ରାଜ୍ୟ-ସ୍ତରୀୟ ଭଲିବଲ ଚମ୍ପିଆନଶିପ୍ ୨୦୧୯-୨୦ ଅବସରରେ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଚଳିତ ମାସର ଆସନ୍ତା ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ବାଳକ(୧୪-ବୟସ) ଏବଂ ବାଳକ ଓ ବାଳିକା(୧୭-ବୟସ ମଧ୍ୟରେ) ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ପ୍ରତିଯୋଗିତା ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ।ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରି ଏହି ରାଜ୍ୟ-ସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ଖେଳ ପାରଳାଖେମୁଣ୍ଡି ଠାରେ ପ୍ରଥମ କରି ହେଉଥିବା ଏବଂ ଏଥିରେ ୩୦ଟି ଜିଲ୍ଲାର ପ୍ରାୟ ୭୦୦ ବାଳକ ବାଳିକା ଖେଳାଳୀ ଅଂଶ ଗ୍ରହଣ କରୁଥିବା ଯୋଗୁଁ ଏଥିରେ କୌଣସି ପ୍ରକାର ଅବ୍ୟବସ୍ଥା ଯେଭଳି ନ ହେବ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ଵୟ ରଖି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏହି ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଆନ ଶିପ୍ ଖେଳରେ ବାଳକ(୧୪-ବୟସ) ଓ ବାଳକ-ବାଳିକା(୧୭-ବୟସ) ବିଭାଗର ମୋଟ ୫୫ରୁ ୬୦ ଟି ଦଳ ଭାଗ ନେବା ସହ ପ୍ରାୟ ୨୫ ଜଣ ଅଫିସିଆଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବିଭାଗକୁ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ, ପଡିଆ ସଫା-ସୁତୁରା ସହ ପାନୀୟ ଜଳ ବ୍ୟବସ୍ଥା ପାଇଁ ପୌରସଂସ୍ଥାକୁ ପଡିଆ ଓ ଭଲିବଲ କୋର୍ଟ ପ୍ରସ୍ତୁତି ପାଇଁ ରାସ୍ତା ଓ କୋଠାବାଡି ବିଭାଗକୁ, ଅସ୍ଥାୟୀ ଲେଟ୍ରିନ ଓ ୟୁରିନାଲ ଏବଂ ପାଣି ଟ୍ୟାଙ୍କ ପାଇଁ ପିଏଚଡି ବିଭାଗକୁ, ଜିଲ୍ଲା ବାହାରୁ ଆସିବା ଖେଳାଳିଙ୍କୁ ଷ୍ଟେସନରୁ ଆଣିବାକୁ ଗାଡ଼ିର ବ୍ୟବସ୍ଥା ପାଇଁ ଜିଲ୍ଲା ପରିବହନ ବିଭାଗକୁ, ମେଗା ଚମ୍ପିଆନ ଶିପ୍ ଖେଳର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗକୁ, ଖେଳ ପଡ଼ିଆରେ ଅଗ୍ନିଶମ ଗାଡି ସହ କର୍ମଚାରୀ ମୃତୟନ ପାଇଁ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ, ବିଦ୍ୟୁତ ବିଭ୍ରାଟ ନ ହେବା ଦିଗରେ ତିକ୍ଷଣ ଦୃଷ୍ଟି ଦେବା ପାଇଁ ସାଉଥକୋ ନିର୍ବାହୀଯନ୍ତ୍ରୀଙ୍କୁ ବୈଠକରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ବୈଠକରେ ମୁଖ୍ୟତଃ ବାହାର ଜିଲ୍ଲାରୁ ଆସିବାକୁ ଥିବା ଖେଳାଳୀ ଓ ଅଫିସିଆଲ ମାନଙ୍କ ରହିବା, ଖାଇବା, ଶୋଇବା ପ୍ରଭୃତି ବିଭିନ୍ନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର, ଡିଡବ୍ଲୁଓ ସନ୍ତୋଷ କୁମାର ରଥ, ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା, ଡିଆଇପିଆରଓ ରବି ଚନ୍ଦ୍ର ନାୟକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା