ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍ । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ଆଉ ୨୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ୨୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚିଥିବା ବେଳେ କେହି ହେଲେ ବି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୬ଟି ଆକ୍ଟିଭ କେସ୍ ରହିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧ଟି ଆକ୍ଟିଭ କେସ୍ ଥିବାବେଳେ ୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗୁରୁବାର ବିଭିନ୍ନ ସ୍ଥାନରୁ ୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଗୁରୁବାର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିଲା । ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର, ୪ ଜଣ ମୟୁରଭଞ୍ଜ ଜିଲ୍ଲାର, ୨ ଜଣ ବାଲେଶ୍ୱର ଜିଲ୍ଲାର, ଜଣେ ଜଗତସିଂହପୁର ଜିଲ୍ଲାର ଏବଂ ୩ ଜଣ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କାହାର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିଲା ତ କାହାର ସୁରଟ ଲିଙ୍କ୍ ରହିଥିଲା । ସେହିପରି ଗୁରୁବାର ଜଣେ ସଂକ୍ରମିତ ସୁସ୍ଥ ହୋଇଥିଲେ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା