ରାଜଧାନୀବାସୀଙ୍କ ପାଇଁ ଓଡିଶୀ ସିଟିକାର୍ଡ

ଭୁବନେଶ୍ୱର (ଆକାଶ ମିଶ୍ର) – ପକେଟରେ ଓଡିଶୀ ସିଟି କାର୍ଡ ଥିଲେ ରାଜଧାନୀରେ ଆଉ ନଗଦ ଅର୍ଥର ଆବଶ୍ୟକ ପଡିବନାହିଁ । ଦୋକାନରେ ସାମଗ୍ରୀ କିଣା ଠାରୁ ଆରମ୍ଭକରି ଜମିଜମା ଟିକସ ବି ସିଟି କାର୍ଡରେ ପଇଠ କରିହେବ । କୌଣସି ଠାରେ ଗାଡି ପାର୍କିଂ କଲେ ବି ନଗଦ ଅର୍ଥ ବଦଳରେ ଏହି କାର୍ଡରେ ପଇଠ କରାଯାଇ ପାରିବ ।ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି), ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ‘ଓଡିଶୀ ସିଟି କାର୍ଡ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟ ଠାରେ ଶୁଭାରମ୍ଭ କରିଛନ୍ତି ।ଆରମ୍ଭ ହୋଇଥିବା ଏହି କାର୍ଡର ସଦସ୍ୟମାନେ ରାଜଧାନୀ ସହର ମଧ୍ୟରେ କିଣାକିଣି ସହିତ ସିଟି ବସରେ ଯାତାୟତ, ମନୋରଞ୍ଜନ, ଗାଡିମୋଟର ପାର୍କିଂ ସହିତ ନିଜର ଜମିଜମା ଓ ଅନ୍ୟାନ୍ୟ ଟିକସ ବି ପଇଠ କରିପାରିବେ ।ଓଡିଶୀ ସିଟି କାର୍ଡ ଧାରକଙ୍କୁ ସେବା ଯୋଗାଇ ଦେବାପାଇଁ ରାଜଧାନୀରେ ୩୨୫ଟି ଓଡିଶୀ ସେଣ୍ଟର ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୨୫ଟି କେନ୍ଦ୍ର କାର୍ଯ୍ୟ କରିବ । ଏହି କେନ୍ଦ୍ର ଜରିଆରେ ଲୋକେ ସେବା ପାଇପାରିବେ ।ଓଡିଶୀ ସିଟି କାର୍ଡର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି କାର୍ଡ ବ୍ୟବହାର କରି ଲୋକେ ଐତିହ୍ୟ ସହରରେ ସହଜରେ ବୁଲାବୁଲି କରିପାରିବେ । ସ୍ମାର୍ଟସିଟି ପାଇଁ ଏହି କାର୍ଡ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଏଭଳି ପଦକ୍ଷେପ ଆସନ୍ତା ବିଶ୍ୱକପ୍‍ ହକି ପାଇଁ ବିଶେଷ ସହାୟକ ହେବା ସହିତ ରାଜଧାନୀକୁ ସ୍ପୋର୍ଟସ ହବ୍‍ର ପରିଚୟ ପ୍ରଦାନ କରିବ ।କାର୍ଡ ଶୁଭାରମ୍ଭ ଉତ୍ସବରେ ବିଧାୟକ ବିଜୟ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମ୍‍ସି ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ଆଇସିଆଇସି ବ୍ୟାଙ୍କର କାର୍ଯ୍ୟନିର୍ବାହୀଙ୍କ ସମେତ ବିଏମ୍‍ସି ଓ ରାଜ୍ୟ ସରକାରଙ୍କ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।