ରାଜ୍ୟରେ ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ?…

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ବିଜେପିରେ ଯୋଗଦେଲାପରେ ଅପରାଜିତା ଷଢଙ୍ଗୀକୁ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠି ଅସହ୍ୟ ହୋଇପଡ଼ିଥିବା ଭଳି ଜଣାପଡୁଛି । ଆଜି ଭୁବନେଶ୍ୱରରେ ଅପରାଜିତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରୁ ଏହାର ସଙ୍କେତ ମିଳିଛି । ଅପରାଜିତାଙ୍କ ସ୍ଵାଗତ ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ନା ଧର୍ମେନ୍ଦ୍ର ପ୍ରଧାନ ନା ଅନ୍ୟ କୌଣସି ବରିଷ୍ଠ ନେତା ଗଲେ ନାହିଁ । ତାଙ୍କୁ ସ୍ୱାଗତ କରିବାକୁ ବିଜେପି ଜିଲ୍ଲା ସଂଗଠନକୁ ଦାୟିତ୍ୱ ଦିଆଗଲା । କେନ୍ଦ୍ର ବିଜେପି ନେତୃତ୍ବ ଅପରାଜିତାଙ୍କୁ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାରେ ବୋଧହୁଏ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଖୁସୀ ନୁହଁନ୍ତି । କିନ୍ତୁ କେନ୍ଦ୍ରୀୟ ନିଷ୍ପତ୍ତିକୁ ବିରୋଧ କରିପାରୁନାହାଁନ୍ତି କି ଅପରାଜିତାଙ୍କୁ ଗ୍ରହଣ ମଧ୍ୟ କରିପାରୁନାହାଁନ୍ତି । ଯେଉଁଥିପାଇଁ ଆଜି ସେ ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ଦଳର କୌଣସି ପଦାଧୀକାରୀ ଗଲେ ନାହିଁ । କେବଳ ବିନ୍ଦୁସାଗର ନିକଟରେ ତାଙ୍କୁ ସ୍ବାଗତ କରିଥିବେ ଦଳର ଉପସଭାପତି ସମୀର ମହାନ୍ତି ।ସେହିଭଳି ଅପରାଜିତା କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ଫାୟାର ବ୍ରାଣ୍ଡ ଅଫିସର ଭାବେ ଜଣାଶୁଣା ଥିଲେ । ଏବେ ବି ତାଙ୍କର ସେହି ଢାଞ୍ଚା ରହିଛି । ସେ ଆଇଏଏସ ଚାକିରି ଛାଡି ରାଜନୀତିକୁ ଓହ୍ଲାଇଥିବାରୁ ଦଳର କ୍ୟାଡରକୁ ସମ୍ମାନ ଦେବେ ନା ନିଜ ନିଷ୍ପତ୍ତି ଅନୁଯାୟୀ କାମ କରିବେ ସେନେଇ ମଧ୍ୟ ରାଜ୍ୟ ପଦାଧିକାରୀଙ୍କ ସନ୍ଦେହ ରହିଛି ।ଏଥିସହିତ ଅପରାଜିତଙ୍କୁ ଯେଉଁ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବିଜେପି ନେତୃତ୍ବ ଦଳରେ ସାମିଲ କରି ଓଡିଶା ଛାଡିଛନ୍ତି ବୋଲି ଚର୍ଚ୍ଚା ହେଉଛି, ପ୍ରକୃତରେ ଯଦି ତାହା ହୁଏ, ତେବେ ବର୍ତ୍ତମାନ ଯେଉଁମାନେ ଦଳର ବିଭିନ୍ନ ପଦପଦବୀରେ ଅଛନ୍ତି ସେମାନେ ହୁଏତ ଗୁରୁତ୍ୱ  ହରାଇବେ । ଏମିତି କିଛି ଆଶଙ୍କା କରି ରାଜ୍ୟ ବିଜେପି ନେତାମାନେ ବିଶେଷ କରି ଧର୍ମେନ୍ଦ୍ରଙ୍କ ଟିମ ଅପରାଜିତାଙ୍କ ଯୋଗଦାନକୁ ଅନୁପ୍ରବେଶ ବୋଲି ଭାବି ସହ୍ୟ କରିପାରୁନାହାଁନ୍ତି ।