ରାଜପୁର ରୋଡ୍ ସାହି ନାଳ କାମ ସରୁନି:ଦୁର୍ଗନ୍ଧରେ ଅତିଷ୍ଠ ବାସିନ୍ଦା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ଅଧିନସ୍ଥ ୧ ନଂ ୱାର୍ଡର ଅଞ୍ଚଳ କଲୋନୀ ରାଜପୁର ରୋଡ୍ ସାହିରେ ସମ୍ପ୍ରତ୍ତି ନିର୍ମାଣଧିନ ନାଳ କାର୍ଯ୍ୟରେ ବିଳମ୍ବତା ଘଟୁଥିବାରୁ ବାସିନ୍ଦା ଅତିଷ୍ଠ ହୋଇଯାଇଥିବା ପ୍ରକାଶ ପାଇଛି । ସାହିରେ ବନବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଳି ସରକାରୀ କାର୍ଯ୍ୟାଳୟ ଏବଂ ବାସଗୃହ ରହିବା ସଙ୍ଗେ ସଙ୍ଗେ ୪୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଛନ୍ତି । ଗତ ୨୦୧୫ ମସିହାରେ ସାହିର ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ସାହିର ଜନୈକ ବ୍ୟକ୍ତି ନାଳ ଖୋଳା ସମୟରେ ତାଙ୍କ ପୈତୃକ ପ୍ଲଟର ଅଂଶ ଛାଡିନଥିଲେ । ଫଳରେ ରାସ୍ତାର ଦୁଇ ପାଶ୍ୱର୍ରେ ନାଳ ଖୋଳା ସମୟରେ ସମ୍ପୃକ୍ତ ଠିକାଦାର ଜଣକ ଉକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖକୁ ଛାଡି ଅନ୍ୟ ସବୁଠାରେ ନାଳ ଖୋଳିଦେଇଥିଲେ । ହେଲେ ଉକ୍ତ ନାଳର ଗୋଟିଏ ଭାଗରେ ଆବର୍ଜନା ସବୁ ପୋତି ହୋଇରହିବା ପରିସ୍ଥିତି ଦେଖିବାକୁ ମିଳିଥିଲା । ବର୍ଷା ହେଲେ ନର୍ଦ୍ଦମା ଜଳ ନିଷ୍ଟାସନ ହୋଇନପାରି ଘରେ ପଶୁଥିବା ବେଳେ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ସାହି ବାସିନ୍ଦା ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ଏନଏସି କର୍ତ୍ତୃପକ୍ଷ ଏବଂ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୂର୍ତ୍ତବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାରଙ୍କ ଦ୍ୱାରା ବିକଳ୍ପ ବ୍ୟବସ୍ଥା କରାଯାଇ ରାସ୍ତାର ଉଭୟ ପାଶ୍ୱର୍ ନାଳକୁ ସଂଯୋଗ କରାଯାଇ ଅପରିଷ୍କାର ଜଳ ନିଷ୍କାସନ କରିବା କାର୍ଯ୍ୟ ଆରମ୍ଭ ହୋଇଛି । ବର୍ଷା ଦିନ ଆସିବା ପୂର୍ବରୁ ଉକ୍ତ କାର୍ଯ୍ୟ ସମ୍ପାଦନ କରିବାକୁ କଡାକଡି ତାଗିଦ୍ କରାଯାଇଥିଲେ ହେଁ ସମ୍ପୃକ୍ତ କାର୍ଯ୍ୟ ଏଯାବତ୍ ଅଧାପନ୍ତରିଆ ହୋଇ ପଡି ରହିଛି । ସମ୍ପ୍ରତ୍ତି ଦୁଇ ଦିନରେ ହୋଇଥିବା ବର୍ଷାରେ ଉକ୍ତ ନାଳରେ ଅପରିଷ୍କାର ଜଳ ସବୁ ଜମି ରହି ଦୁର୍ଗନ୍ଧ ସୃଷ୍ଟି କରିଥିବା ବେଳେ ଖୁବ୍ ଶୀଘ୍ର ନାଳ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦିବାକର ସାହୁ, ବ୍ରହ୍ମାନନ୍ଦ ପଣ୍ଡା, ଅଞ୍ଚଳ ସାହୁ, ସୁବାଷ ସାହୁ, ସନ୍ତୋଷ ପାଢୀ, ବାପୁନା ପଣ୍ଡା ପ୍ରମୁଖ ସାହି ବାସିନ୍ଦା ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲିଚାନ୍ଦ ଗୌଡ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା