ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନ ୫.୩୦ ମିନଟ ସମୟରେ ସ୍ଥାନୀୟ ରାଜୀବ ଭବନ ଠାରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ ବିଭାଗ ସମେତ ଏହି କୋଠାରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ରିଲିଫ କମିଶନର, ଓସ୍ଡମା, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ପଶ୍ଚିମ ଓଡିଶା ବିକାଶ ପରିଷଦ ଆଦି କାର୍ଯ୍ୟାଳୟ ଆଦିରେ କାର୍ଯ୍ୟରତ ୨୦୦ରୁ ଅଧିକ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତ୍ୱ ବଜାୟ ରଖି ମାସ୍କ ପରିଧାନ ପୂର୍ବକ ବନ୍ଦେ ଉତ୍କଳ ଜନନୀ ସମବେତ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଲେ ଯେ, ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କୋଭିଡ ଯୋଦ୍ଧାଙ୍କର ମନବଳ ବୃଦ୍ଧି କରିବ । ସେ କହିଥିଲେ ଯେ, ଲକଡାଉନ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଡାକ୍ତର, ପୋଲିସ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ୱେଚ୍ଛାସେବୀ ଭଳି କର୍ମଚାରୀମାନେ କରୋନା ଯୋଦ୍ଧା ସାଜି ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅହରହ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ଅସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ହେଉ ଅବା କୋଭିଡି ପରିଚାଳନା ଏବଂ ରେଳ ଷ୍ଟେସନରେ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କୁ ଗ୍ରହଣ କରିବା ହେଉ, ପ୍ରତିଟି କ୍ଷେତ୍ରରେ ସେମାନଙ୍କର ସେବା ପ୍ରଶଂସନୀୟ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ଆମେ ସମସ୍ତେ ଏହି ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରି ସେମାନଙ୍କ ପ୍ରତି ଯେଉଁ କୃତଜ୍ଞତା ଜଣାଉଛେ, ତାହା ସେମାନଙ୍କର ଅବଦାନର ନିମିତ୍ତ ମାତ୍ର । ଆମର ଏହି ସମର୍ଥନ ସେମାନଙ୍କ ମନୋବଳକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ କୁମାର କହିଥିଲେ । ସୂଚନ ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମ ସଂଯୋଜନା ପୂର୍ବକ ପ୍ରାରମ୍ଭିକ ସୂଚନା ଦେଇ ଓଡିଶା ମାଟି ସହ ସମ୍ପର୍କ ଥିବା ସାଢେ ଚାରିକୋଟି ଓଡ଼ିଆ ଭାଇ ମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ଆମର କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ସମ୍ପକରେ କହିଥିଲେ ।
ରିପୋର୍ଟ : ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ