ରାଜ୍ୟ ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଦୁଇ ଦିନ ଧରି ଚାଲିଥିବା ରାଜ୍ୟ ବିଧାନସଭାର ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଜୀବନରେ ପ୍ରଶିକ୍ଷଣର ଭୂମିକା ଖୁବ୍ ଗୁରୁତ୍ୱପୁର୍ଣ୍ଣ ହୋଇଛି I ଏହି ପ୍ରଶିକ୍ଷଣ ଉଚ୍ଚକୋଟିର ହେବା ଉଚିତ୍, ଏଠାରୁ ପ୍ରାପ୍ତ ଜ୍ଞାନକୁ କିଭଳି କାର୍ଯ୍ୟରେ ବ୍ୟବହାର କରିହେବ ସେଥିପାଇଁ ବିଧାୟକ/ବିଧାୟିକାମାନେ ଦୃଷ୍ଟି ଦେବା ଆବଶ୍ୟକ I ରାଜନୈତିକ ଦଳମାନେ ନିଜର ସ୍ୱାର୍ଥକୁ ଦେଶ ହିତ ଠାରୁ ଦୁରେଇ ରଖିବା ଉଚିତ୍ I ଯଦି ବିଧାୟକମାନେ ଗୃହର କାର୍ଯ୍ୟରେ ବିନା କାରଣରେ ବାଧା ଦେବେ ତେବେ ଦେଶ ଓ ରାଜ୍ୟର ବିକାଶ ବାଧାପ୍ରାପ୍ତ ହେବ ବୋଲି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ପ୍ରକାଶ କରିଛନ୍ତି I  ୧୭ତମ ଓଡିଶା ବିଧାନସଭାର ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କ ନିମନ୍ତେ ଆୟୋଜିତ ଦୁଇ ଦିନିଆ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶ୍ରୀ ହରିବଂଶ କହିଲେଯେ, ଜନସାଧାରଣ ଦୃଢ ବିଶ୍ୱାସର ସହ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଆପଣଙ୍କୁ ବିଧାନସଭାକୁ ସେମାନଙ୍କର ପ୍ରତିନିଧିମାନେ ପଠାଇଛନ୍ତି I ଆମକୁ ଏହି ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇ ଲୋକମାନଙ୍କର ଆସ୍ଥାଭାଜନ ହେବାକୁ ପଡିବ I  ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଚସ୍ପତି କହିଲେଯେ, ଜ୍ଞାନସଂସ୍କାର କାର୍ଯ୍ୟକ୍ରମ ଆଗାମୀ ଦିନରେ ସମସ୍ତ ନିର୍ବାଚିତ ବିଧାୟକ/ବିଧାୟିକାମାନଙ୍କୁ ନୂତନ ଦିଗଦର୍ଶନ ଦେବ I ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ଏକ ବିକଶିତ ଓ ଜନମଙ୍ଗଳକାରୀ ରାଜ୍ୟ ପାଇଁ ନିହାତି ଦରକାର I ବିଧାୟକ/ବିଧାୟିକାମାନେ ବିଧାନସଭାରେ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀ ଓ ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇ ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାସହ ଏକ ସୁସ୍ଥ ଗଣତାନ୍ତ୍ରିକ ପରଂପରା ସୃଷ୍ଟି କରିବ I ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେଯେ, ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର I ଜନସାଧାରଣ ଆମକୁ ଯେଉଁ ଆଶା ଓ ବିଶ୍ୱାସର ସହ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି ତାହାକୁ ସାକାର କରିବାକୁ ପଡିବ I ବିଧାନସଭା ଗୃହରେ ନୂତନ ବିଧାୟକ/ବିଧାୟିକାମାନଙ୍କର ଉପସ୍ଥାପନ ସହଯୋଗ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନିଶ୍ଚିତଭାବେ ଉତ୍ସାହଜନକ ଅଟେ  I ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଲେ ଯେ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଆୟୋଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ I ଏହି କାର୍ଯ୍ୟକ୍ରମ ମାନ୍ୟବର ବିଧାୟକ ବିଧାୟିକାମାନଙ୍କୁ ବିଧାନସଭା କାର୍ଯ୍ୟଧାରା ଓ ତତସଂପର୍କୀୟ ନିୟମ  ତଥା ବ୍ୟବସ୍ଥାପକମାନଙ୍କର ଦାୟିତ୍ୱ, ଅଧିକାର ଓ ସ୍ୱାଧିକାର, ବିଭିନ୍ନ ବୈଧାନିକ ପ୍ରକ୍ରିୟା, ଆଇନ ପ୍ରଣୟନ, ବଜେଟ୍ ଉପସ୍ଥାପନ, ଗୃହରେ ଶିଷ୍ଟାଚାର ଓ ଉତ୍ତମ ପରଂପରା ବଜାୟ ରଖିବା ବିଷୟରେ ମୁଲ୍ୟବାନ ତଥ୍ୟ ପ୍ରଦାନ କରିଥାଏ I ଏହାର  ସୁଯୋଗ ନେବା ଉଚିତ୍ I କାର୍ଯ୍ୟକ୍ରମ ଶେଷରେ ମାନ୍ୟବର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ I ଜ୍ଞାନସଂସ୍କାର କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ପଦ୍ଧତିରେ କମିଟିର ସାମର୍ଥ୍ୟ ସଂପର୍କରେ ଆଲୋଚନା ଅନୁଷ୍ଠିତ  ହୋଇଥିଲା I ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ I ଶେଷରେ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଇନ ପ୍ରଣୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା I ଏଥିରେ ଲୋକସଭା ସଚିବାଳୟର ପୂର୍ବତନ ଯୁଗ୍ମ ସଚିବ ଶ୍ରୀ ବିନୟ କୁମାର ମୋହନ ଯୋଗ ଦେଇ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ, ଶେଷରେ ବିଧାୟିକା ସଂଜଳୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ I ବିଧାୟକ ଶ୍ରୀ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗଣତନ୍ତ୍ରକୁ ସୁଦୃଢ କରିବା ପ୍ରକ୍ରିୟା ବିଷୟରେ  ଆଲୋଚନା ଅନୁଷ୍ଠିତ ହୋଇଥିଲା I ଏଥିରେ ନୂଆଦିଲ୍ଲୀସ୍ଥିତ ପ୍ରାଇଡର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମଲ୍ଲିକ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଶେଷରେ ବିଧାୟକ ଶ୍ରୀ ନରସିଂହ ମାଡକାମୀ ଧନ୍ୟବାଦ ଅର୍ପଣ କରିଥଲେ I ଏହି କାର୍ଯ୍ୟକ୍ରମରେ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ I

ରିପୋର୍ଟ : ରଜତ ମହାପାତ୍ର ଓ  ବିଭୂତି ନାୟକ, ସୂଚନା ଅଧିକାରୀ