୍ବ ରେଳ ପଥର ତୃତୀୟ ରେଳ ଲାଇନ ନିର୍ମାଣ କାମ ଚାଲୁ ରହିଛି । ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀ ଉପରେ “ରୋକୀରା” ଇଂଜିନିୟରିଂ ନାମକ ଏକ ଠିକା ସଂସ୍ଥା ଦ୍ୱାରା ପୋଲ ନିର୍ମାଣ କାମ ଚାଲିଛି । ୫ଟି ଯନ୍ତ୍ର ଚାଳିତ ମେସିନ ଲଗାଇ ବାଲି ଉତ୍ତୋଳନ କରି ପୋଲର ଖମ୍ବ ନିର୍ମାଣ କାମ ଚଳାଇଛି । ଯାହାକି ସମ୍ପୂର୍ଣ୍ଣ ଭାବରେ ବେଆଇନ ଏବଂ ନଦୀ ଉପରେ ଥିବା ପୁରୁଣା ରେଳ ବ୍ରିଜ ଜାତୀୟ ରାଜପଥର ବ୍ରିଜ ଖମ୍ବର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତିନି ମାସ ହେଲାଣି ବ୍ରିଜ ନିର୍ମାଣ କାମ ଚାଲିଛି । ସ୍ଥାନୀୟ ଆରଆଇ, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ନଜରକୁ ଅସିଲା ନାହିଁ । ବିଶେଷ କରି ଜାତୀୟ ରାଜପଥ ପାଖରେ କାମ ଚାଲିଛି କାହା ନଜରକୁ ଏହା କିଭଳି ଆସିଲା ନାହିଁ ଏହା ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ତଦନ୍ତ ପାଇଁ ଦୃଢ଼ ଦାଵୀ କରିଛନ୍ତି ଏବଂ ଏହାର ତଦନ୍ତ ହେବ ବୋଲି ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିବା ଜଣାପଡ଼ିଛି । ଜଳେଶ୍ବରରେ ବାଲି ଚୋରି ଏକ ନିତି ଦିନିଆ ଘଟଣା ହୋଇଯାଇଛି । କିନ୍ତୁ ଏଭଳି ଭାବରେ ହାଇଟେକ ଉପାୟରେ ସେହି ସ୍ଥାନରେ ବାଲି ଉଠାଇ ସେହିଠାରେ ନିର୍ମାଣ କରିବା ସମସ୍ତଙ୍କୁ ଚକିତ କରି ଦେଇଛି । ପ୍ରକୃତରେ ଟେବୁଲ ଉପରେ ସିନା ଏମାନେ ଅନୁମତି ଆଣି ନାହାନ୍ତି, ଟେବୁଲ ତଳେ କଣ ଅନୁମତି ଆଣିଛନ୍ତି କି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ଗୁମର ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।