ରାଜମହଲ ଛକରୁ ୩ଲକ୍ଷ ଲୁଟ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀର ରାଜମହଲ ଛକରୁ ଦୁର୍ବୃତମାନେ ଅଭିନବ ଉପାୟରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । କାରରେ ମୋବିଲ ପକାଇ ଲୁଟେରାମାନେ ଡ୍ରାଇଭରକୁ ବିଭ୍ରାନ୍ତ କରି ଗାଡିରେ ଥିବା ଟଙ୍କା ବ୍ୟାଗ ନେଇ ପଳାଇଥିଲେ । ଲୁଟର ଶିକାର ହୋଇଥିବା ମୁନିଗୁଡାର ଦମୋଦର ମହାପାତ୍ର କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ପ୍ରାୟ ୧୨ଟା ବେଳେ ମୁନିଗୁଡାରୁ ଦାମୋଦର ମହାପାତ୍ର ଦୁଇ ସାଙ୍ଗଙ୍କ ସହ କାର (ଓଡି୧୮-ଇ-୨୨୫୫) ଯୋଗେ ଭୁବନେଶ୍ୱର ଆସିଥିଲେ । ଏକ କାର କିଣିବା ଲାଗି ସେ ସାଙ୍ଗରେ ୩ଲକ୍ଷ ଟଙ୍କା ଆଣିଥିଲେ । ରାଜମହଲ ଛକରେ କାର ପାର୍କିଂ କରି ସେ ବାପୁଜୀନଗରରେ ଥିବା ଏକ ମେଡିସିନ ଦୋକାନକୁ ଯାଇଥିଲେ । ଗାଡିରେ ଡ୍ରାଇଭର ଓ ଦୁଇ ସାଙ୍ଗ ବସିଥିଲେ । ଜଣେ ସାଙ୍ଗ ଆଗସିଟରେ ବସିଥିବା ବେଳେ ଅନ୍ୟ ଜଣେ ପଛରେ ବସିଥିଲା । ଏହି ସମୟରେ ଦୁଇଜଣ ଯୁବକ ବାଇକରେ କାର ଡୋର ଠକ୍ଠକ୍ କରିଥିଲେ । ଡ୍ରାଇଭର ସେମାନଙ୍କ କ’ଣ ହୋଇଛି ବୋଲି ପଚାରିବାରୁ ଗାଡ଼ିରୁ ମୋବିଲ ଲିକ କରୁଛି ବୋଲି କହିଥିଲେ । ପରେ ଡ୍ରାଇଭର ଓ ଆଗସିଟରେ ବସିଥିବା ବନ୍ଧୁ ଜଣକ ଗାଡିରୁ ଓହ୍ଲାଇ ଦେଖିଥିଲେ । ଗାଡି ନିକଟରେ କିଛି ମୋବିଲ ପଡିଥିବାରୁ ସେମାନେ ବନେଟ ଖୋଲି ଯାଂଚ କରିଥିଲେ । ପଛରେ ବସିଥିବା ସାଙ୍ଗ ଜଣଙ୍କ ମଧ୍ୟ ଗାଡିରୁ ଓହ୍ଲାଇ ଆସିଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତମାନେ ଡ୍ରାଇଭର ପାଖରେ ଥିବା ଟଙ୍କା ଭର୍ତି ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଏହା ଜଣାପଡିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଲୁଟେରାଙ୍କ ଟେର ପାଇନଥିଲା । ତେବେ ଲୁଟର ତରିକାରୁ ଏହା ଏଲୋଗୋରା ଗ୍ୟାଙ୍ଗର କାମ ବୋଲି ପୋଲିସ ସନ୍ଦେହ କରୁଛି । ପୂର୍ବରୁ ଏହି ଗ୍ୟାଙ୍ଗ ଟଙ୍କା ଓ ବିସ୍କୁଟ ପାଣି ପକାଇ ଲୁଟପାଟ କରୁଥିବାରୁ ଏବେ ତରିକା ବଦଳାଇଥିବା ପୁଲିସ ସନ୍ଦେହ କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରୁଛି ।

ରିପୋର୍ଟ : ଆକାଶ ମିଶ୍ର